fbpx

ମୌସୁମୀ ଛୁଇଁଲା ପରେ… ଉବୁଟୁବୁ ହେଉଛି ମୁମ୍ବାଇ

ମୁମ୍ବାଇ: କେବେ ଆସିବ ମୌସୁମୀ… ଚଳିତ ବର୍ଷ ବିଳମ୍ବ ହେବ ବୋଲି ପୂର୍ବରୁ ଜଣାପଡ଼ିଥିଲା । କିନ୍ତୁ ମୌସୁମୀ ଆସୁ ଆସୁ ମୁମ୍ବାଇ ଅବସ୍ଥା ସାଂଘାତିକ । ଉବୁଟୁବୁ ହେଉଛି ଅନେକ ଅଞ୍ଚଳ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ।

ସୂଚନା ଅନୁସାରେ ପ୍ରବଳ ବର୍ଷା ଯୋଗୁ ଯାତାୟାତରେ ଘୋର ବାଧା ଉପୁଜିଛି । ମୁମ୍ବାଇର ରେଳପଥ ପାଣିରେ ବୁଡ଼ି ଯିବାରୁ ସମସ୍ୟା ବଢ଼ି ଯାଇଛି । କୁର୍ଲା-ସାଇଅନ ଷ୍ଟେସନ ମଧ୍ୟସ୍ଥ ରେଳ ଲାଇନ୍ ଭିତରେ ପାଣି ବଢ଼ିବାରୁ ଲୋକାଲ୍ ଟ୍ରେନ୍ ବନ୍ଦ ହୋଇଯାଇଛି । ତେବେ ପାଣି କମ୍ ପରେ ପୁଣି ଟ୍ରେନ୍ ଚାଲିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ମୁମ୍ବାଇରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଥିଲା । କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ମଧ୍ୟ କୁହାଯାଇଥିଲା । ମୁମ୍ବାଇ ପୋଲିସ୍ ସୂଚନା ଅନୁସାରେ ହିନ୍ଦମାତା, ଧରାବି, ଗୋବନ୍ଦି ଓ ସାଇଅନ୍ ଜଙ୍କସନ ଭଳି କେତେକ ସ୍ଥାନରେ ପାଣି ଜମି ଯାଇଛି । ବର୍ଷା ବିପତ୍ତି ନେଇ ମୁମ୍ବାଇରେ ୟେଲୋ ୱାର୍ଣିଂ ମଧ୍ୟ ଜାରି ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ମୁମ୍ବାଇ ପରେ ପରେ ଓଡ଼ିଶା ଓ ତେଲେଙ୍ଗାନାରେ ମୌସୁମୀର ପ୍ରବେଶ ହେବାର ସମ୍ଭାବନା ନେଇ ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.