fbpx
BJD SKY
BJD SKY

ଡେଲିଭରୀ ବୟ ପରି କାମ କରୁଥିବା ଲୋକଙ୍କ ପାଇଁ କଣ ରହିଛି ସୁବିଧା ? ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ : ଓଲା, ଉବେର, ସ୍ଵିଗି, ଜୋମାଟୋ ପରି କମ୍ପାନୀ ପାଇଁ ଡେଲିଭରୀ ବୟ ଭାବେ କାମ କରୁଥିବା ଲୋକଙ୍କ ପାଇଁ ସାମାଜିକ ସୁରକ୍ଷାର କୌଣସି ଉପାୟ ଅଛି କି ? କେନ୍ଦ୍ର ସରକାରଙ୍କୁ ଏହି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଅନଲାଇନ୍ ଫୁଡ୍ ଡେଲିଭରୀ ଏବଂ କ୍ୟାବ୍ କମ୍ପାନୀ ପାଇଁ କାମ କରୁଥିବା ଗିଗ୍ ଓ୍ଵାକର୍ସଙ୍କୁ ନେଇ ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ କମ୍ପାନୀଙ୍କଠୁ ଜବାବ ଲୋଡିଛନ୍ତି। ବିଚାରପତି ଏଲ. ନାଗେଶ୍ଵର ଓ ବିଚାରପତି ବିଆର ଗବଇଙ୍କ ପୀଠ ଇଣ୍ଡିଆନ ଫେଡେରେସନ ଅଫ ଆପ୍ ବେସ୍ଡ ଟ୍ରାନ୍ସପୋର୍ଟ ଓ୍ଵାକର୍ସଙ୍କ ପକ୍ଷରୁ ଆବେଦନର ଶୁଣାଣି କରିଛନ୍ତି।

ଏହି ଯାଚିକା ଓଲା ଡ୍ରାଇଭର ତୁଲସୀ ଜଗଦୀଶ ବାବୁ ଓ କୌଶର ଖାନଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ସେମାନେ ଦାବି କରିଛନ୍ତି ଯେ, ଆମ ପରି ଲୋକଙ୍କ ପାଇଁ ମଧ୍ୟ ସ୍ଵାସ୍ଥ୍ୟ ବୀମା, ପିତୃତ୍ଵ ଅବକାଶ, ପେନସନ, ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଓ କମ୍ପାନୀ ଖର୍ଚ୍ଚରେ ଟିକାକରଣ ପରି ସୁବିଧା ରହିବା ଉଚିତ୍। ସଂଗଠନ ପକ୍ଷରୁ ପକ୍ଷ ରଖିଥିବା ଆଡଭୋକେଟ୍ ଇନ୍ଦିରା ଜୟସିଂହ କହିଛନ୍ତି, ଏହି ଲୋକଙ୍କୁ କୌଣସି ନିୟମ ଆଧାରରେ କୌଣସି ଲାଭ ମିଳୁନାହିଁ। ସେ ସଂଗଠିତ ରୋଜଗାରର କଥା ହେଉ କି ଅସଂଗଠିତ କର୍ମଚାରୀଙ୍କ ପାଇଁ ଥିବା ନିୟମ ହେଉ, ଏଥିରୁ କୌଣସି ବି ଆଧାରରେ ଏହି ଲୋକଙ୍କ ପାଇଁ କୌଣସି ସୁବିଧା ସୁଯୋଗର ପ୍ରାବଧାନ ନାହିଁ।

ଆମର ଦାବି ଯେ, ଏହି ଲୋକଙ୍କୁ ଅସଙ୍ଗଠିତ କ୍ଷେତ୍ରର କର୍ମଚାରୀ ଘୋଷିତ କରାଯାଉ। ସମସ୍ତ ସାମାଜିକ ସୁବିଧା ପ୍ରଦାନ କରାଯାଉ। ଆବେଦନରେ ଦାବି କରାଯାଇଛି ଯେ, ଓ୍ଵାର୍କମେନ୍ କମ୍ପନସେସନ ଆକ୍ଟ, ଇଣ୍ଡଷ୍ଟ୍ରିଆଲ ଡିସପ୍ୟୁଟ୍ସ ଆକ୍ଟ ଏବଂ ଇଏସଆଇସି ପରି ନିୟମ ଆଧାରରେ ମିଳୁଥିବା ଲାଭ ଏହି ଲୋକଙ୍କୁ ପ୍ରଦାନ କରାଯାଉ। ଜୟସିଂହ କହିଛନ୍ତି, ସାମାଜିକ ସୁରକ୍ଷାର ଅଧିକାର ଯେ କୌଣସି ବି ଲୋକଙ୍କ ପାଇଁ ଅତି ଜରୁରୀ। ସେ ସଂଗଠିତ କ୍ଷେତ୍ର ହୋଇଥାଆନ୍ତୁ ନା ଅସଂଗଠିତ କ୍ଷେତ୍ରର କର୍ମଚାରୀ ହୋଇ ଥାଆନ୍ତୁ।

Get real time updates directly on you device, subscribe now.