fbpx

କେନ୍ଦ୍ର ବଜେଟକୁ ନେଇ ରାଗିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ; କହିଲେ ‘ଏହା ଏକ ଦିଗହୀନ ବଜେଟ୍…’

କୋଲକାତା: ସାଧାରଣ ବଜେଟକୁ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି “ମୋର କେବଳ ଏତିକି କହିବାର ଅଛି ଯେ ଏହି ବଜେଟ୍ ଦିଗହୀନ ଏବଂ ସାଧାରଣ ଲୋକଙ୍କ ବିରୁଦ୍ଧରେ। ଏଥିରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରହିଛି । ଏହି ବଜେଟରେ ମତେ କିଛି ଦେଖା ଯାଉ ନାହିଁ । ଖାଲି ଅନ୍ଧାର, ଅନ୍ଧାର ଓ ଅନ୍ଧାର । ” ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମକେ ଷ୍ଟାଲିନ ମଧ୍ୟ ସାଧାରଣ ବଜେଟକୁ ବିରୋଧ କରିଛନ୍ତି । ଚେନ୍ନାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଷ୍ଟାଲିନ୍ କେନ୍ଦ୍ର ବଜେଟ୍ କୁ ‘ଭେଦଭାବ ଏବଂ ନିରାଶା’ରେ ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି । ଏହି ବଜେଟ୍ ବଛାବଛା ରାଜ୍ୟ ପାଇଁ ବୋଲି ଷ୍ଟାଲିନ୍ ଅଭିଯୋଗ କରିଛନ୍ତି ।

ସାଧାରଣ ବଜେଟରେ ତାମିଲନାଡୁକୁ ଅଣଦେଖା କରିଥିବା ଅଭିଯୋଗ ବିରୋଧରେ ଡିଏମକେ ସାଂସଦମାନେ ମଧ୍ୟ ବୁଧବାର ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏହାବ୍ୟତୀତ ଜୁଲାଇ ୨୭ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ସେ ଯୋଗ ଦେବେ ନାହିଁ ବୋଲି ଷ୍ଟାଲିନ୍ କହିଛନ୍ତି । ଏହା ପୂର୍ବରୁ ବିରୋଧୀ ଦଳର ଅନେକ ନେତା ସାଧାରଣ ବଜେଟକୁ ସମାଲୋଚନା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ସାଧାରଣ ବଜେଟକୁ ‘ସେଭ୍ ଚେୟାର’ ବଜେଟ୍ ବୋଲି ବର୍ଣ୍ଣନା କରିଛନ୍ତି । ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପ୍ରସଙ୍ଗରୁ ସେ ଗୋଟିଏ ଇଞ୍ଚ ବି ପଛଘୁଞ୍ଚା ଦେବେ ନାହିଁ ।

Get real time updates directly on you device, subscribe now.