fbpx

ଆଜିଠୁ ଓଡ଼ିଶାରେ ସପ୍ତାହାନ୍ତ ସଟ୍‌-ଡାଉନ୍

ଭୁବନେଶ୍ୱର ,୨୪।୪: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି । ଟ୍ୱିନ ସିଟି ସମେତ ସବୁ ସହରାଞ୍ଚଳରେ ଆଜିଠୁ ସଟ୍‌-ଡାଉନ୍‌ ଲାଗୁ ହୋଇଛି । ସୋମବାର ସକାଳ ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରହିବ, କିନ୍ତୁ ଜରୁରୀକାଳୀନ ସେବା ସଟ୍‌ଡାଉନ୍‌ରେ ଜାରି ରହିବ ।

ସଟ୍‌-ଡାଉନ୍ ନେଇ ପୋଲିସ କମିସନର କହିଛନ୍ତି ଯେ, କଟକର ୨୫ ଓ ଭୁବନେଶ୍ବରର ୪୩ଟି ସ୍ଥାନରେ ନାକା ରହିବ । କଟକରେ ୧୨ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନଜର ରଖିବେ । ଭୁବନେଶ୍ବରରେ ୨୦ ପ୍ଲାଟୁନ ଫୋର୍ସ ଓ ୧୫୦ ଅଫିସରଙ୍କୁ ଦାୟିତ୍ବ,ଦିଆଯାଇଛି । ଅତ୍ୟାବଶ୍ୟକ ସେବା ପାଇଁ କଟକଣା ନଥିବା ବେଳେ ପାସ୍‌ର ଆବଶ୍ୟକ ନାହିଁ ।

ଏହା ସହ ସପ୍ତାହାନ୍ତ ସଟ୍‌ଡାଉନରେ ବନ୍ଦ ରହିବ ‘ମୋ ବସ୍’ ସେବା । କେବଳ ରେଲୱେ ଷ୍ଟେସନରୁ ଯାତ୍ରୀଙ୍କୁ ନେବା ପାଇଁ ଚାଲିବ ‘ମୋ ବସ୍’, ।ରେଲୱେ ଷ୍ଟେସନରୁ କଟକ ଓ ଖୋର୍ଦ୍ଧା ଯାଏ ଯିବ ‘ମୋ ବସ୍’। ବିମାନବନ୍ଦରରୁ ରେଲୱେ ଷ୍ଟେସନ ସଟଲ ସେବା ମିଳିବ । ଏ ନେଇ ଟ୍ବିଟ୍ କରି CRUT ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ହଟ୍‌ସ୍ପଟ୍‌ ପାଲଟିଥିବା ଭୁବନେଶ୍ବରରେ ସଟ୍‌-ଡାଉନ୍‌କୁ କଡ଼ାକଡ଼ି କରିବାକୁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। କୌଣସି ସ୍ଥାନରେ ଯେପରି କଟକଣା ଉଲ୍ଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜୋନ୍‌ ଅଧିକାରୀମାନଙ୍କୁ କୁହାଯାଇଛି । ଅଧିକାରୀମାନେ ଦିନରାତି ୨୪ ଘଣ୍ଟା ସଜାଗ ରହିବା ସହ ଟ୍ରେନ୍‌, ବିମାନ ଯୋଗେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। କୌଣସି ଅସୁବିଧା ପାଇଁ ହେଲ୍‌ପ ଲାଇନ୍‌ ନମ୍ବର ୧୯୨୯କୁ ଯୋଗାଯୋଗ କରିବାକୁ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ ସହରବାସୀଙ୍କୁ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.