fbpx

ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟର କାରଣ କ’ଣ: ଲଗାତର ୫ଟି ମ୍ୟାଚ ଜିତିବା ପରେ ସାମ୍ନାକୁ ଆସିଲା ଦଳର ଦୁର୍ବଳତା

ନୂଆଦିଲ୍ଲୀ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଅନେକ ସତ ସାମ୍ନାକୁ ଆସିଛି । କ୍ରମାଗତ ଭାବେ ୫ଟି ମ୍ୟାଚରେ ସହଜ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆର ବ୍ୟାଟିଂ ଦୁର୍ବଳତା ଏବେ ପଦାରେ ପଡ଼ିଛି । ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା କାରଣରୁ ଭାରତ ୫୦ ଓଭରରେ ୯ ୱିକେଟ ହରାଇ ମାତ୍ର ୨୨୯ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।

ଏହି ମ୍ୟାଚରେ ଭାରତ ଜିତିବା ହାରିବା ଅଲଗା କଥା । ମାତ୍ର ବିଶ୍ୱ ଚାମ୍ପିୟନ ହେବାକୁ ହେଲେ ଗୋଟିଏ ଦଳ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ସାଙ୍ଗକୁ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବା ନିହାତି ଜରୁରୀ । ଆଗାମୀ ମ୍ୟାଚଗୁଡ଼ିକରେ ଅଧିନାୟକ ରୋହିତ ଶର୍ମା ଓ ଟିମ୍ ମ୍ୟାନେଜମେଣ୍ଟ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ । ଗତ ୫ଟି ମ୍ୟାଚରେ ଭାରତ କେବଳ ଗୋଟିଏ ଷ୍ଟାଇଲରେ ଜିତି ଆସୁଥିଲା । ଷଷ୍ଠ ମ୍ୟାଚରେ ତାହା ବଦଳିଯିବା ଫଳରେ ଦଳକୁ ଏପରି ସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ।

ଗତ ୫ଟି ମ୍ୟାଚରେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ଜିତିଥିଲା । ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ, ଆଫଗାନିସ୍ତାନକୁ ୮ ୱିକେଟରେ, ପାକିସ୍ତାନକୁ ୭ ୱିକେଟରେ, ବାଂଲାଦେଶକୁ ୭ ୱିକେଟରେ ଓ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରିଥିଲା । ମାତ୍ର ଇଂଲଣ୍ଡ ବିପକ୍ଷରେ ପ୍ରଥମ ଥର ପାଇଁ ରୋହିତ ବାହିନୀଙ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା । ଆଜିର ମ୍ୟାଚରେ ଶୁବମନ ଗିଲ (୯), ବିରାଟ କୋହଲି (୦) ଓ ଶ୍ରେୟସ ଆୟର (୪) ରନ୍ କରି ସମ୍ପୂର୍ଣ୍ଣ ଭାବେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ । ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ଏହି ତ୍ରୁଟିକୁ ଭାରତ ସୁଧାରିବାର ଆବଶ୍ୟକତା ରହିଛି । କେ.ଏଲ ରାହୁଲ ୫୮ଟି ବଲ ଖେଳି ୩୯ ରନ୍ ସଂଗ୍ରହ କରି ବହୁ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ ହେଁ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ଯାଇ ସେ ନିଜର ନିୟନ୍ତ୍ରଣ ହରାଇଥିଲେ । ବ୍ୟାଟ୍ସମ୍ୟାନମାନଙ୍କୁ ଦଳର ସ୍ଥିତି ଦେଖି ବ୍ୟାଟିଂ କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.