fbpx

ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ ଟିମ୍ ଇଣ୍ଡିଆ ? ସରକାର ଦେଲେ ଏମିତି ଗ୍ୟାରେଣ୍ଟି

ନୂଆଦିଲ୍ଲୀ : କରୋନାର ନୂତନ ପ୍ରଜାତି ଓମିକ୍ରନକୁ ନେଇ ସାରା ଦୁନିଆରେ ଆଲୋଡନ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଏହି ନୂତନ ଭାରିଏଣ୍ଟ ଅନେକ ଦେଶରେ ବ୍ୟାପିଲାଣି। ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ କଳ୍ପନା ଜଳ୍ପନା ଲାଗି ରହିଛି। ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି, ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ଆମ ଦେଶରେ ପହଞ୍ଚିଲେ ଖେଳାଳିଙ୍କ ସୁରକ୍ଷା ପାଇଁ ସଂପୂର୍ଣ୍ଣ ଜୈବ ନିରାପତ୍ତା ବଳୟ ବା ବାୟୋ ବବଲ ପ୍ରସ୍ତୁତ କରାଯିବ। ଅନ୍ୟପଟେ ଭାରତୀୟ ଏ ଦଳ ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ ଦ୍ଵିତୀୟ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍ ଖେଳିବ। ନୂତନ ଓମିକ୍ରନ ଭାରିଏଣ୍ଟ ମିଳିବା କାରଣରୁ ବୈଶ୍ଵିକ ଚିନ୍ତା ସତ୍ତ୍ଵେ ଭାରତୀୟ ବୋର୍ଡ ଦକ୍ଷିଣ ଆଫ୍ରିକାରେ ସିରିଜ୍ ଖେଳିବା ନେଇ ନିଷ୍ପତ୍ତି ନେଇଛି।

ଭାରତୀୟ ଦଳ ଡିସେମ୍ବର ଦ୍ଵିତୀୟ ସପ୍ତାହରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଡିସେମ୍ବର ୧୭ରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟେଷ୍ଟ ଖେଳିବ। ଏହା ପରେ ତିନୋଟି ଦିନିକିଆ ଏବଂ ଚାରୋଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ। ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଡିସେମ୍ବର ୯ରେ ଦକ୍ଷିଣ ଆଫ୍ରିକା ପହଞ୍ଚିବେ। ମାତ୍ର ଦେଶରେ ଓମିକ୍ରନ ଭାରିଏଣ୍ଟ ମିଳିବା ନେଇ ଗସ୍ତକୁ ନେଇ ଚିନ୍ତା ପ୍ରକାଶ ପାଇଛି। ନୂତନ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ଅନେକ ଦେଶ ଦକ୍ଷିଣ ଆଫ୍ରିକା ସହ ବିମାନ ସେବା ରଦ୍ଦ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତୀୟ ଦଳର ସ୍ଵାସ୍ଥ୍ୟ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦକ୍ଷିଣ ଆଫ୍ରିକା ସମସ୍ତ ପ୍ରକାରର ଜରୁରୀ ପଦକ୍ଷେପ ଉଠାଇବ।

ଭାରତୀୟ ଏ ଦଳ ଗସ୍ତ ଜାରି ରଖି ଏକଜୁଟତା ଦେଖାଇବା ସହ ଭାରତର ନିଷ୍ପତ୍ତି ଅନ୍ୟ ଦେଶର ବୀପରିତ ରହିଥିବା ମନ୍ତ୍ରଣାଳୟ କହିଛି। ଏପରିକି ଦକ୍ଷିଣ ଆଫ୍ରିକା ସରକାର ମଧ୍ୟ ଭାରତୀୟ ଏ ଦଳକୁ ଗସ୍ତ ଜାରି ରଖିବା ନେଇ ପ୍ରଶଂସା କରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗରେ ପ୍ରଥମ ଟେଷ୍ଟ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ସେଞ୍ଚୁରିଆନରେ ଡିସେମ୍ବର ୨୬ରୁ ଦ୍ଵିତୀୟ ଏବଂ ତୃତୀୟ ଟେଷ୍ଟ କେପଟାଉନରେ ଜାନୁଆରୀ ୩ରେ ଖେଳାଯିବ।

Get real time updates directly on you device, subscribe now.