fbpx

ଅଜବ ବିବାହ ପରମ୍ପରା: ୩୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଝିଅ ପାଇଁ ବର ଖୋଜା ! ବିବାହ ପଛର କ’ଣ ରହିଛି କାରଣ ?

Advertisement

ବେଙ୍ଗାଲୁରୁ: ଦେଶରେ ବିବାହକୁ ନେଇ ଅନେକ ପରମ୍ପରା ପ୍ରଚଳିତ । ପରିବାର, ସାଙ୍ଗସାଥି ଏବଂ କିଛି ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ଗହଣରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥାଏ । ଆଜିକାଲି ବିଭିନ୍ନ ମାଟ୍ରିମୋନି ୱେବ୍‌ସାଇଟ୍ ବିବାହ ଯୋଗ୍ୟ ପୁଅ ଓ ଝିଅଙ୍କ ପାଇଁ ଉଚିତ ପାତ୍ର ଖୋଜିବା କାର୍ଯ୍ୟକୁ ସହଜ କରିଦେଇଛି । ବିବାହ ପାଇଁ ବିଜ୍ଞାପନ ଦେବା ଏକ ସାଧାରଣ କଥା କିନ୍ତୁ କେବେ ଆପଣ ମୃତ ବ୍ୟକ୍ତିଙ୍କ ବିବାହ ବିଜ୍ଞାପନ ବିଷୟରେ ଶୁଣିଛନ୍ତି କି ? ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନିକଟରେ ଏକ ବିବାହ ବିଜ୍ଞାପନରେ ୩୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଝିଅ ପାଇଁ ବର ଖୋଜାଯାଉଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ପତ୍ତୁର ଗାଁରେ ।

ଖବରରୁ ଜଣାଯାଏ ୩୦ ବର୍ଷ ପୂର୍ବରୁ କର୍ଣ୍ଣାଟକର ପତ୍ତୁର ଗାଁରେ ଏକ ପରିବାର ରହୁଥିଲେ । ଏକ ଦୁର୍ଘଟଣାରେ ତାଙ୍କର ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । ଝିଅର ମୃତ୍ୟୁ ପରେ ପରିବାରରେ ଅନେକ ଅଜବ ଘଟଣା ଘଟୁଥିଲା । ଏହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା । ପରେ କିଛି ବୟସ୍କ ଲୋକଙ୍କ ମତ ଅନୁଯାୟୀ ତାଙ୍କ ଝିଅର ଆତ୍ମା ଅବିବାହିତ ରହିବା କାରଣରୁ ପରଲୋକରେ ବିଚଳିତ ରହୁଥିବା ଅନୁମାନ କରାଯାଉଥିଲା । ସେଥିପାଇଁ ପରିବାରରେ ସବୁବେଳେ ସମସ୍ୟା ଦେଖାଯାଉଛି । ତେଣୁ ମୃତ ଅବିବାହିତା ଝିଅର ଆତ୍ମାର ଶାନ୍ତି ପାଇଁ ବିବାହ ଏକ ମାତ୍ର ବିକଳ୍ପ । ବୟସ୍କ ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ପରିବାର ଲୋକେ ମୃତ ଝିଅର ବିବାହ କରିବା ପାଇଁ ମନସ୍ଥ କରିଥିଲେ । ତେଣୁ ଏକ ବିଜ୍ଞାପନ ମାଧ୍ୟମରେ ପରିବାର ପୂରା ବିଧିବିଧାନ ଅନୁଯାୟୀ ଦୁଇ ଆତ୍ମାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଇବା ପାଇଁ ମନସ୍ଥ କରିଥିଲେ । ବିଜ୍ଞାପନରେ ଉଲ୍ଲେଖ ଥିଲା, ‘୩୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଝିଅ ପାଇଁ ୩୦ ବର୍ଷୀୟ ବର ଆବଶ୍ୟକ, ଯାହାର ମୃତ୍ୟୁ ହୋଇଯାଇଛି । ‘ପ୍ରେଥା ମଡୁୱେ’ ପାଇଁ ଏହି ନମ୍ବରରେ ସମ୍ପର୍କ କରନ୍ତୁ ।’ ଏଥିରେ ଝିଅର ଜାତି ଏବଂ ଗୋତ୍ର ବିଷୟରେ ମଧ୍ୟ ଉଲ୍ଲେଖ ଥିଲା । ତେବେ ଏହି ବିଜ୍ଞାପନ ପରେ ପାଖାପାଖି ୫୦ଟି କଲ୍ ଆସିଥିଲା ।

କହିରଖୁଛୁ କର୍ଣ୍ଣାଟକ ଏବଂ କେରଳର କିଛି ଅଞ୍ଚଳରେ ଏଭଳି ପ୍ରଥା ଏବେବି ପ୍ରଚଳିତ । ଏହା ଦ୍ୱାରା ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏଭଳି ଏକ ପ୍ରଥା ଶୁଣିବାକୁ ଅଜବ ଲାଗୁଥିବ ନିଶ୍ଚିତ । କର୍ଣ୍ଣାଟକରେ ଏକ ପ୍ରଥା ଅଛି – ‘ପ୍ରେଥା ମଡୁୱେ’ (ghost marriage) । ଏହି ପ୍ରଥା ଅନ୍ତର୍ଗତ ଆତ୍ମାଙ୍କ ବିବାହ କରାଯାଇଥାଏ । ଏହି ପରମ୍ପରା ମାଧ୍ୟମରେ ପରିବାର ଆତ୍ମା ସହ ଗଭୀର ସଂଯୋଗ ବଜାୟ ରଖିଥାନ୍ତି । ଏହା ଦର୍ଶାଇଥାଏ ଯେ ଆତ୍ମାଙ୍କୁ ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ ।

Get real time updates directly on you device, subscribe now.