fbpx

ବ୍ୟାନ୍ ହେଲା Websites: ଆଉ ଦେଖିବାକୁ ମିଳିବନି AADHAAR-PAN କାର୍ଡ ଡାଟା, ସରକାରଙ୍କ ବଡ଼ ଆକ୍ସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ସାଇବର କ୍ରାଇମ ରୋକିବା ଦିଗରେ ଖୁବ ତତ୍ପରତା ଦେଖାଇଛନ୍ତି । ବିଭିନ୍ନ ନକଲି ତଥା ସାଇବର ଅପରାଧରେ ଜଡ଼ିତ ୱେବସାଇଟ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ବ୍ୟକ୍ତିଗତ ସମ୍ବେଦନଶୀଳ ତଥ୍ୟ ଯଥା, ଆଧାର ଏବଂ ପାନ୍ କାର୍ଡ ଇତ୍ୟାଦିର ତଥ୍ୟ ଦର୍ଶାଉଥିବା ବିଭିନ୍ନ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ଏ ନେଇ ଆଇଟି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କିଛି ପୋର୍ଟାଲ ଜରିଆରେ ନାଗରିକମାନଙ୍କ ସମ୍ବେଦନଶୀଳ ତଥ୍ୟ ସାର୍ବଜନିକ କରାଯାଉଥିଲା । ଆଧାର ଜାରି କରୁଥିବା ଏଜେନ୍ସି UIDAI ତରଫରୁ ଏ ନେଇ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲା । ୨୦୧୬ଆଧାର ଆକ୍ଟର ୨୯(୪) ଅନୁସାରେ, ଏହି ୱେବସାଇଟ ଗୁଡ଼ିକରେ ଆଧାର କାର୍ଡର ତଥ୍ୟ ସାର୍ବଜନିକ କରାଇବା ମାମଲା ରୁଜୁ କରାଯାଇଛି ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଇଣ୍ଡିଆନ୍ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍(CERT-IN) ତରଫରୁ ଏହି ୱେବସାଇଟର ଯାଞ୍ଚ କରାଯାଇଛି । ଏହି ଯାଞ୍ଚରେ ୱେବସାଇଟ ଗୁଡ଼ିକର ସୁରକ୍ଷାରେ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି । ଏହାପରେ ୱେବସାଇଟ ଗୁଡିକର ମାଲିକଙ୍କୁ ମଧ୍ୟ ଆଇସିଟି ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଦୁର୍ବଳତାକୁ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଭାରତର ସାଇବର ଏଜେନ୍ସି ତରଫରୁ ଆଇଟି ଆପ୍ଲିକେସନ୍ ବ୍ୟବହାର କରିବା ପାଇଁ ସମସ୍ତ ସଂସ୍ଥାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଇନଫରମେସନ୍ ଟେକନୋଲୋଜି ଆକ୍ଟ ୨୦୦୦ ଅନୁସାରେ, CERT-IN ଦ୍ୱାରା ସୂଚନା ସୁରକ୍ଷା ପ୍ରଥା, ପ୍ରକ୍ରିୟା, ପ୍ରତିବନ୍ଧକ, ପ୍ରତିକ୍ରିୟା ଏବଂ ସାଇବର ଘଟଣାର ରିପୋର୍ଟ କରିବା ପାଇଁ ଏଥିରେ ନିର୍ଦ୍ଦେଶ ଜାରି ହୋଇଛି । ବେଆଇନ୍ ଭାବରେ ବ୍ୟକ୍ତିଗତ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିବାକୁ ନେଇ ମଧ୍ୟ ଆଇଟି ଆକ୍ଟରେ ଉଲ୍ଲେଖ କରାଯାଇଛି ।

ମନ୍ତ୍ରାଳୟ କହିଛି ଯେ, ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡ଼େ, ସେମାନେ ଏହା ବିରୋଧରେ ମାମଲା ରୁଜୁ କରିପାରିବେ । ଆଇଟି ଆକ୍ଟ ଧାରା ୪୬ ଅନୁସାରେ, ନିର୍ଣ୍ଣାୟକ ଅଧିକାରୀଙ୍କ ନିକଟରେ ଏ ନେଇ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିପାରିବେ ପୀଡ଼ିତ ବ୍ୟକ୍ତି । ଏହାବ୍ୟତୀତ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ, ୨୦୨୩ ପୂର୍ବରୁ ଲାଗୁ ହୋଇସାରିଛି । ଏହି ଅଧିନିୟମ ଅନୁଯାୟୀ ନିୟମର ଡ୍ରାଫ୍ଟ ପ୍ରସ୍ତୁତି ବ୍ୟବସ୍ଥା ଉନ୍ନତ ପର୍ୟ୍ୟାୟରେ ଅଛି ।

Get real time updates directly on you device, subscribe now.