fbpx

ରାଜ୍ୟରେ କମିଛି ଶୀତର ପ୍ରକୋପ; ୩ରୁ ଥରିବ ସାରା ଓଡିଶା

ଭୁବନେଶ୍ୱର: ରାଜ୍ୟକୁ ଉତ୍ତରା ପବନ ବହୁଥିବା ବେଳେ ବର୍ତ୍ତମାନ ଉତ୍ତର ପୂର୍ବରୁ ପବନ ବହିବ । ଫଳରେ ରାଜ୍ୟରେ କିଛି ଦିନ କମ ମାତ୍ରାରେ ଶୀତ ଅନୁଭୂତ ହେବ । କିନ୍ତୁ ଡିସେମ୍ବର ୩ ରୁ ସାରା ରାଜ୍ୟରେ ପୁଣିଥରେ ଉତ୍ତରା ପବନ ବହିବ । ଯାହାଫଳରେ ଶୀତରେ ଥିରିବ ସାରା ଓଡିଶା । ତେବେ ଏନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ସେ କହିଛନ୍ତି, ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡିକରେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୨ ଡିଗ୍ରୀ ବଢିବ । ଫଳରେ ସେଠାରେ ଶୀତ କମ ଅନୁଭୂତ ହେବ । ଏହାପରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ମଧ୍ୟ ରାତି ତାପମାତ୍ରା ୨ ଡିଗ୍ରୀ ବଢିପାରେ । ସେହିପରି ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ରାତି ତାପମାତ୍ରା ୧.୫ଡିଗ୍ରୀ ବଢିବ ବୋଲି ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି ।

ତେବେ ଡିସେମ୍ବର ୩ରୁ ୬ ଭିତରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ । ଫଳରେ ଏହି ସମୟରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ତେବେ ରାତିରେ ତାପମାତ୍ରା କମୁଥିବା ଯୋଗୁ କୋରାପୁଟର ଶିମିଳିଗୁଡା ସବୁଠୁ ଥଣ୍ଡା ସହର ପାଲଟିଛି । ସେଠାରେ ବର୍ତ୍ତମାନ ପାରଦ ୫.୬ ଡିଗ୍ରୀକୁ ଖସିଆସଛି । ସେହିପରି ଜି. ଉଦୟଗିରି, ଫୁଲବାଣୀ, କେନ୍ଦୁଝର, ଦାରିଙ୍ଗିବାଡି ଓ କୋରାପୁଟରେ ରାତି ତାପମାତ୍ରା ୧୦ଡିଗ୍ରୀରୁ ତଳେ ଥିବା ରୋକର୍ଡ ହୋଇଛି ।

ଏତତ୍ ବ୍ୟତୀତ ଭବାନୀପାଟଣାରେ ୧୦, ଝାରସୁଗୁଡାରେ ୧୧.୨, ହୀରାକୁଦରେ ୧୧.୯, ଦେବଗଡ, ସୁନ୍ଦରଗଡ ଓ ଅନୁଗୁଳରେ ରାତି ତାପମାତ୍ରା ୧୨ଡିଗ୍ରୀ ରହିଛି । ଭୁବନେଶ୍ୱରରେ ୧୪ ଓ କଟକର ରାତି ତାପମାତ୍ରା ୧୫ଡିଗ୍ରୀ ରେକର୍ଡ ହୋଇଛି । ତେବେ ଆଗକୁ ରାଜ୍ୟରେ ଅଧିକ ଶୀତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.