ମୋଦୀ ସରକାରଙ୍କ ତୃତୀୟ ପାଳିରେ ୬ମାସର କ’ଣ ରହିଛି ଉପଲବ୍ଧି ? ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରଥମ ଓ ଦ୍ୱିତୀୟ ପାଳି ଭଳି ତୃତୀୟ ପାଳିର ପ୍ରଥମ ୬ ମାସ ମଧ୍ୟରେ ଦେଶରେ ସ୍ୱଚ୍ଛତାର ପ୍ରସାର ଏବଂ ସହରୀ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା କେନ୍ଦ୍ର ଶିକ୍ଷା ଓ ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର କହିଛନ୍ତି । ଭୁବନେଶ୍ୱର ଠାରେ ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ମଜୁମଦାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୧୫ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ‘ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା’କୁ ନେଇ ସମ୍ପୂର୍ଣ୍ଣ ଅଭିଯାନ ଆରମ୍ଭ କରିଥିଲେ । ସ୍ୱଚ୍ଛତା କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଗୁରୁତ୍ୱ ଦେଇ ସରକାର ସ୍ୱଚ୍ଛ ମିତ୍ରଙ୍କୁ ସମ୍ମାନ ଦେବା ଲାଗି ପଦକ୍ଷେପ ନେଇଥିଲେ । ଜନଭାଗିଦାରୀ ବଢ଼ାଇବା ପାଇଁ ସ୍ୱଚ୍ଛତା ଅଭିଯାନରେ ଚଳିତ ବର୍ଷ ୧୭ ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ।

ସେ ଆହୁରି କହିଥିଲେ, ୧୮ ଲକ୍ଷ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ୪୩ ଲକ୍ଷ ସଫେଇ ମିତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବିଭିନ୍ନ ପର୍ବପର୍ବାଣୀକୁ ସ୍ୱଚ୍ଛତା ସହ ଯୋଡ଼ିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୬୪ ଲକ୍ଷରୁ ଅଧିକ ବ୍ୟକ୍ତିଗତ ଏବଂ ୬.୬୬ ଲକ୍ଷରୁ ଅଧିକ ସାର୍ବଜନୀନ ଶୌଚାଳୟ ନିର୍ମାଣ କରିଛନ୍ତି । ୨୦୧୪ ପୂର୍ବରୁ ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରସାର ଖୁବ୍‌ କମ୍‌ ରହିଥିଲା । ଆମ ସରକାର ଆସିବା ପରେ ୯୩ ହଜାର ୬୦୦ରୁ ଅଧିକ ୱାର୍ଡରେ ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରସାର ହୋଇଛି । ସାରା ଦେଶରେ ବର୍ଜ୍ୟବସ୍ତୁର ବ୍ୟବସ୍ଥିତ ସଂଗ୍ରହ ୯୭% ୱାର୍ଡରେ ପହଞ୍ଚି ପାରିଛି । ଏହା ସରକାର ବହୁତ ବଡ଼ ଉପଲବ୍ଧି ବୋଲି ସେ କହିଥିଲେ ।

 

କେନ୍ଦ୍ର ମନ୍ତ୍ରୀ କହିଥିଲେ, ଦୀନଦୟାଲ ଉପାଧ୍ୟାୟ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଜରିଆରେ ୩୯.୩୯ ଲକ୍ଷ ଜୀବିକା ସୁଯୋଗ ସୃଷ୍ଟି କରାଯାଇଛି । ସହରରେ ବାସହୀନମାନଙ୍କୁ ଆଶ୍ରୟ ଦେବା ଲାଗି ୨ହଜାର ଆଶ୍ରୟସ୍ଥଳୀ ଖୋଲାଯାଇଛି ଯେଉଁଥିରେ ୧ ଲକ୍ଷ ୪୧ ହଜାରରୁ ଅଧିକ ବାସହୀନ ଲୋକ ରହିପାରିବେ। ସାଧାରଣ ଲୋକଙ୍କ ଜୀବନକୁ ସହଜ ଓ ସରଳ କରିବା ଲାଗି ଆମ ସରକାର କାମ କରୁଛନ୍ତି । ଦେଶରେ ୧୦୦ ସ୍ମାର୍ଟସିଟି ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ଏଥିରେ ୧ ଲକ୍ଷ ୬୭ହଜାର କୋଟିରୁ ଅଧିକ ଟଙ୍କା ନିବେଶ ପାଇଁ ବ୍ୟବସ୍ଥା କରାଯାଇଛି । ସ୍ମାର୍ଟସିଟିରେ ଆଧୁନିକ ପରିବହନ ଠାରୁ ଡିଜିଟାଲ ତଥ୍ୟ ପାଇଁ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ସେଣ୍ଟର ଖୋଲାଯାଇଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ଦେଶର ବିଭିନ୍ନ ସହରାଞ୍ଚଳରେ ୮୩ ହଜାରରୁ ଅଧିକ ସିସି ଟିଭି କ୍ୟାମେରା ଲଗାଯାଇଛି । ଏହାସହିତ ପ୍ରାୟ ୧୬ ଲକ୍ଷ ଏଲଇଡି ବଲବ ଲଗାଯାଇଛି ।

ଶ୍ରୀ ମଜୁମଦାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ମାଧ୍ୟମରେ ସହରର ଉଠାଦୋକାନୀମାନଙ୍କୁ ବିନା ବନ୍ଧକରେ ବ୍ୟବସାୟ ପାଇଁ ଋଣ ଯୋଗାଇ ଦିଆଯାଉଛି । ଇତିମଧ୍ୟରେ ପିଏମ ସ୍ୱନିଧି ଯୋଜନାରେ ୩୦,୪୨୨ କୋଟି ଟଙ୍କାର ୯୪.୩୧ ଲକ୍ଷ ଋଣ ଯୋଗାଇ ଦିଆଯାଇଛି । ଏମାନଙ୍କ ମଧ୍ୟରେ ୪୫ ପ୍ରତିଶତ ମହିଳା, ୪୧% ଓବିସି, ଏସସି ୨୦%, ଏସଟି ୩% ଏବଂ ସଂଖ୍ୟାଲଘୁ ୩% ହିତାଧିକାରୀ ରହିଛନ୍ତି । ଉତ୍ତମ ପ୍ରଶାସନ ପାଇଁ ପିଏମ ସ୍ୱନିଧି ଯୋଜନା ପୁରସ୍କୃତ ହୋଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।