fbpx

କଣ ରହିଛି ସିଦ୍ଧ ମହାବୀର ମନ୍ଦିରର ରହସ୍ୟ? ୨୦୦ ବର୍ଷରୁ ପୂଜା ପାଉଛନ୍ତି ବୀର ବଜରଙ୍ଗୀ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପ୍ରଭୁ ବୀର ହନୁମାନଙ୍କର ଅନେକ ମନ୍ଦିର ରହିଛି । ସେଥିମଧ୍ୟରୁ ପୁରୀ କୋଣାର୍କ ରାସ୍ତାର ସିଦ୍ଧ ମହାବୀର ମନ୍ଦିର ଅନ୍ୟତମ । ଏହି ମନ୍ଦିର ପୁରୀ ଗୁଣ୍ଡିଚା ମନ୍ଦିର ଠାରୁ କୋଣାର୍କ ରାସ୍ତାରେ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ । ଶ୍ରୀକ୍ଷେତ୍ରର ପ୍ରତ୍ୟେକ ପ୍ରବେଶ ପଥରେ ଜଗି ରହିଛନ୍ତି ବୀର ବଜରଙ୍ଗୀ ।

ଇତିହାସରୁ ଜଣାଯାଏ ଯେ ଶ୍ରୀମନ୍ଦିରକୁ ବାରମ୍ବାର ମୁସଲମାନଙ୍କ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ପଞ୍ଚ ରାମାନନ୍ଦି ଆଖଡ଼ା ପ୍ରତିଷ୍ଠା କରାଯାଇଥିଲା । ସେଥି ମଧ୍ୟରୁ ସିଦ୍ଧ ମହାବୀର ମନ୍ଦିର ଏକ ଆଖଡ଼ା ଅଟେ । କିମ୍ବଦନ୍ତୀ ଅନୁସାରେ ସନ୍ଥ ତୁଳସୀ ଦାସ ଶ୍ରୀକ୍ଷେତ୍ରକୁ ଆସି ସେହି ସ୍ଥାନରେ ରହି ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀରାମଙ୍କ ରୁପରେ ଦର୍ଶନ କରିବା ପାଇଁ ତପସ୍ୟା କରିଥିଲେ । ପ୍ରଭୁ ଜଗନ୍ନାଥ ଦର୍ଶନ ଦେବା ସହିତ ରାମଚରିତ ମାନସ ରଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ପ୍ରାୟ ୨୦୦ ବର୍ଷ ହେଲା ସିଦ୍ଧ ମହାବୀର ଏଠାରେ ପୂଜା ପାଇ ଆସୁଛନ୍ତି ।

ଏହି ମନ୍ଦିରରେ ବୀର ହନୁମାନଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ କାର୍ଯ୍ୟ ସିଦ୍ଧ ହୁଏ ବୋଲି ତାଙ୍କୁ ସିଦ୍ଧ ମହାବୀର ମଧ୍ୟ କୁହନ୍ତି । ଆଜକୁ ୭୦ ବର୍ଷ ହେବ ସେଠାରେ ମନ୍ଦିର ପ୍ରତିଷ୍ଠା ହେବା ସହିତ ୧୨ ମାସର ୧୩ ପର୍ବ ଭଳି ସମସ୍ତ ପର୍ବ ପାଳନ ହେଉଛି । କିନ୍ତୁ ପଣା ସଂକ୍ରାନ୍ତି ତିଥିରେ ମହାବୀର ଜୟନ୍ତୀ ଏଠାର ବଡ଼ ପର୍ବ ଭାବେ ପାଳନ କରାଯାଏ । ଏହା ସହିତ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ମନ୍ଦିର ଭକ୍ତଙ୍କ ଅନୁଦାନରେ ଅନେକ କିଛି ଉନ୍ନତି କାର୍ଯ୍ୟ ହୋଇପାରିଛି ।

Get real time updates directly on you device, subscribe now.