ଦେଶରେ ବଢୁଥିବା ଦରଦାମ ସାଧାରଣ ଲୋକଙ୍କୁ ଅସହାୟ କରିଦେଲାଣି । ପେଟ୍ରୋଲ, ଡିଜେଲ ଏବଂ ଇନ୍ଧନ ଗ୍ୟାସ୍ ର ବଢୁଥିବା ଦର ମଧ୍ୟରେ ଦେଶର ମଧ୍ୟମ ବର୍ଗର ଜନତା ପେଶି ହୋଇଗଲେଣି । ଏଭଳି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ସରକାରଙ୍କୁ ବଞ୍ଚେଇବା ଲାଗି ଏକ ଭିନ୍ନ ଆନ୍ଦାଜରେ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ଦେଶରେ ମହଙ୍ଗା ସ୍ଥିତି ବେଶି ନାହିଁ ।
ଆମେରିକାର ୱାସିଂଟନରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଆମ ସାମ୍ନାରେ ବହୁତ୍ ଗୁଡ଼ିଏ ବୈଶ୍ୱିକ ସମସ୍ୟା ରହିଛି । ଆନ୍ତର୍ଜାତୀୟ କାରଣ ଏବଂ ବିଭିନ୍ନ ଭୌଗଳିକ ସ୍ଥିତି ପାଇଁ ଅଶୋଧିତ ତୈଳର ଦାମ ଖୁବ୍ ବଢିଯାଇଛି । ଏହି କାରଣରୁ ବିଶ୍ୱରେ ଅନେକ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି । ସୀତାରମଣ କହିଛନ୍ତି ଯେ ଏହାବାଦ୍ ଭାରତରେ ଖୁଚୁରା ମୁଦ୍ରାସ୍ପିତି ୬.୯ ପ୍ରତିଶତ ରହିଛି । କିନ୍ତୁ ଆମର ଲକ୍ଷ୍ୟ ୪ ପ୍ରତିଶତ ଅଟେ ଏବଂ ଆମେ ଏଥିରୁ ଦୁଇ ପ୍ରତିଶତ ଆଗରେ ରହିଛୁ । ତେବେ ମୁଦ୍ରାସ୍ପତି ୬ ପ୍ରତିଶତ ପାର କରିଯାଇଥିଲେ ମଧ୍ୟ ଦେଶରେ ବର୍ତ୍ତମାନ ମହଙ୍ଗା ବିଶେଷ ଅଧିକ ନାହିଁ ବୋଲି ସେ କହିଛନ୍ତି ।
ତେବେ ବର୍ତ୍ତମାନ ଦେଶରେ ଖୁଚୁରା ମୁଦ୍ରାସ୍ପତି ମାର୍ଚ୍ଚ ମାସ ସୁଦ୍ଧା ୬.୯୫ ପ୍ରତିଶତରେ ପହଁଞ୍ଚିଛି । ଯେତେବେଳେ ଏହା ଗତ ୧୭ ମାସରେ ସର୍ବାଧିକ ସ୍ତର ଅଟେ । ଏହା ପୁର୍ବରୁ ଫେବୃଆରୀ ମାସରେ ମହଙ୍ଗା ସ୍ତର ୬.୦୭ ପ୍ରତିଶତ ଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଋଷ-ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ ପ୍ରଭାବ ଦେଶରେ ଦରବୃଦ୍ଧି ସହିତ ସାମ୍ନାକୁ ଆସିଛି ।
ଏହାବାଦ୍ ଗ୍ରାମୀଣ ଅଞ୍ଚଳରେ ଦରବୃଦ୍ଧିର ପ୍ରଭାବ ସର୍ବାଧିକ ରହିଛି । ଗାଁ ମାନଙ୍କରେ ୨୦୨୨ ମାର୍ଚ୍ଚ ମାସରେ ଖାଦ୍ୟ ପଦାର୍ଥର ଦାମ ବୃଦ୍ଧି ପାଇ ୮.୦୪ ପ୍ରତିଶତରେ ପହଁଞ୍ଚିଛି । ତେବେ ପୁର୍ବ ବର୍ଷ ସମାନ ମାସରେ ଏହା ୩.୯୪ ପ୍ରତିଶତ ଥିଲା । ଅର୍ଥାତ୍ ଗୋଟିଏ ବର୍ଷରେ ଏହା ଦ୍ୱିଗୁଣାରୁ ଅଧିକ ବୃଦ୍ଧି ପାଇଛି । ଅନ୍ୟପକ୍ଷେ ଦେଶରେ ମୁଦ୍ରାସ୍ପତିକୁ ନଜରରେ ରଖି ବିକାଶ ଦରକୁ ମଧ୍ୟ ହ୍ରାସ କରିଛନ୍ତି । ଏବଳୁି ସମୟରେ ଅର୍ଥମନ୍ତ୍ରୀ ସୀତାରମଣ ଦେଶରେ ଅଧିକ ମହଙ୍ଗା ନଥିବା କହି ସରକାରଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଛନ୍ତି ।