fbpx

(Video) ନୂଆ ସଂସଦ ଭବନରେ ଲିକେଜ୍! ଛାତରୁ ଗଳୁଛି ପାଣି, ସମାଲୋଚନା କଲେ ବିରୋଧୀ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଛାତରେ ଲିକେଜ୍ ହୋଇ ପାଣି ଗଳୁଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତାମିଲନାଡ଼ୁର ବିରୁଧୁନଗର ଲୋକସଭା ଆସନର କଂଗ୍ରେସ ସାଂସଦ ମଣିକମ ଟ୍ୟଶଗୋର ଏହି ପୋଷ୍ଟକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଶେୟାର କରିଛନ୍ତି । ଶେୟାର କରାଯାଇଥିବା ଭିଡିଓରେ ନୂଆ ସଂସଦ ଭବନ ଛାତରୁ ପାଣି ଝରୁଥିବା ଦେଖାଯାଉଛି । ଛାତରୁ ପାଣି ଝରୁଥିବା ବେଳେ ତାହାକୁ ଅଟକାଇବା ପାଇଁ ତଳେ ଏକ ବାଲଟି ରଖାଯାଇଥିବା ଦେଖିବାକୁ ମିଳିଛି ।

ଏନେଇ କଂଗ୍ରେସ ନେତା ନିଜ ପୋଷ୍ଟରେ ଲେଖିଛନ୍ତି, ‘ସଂସଦ ବାହାରେ ପେପର ଲିକ, ସଂସଦ ଭିତରେ ଜଳ ଲିକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ୟବହାର କରୁଥିବା ସଂସଦ ଲବି ହଲରେ ପାଣି ଝରିବା ନୂଆ ଭବନରେ ମୌସମ ସମ୍ବନ୍ଧୀୟ ସମସ୍ୟାକୁ ଉଜାଗର କରିଛି । ନୂଆ ସଂସଦ ଭବନକୁ ନିର୍ମାଣ ହେବାର ମାତ୍ର ଏକ ବର୍ଷ ମଧ୍ୟରେ ଏପରି ଘଟଣା ସାମ୍ନାକୁ ଆସିଛି ।’ ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ ସ୍ଥଗିତ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ପୋଷ୍ଟକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବାର ଦେଖାଯାଇଥିଲା ।

ସମାଜବାଦୀ ପାର୍ଟି ପ୍ରମୁଖ ଓ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଖ ଯାଦବ ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଛନ୍ତି ‘ଏହି ନୂଆ ସଂସଦ ଅପେକ୍ଷା ପୁରୁଣା ସଂସଦ ଭଲ ଥିଲା । ସେଠାରେ ପୁରୁଣା ସାଂସଦମାନେ ମଧ୍ୟ ଆସି ମିଶି ପାରୁଥିଲେ । ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟରେ ଅରବ ଅରବ ଅର୍ଥ ବର୍ବାଦ କରାଯାଇଥିଲା । ଯଦି ଏହାକୁ ବିଜେପି ସରକାର ଠିକରେ ନିର୍ମାଣ କରିଥାନ୍ତା ତେବେ ଏଭଳି ସ୍ଥିତି ଦେଖିବାକୁ ମିଳିନଥାନ୍ତା । ସୂଚନାଯୋଗ୍ୟ ଯେ, ପୁଣି ଥରେ ଦିଲ୍ଲୀରେ ପ୍ରବଳ ବର୍ଷାର ଆଗମନ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାଠାରୁ ଆରମ୍ଭ ହୋଇ ରାତି ବର୍ଷା ହେବା ଫଳରେ ସରିତା ବିହାର, ଦରିୟାଗଞ୍ଜ, ପ୍ରଗତି ମୈଦାନ ଓ ଆଇଟିଓ ସହିତ ଦିଲ୍ଲୀର ଅନେକ ଅଞ୍ଚଳ ସତେ ଯେମିତି ପୋଖରୀରେ ପରିଣତ ହୋଇଯାଇଥିଲା । ଆଜି ସକାଳୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳର ସଡ଼କରେ ଜଳମଗ୍ନ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.