fbpx

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଆମକୁ କ’ଣ ସବୁ ଶିକ୍ଷା ଦେଲା, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଏବେ ଦେଶରେ ନୂଆ ସରକାର ଗଠନ ହେବ । ଆସନ୍ତା ୯ ତାରିଖ ସନ୍ଧ୍ୟା ୭.୧୫ରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି । ଚଳିତ ନିର୍ବାଚନରେ ମୋଟ ୫୪୩ଟି ଆସନ ମଧ୍ୟରୁ ବିଜେପି ସର୍ବାଧିକ ୨୪୦ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୯୯ଟି, ସମାଜବାଦୀ ପାର୍ଟି ୩୭ଟି, ତୃଣମୂଳ କଂଗ୍ରେସ ୨୦ଟି, ଡିଏମକେ ୨୨ଟି, ଟିଡିପି- ୧୬ଟି ଜେଡିୟୁ ୧୨ଟି ଆସନରେ ଜିତିଥିଲେ । ଟିଡିପି ଓ ଜେଡିୟୁ ସହିତ ମେଣ୍ଟ କରି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) କ୍ୟାବିନେଟ ଗଠନ କରିବ ।

ତେବେ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଆମକୁ ଅନେକ ଶିକ୍ଷା ଦେଇଛି । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମତଦାତାମାନଙ୍କୁ ଆଦୌ ହାଲୁକା ଭାବେ ନେବା ଅନୁଚିତ । ବିଗତ କିଛି ବର୍ଷ ମଧ୍ୟରେ ଦେଶର ଭୋଟରମାନେ ନିଜର ମତଦାନ ଅଧିକାର ମାଧ୍ୟମରେ ରାଜନୈତିକ ପରିପକ୍ୱତାର ପ୍ରମାଣ ଦେଇଛନ୍ତି । ସବୁଠାରୁ ଶକ୍ତିଶାଳୀ ନେତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି କାରଣରୁ କେବଳ କ୍ଷମତା ହରାଇଥିଲେ, ସେ ନିଜ ନିର୍ବାଚନ ମଣ୍ଡଳୀରୁ ମଧ୍ୟ ପରାଜୟବରଣ କରିଥିଲେ । ପରବର୍ତ୍ତୀ ସମୟରେ ୩ ବର୍ଷରୁ କମ୍ ସମୟ ମଧ୍ୟରେ ସେ ପୁନର୍ବାର କ୍ଷମତାକୁ ଫେରିଥିଲେ । କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଜନତା ପାର୍ଟି ଓ ଜନତା ଦଳ ପରି ଏକାଧିକ ରାଜନୈତିକ ଦଳମାନଙ୍କୁ ମତଦାତାମାନେ କ୍ଷମତାରୁ ବାହାରି କରିଦେଇଥିଲେ । ଫଳରେ ଏହିସବୁ ଦଳମାନଙ୍କର ଅସଲି ସାମର୍ଥ୍ୟ ଜଣାପଡ଼ିଥିଲା ।

ଅନେକ ସମୟରେ ମତଦାତାମାନେ ଧର୍ମନିରପେକ୍ଷ ରାସ୍ତାରୁ ଦୂରେଇ ଯାଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେମାନେ ନିଜର ଭୁଲକୁ ଅନୁଭବ କରିବା ସହିତ ରାଜନୀତି ସହିତ ଧର୍ମର ମିଶ୍ରଣ ବିରୋଧରେ ମତଦାନ ଜାହିର କରିଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଜନତାଙ୍କୁ ପ୍ରଭାବିତ କରିବା ପାଇଁ କିଛି ପ୍ରସଙ୍ଗକୁ ସାମ୍ନାକୁ ଆଣିଥିଲା । ସେଥିମଧ୍ୟରେ ରହିଥିଲା ମୁଦ୍ରାସ୍ଫୀତି, ବେରୋଜଗାରୀ, କୃଷକ ଓ ବଞ୍ଚିତ ଜନସାଧାରଣ । ଭାଜପା ମୁଖ୍ୟତଃ ଧର୍ମ ଓ ଅନ୍ୟ ଭାବନାତ୍ମକ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା ।

ବିଜେପି ହିନ୍ଦୁତ୍ୱ ଏଜେଣ୍ଡାକୁ ଆଧାର କରି ପ୍ରତିଷ୍ଠା ହୋଇଥିଲା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ଦଳର ଏକ ଜାତୀୟ ପ୍ରସଙ୍ଗ ଥିଲା । ଏହା ଦଳକୁ ପୁଣି ଥରେ କ୍ଷମତାସୀନ କରାଇ ପାରିବ ବୋଲି ଦଳର ଶୀର୍ଷ ନେତୃତ୍ୱ ବିଶ୍ୱାସ କରିଥିଲେ । ଦେଶର ହିନ୍ଦୁତ୍ୱ ଜନସଂଖ୍ୟା ଯଥେଷ୍ଟ ଅଧିକ ରହିଥିଲେ ହେଁ ଅତୀତରେ ଦଳ ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ ଝୁଣ୍ଟି ପଡ଼ିଥିଲା ଓ ଏଥର ମଧ୍ୟ ସଫଳତା ପାଇ ନଥିଲା । ଫୈଜାବାଦ ଅଧିନରେ ଅଯୋଧ୍ୟା ଆସୁଥିବା ବେଳେ ସେହି ନିର୍ବାଚନ ମଣ୍ଡଳୀରେ ହିନ୍ଦୁତ୍ୱ ଏଜେଣ୍ଡାଧାରୀ ଏହି ଦଳ ପରାଜୟ ବରଣ କରିଥିଲା । ଏହା ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ସ୍ୱପ୍ନ ପଥରେ ଏକ ଶକ୍ତ ଆଘାତ ।

ରାମ ମନ୍ଦିରକୁ ନେଇ କରାଯାଇଥିବା ସମସ୍ତ ପ୍ରଚାର, ଭଗବାନ ରାମଙ୍କୁ ‘ଆଣିଥିବା ଦଳ’ ବାଛିବାକୁ ସ୍ଲୋଗାନ, ଭଗବାନ ରାମଙ୍କ ଚିତ୍ର ଥିବା ଲକ୍ଷାଧିକ ପତାକା ଉଡ଼ାଇବା ଆଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଦଳ ଦେଖିଥିବା ସ୍ୱପ୍ନକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଥିଲା । ତେଣୁ ଏଠାରେ କେହି ବି ଅପରାଜେୟ ନୁହନ୍ତି, ତାହା ମତଦାତାମାନେ ପ୍ରମାଣ କରି ଦେଖାଇଛନ୍ତି । ନରେନ୍ଦ୍ର ମୋଦୀଙ୍କୁ ଜଣେ ବିକଳ୍ପହୀନ ତଥା ସବୁଠାରୁ ଶକ୍ତିଶାଳୀ ନେତା ଭାବେ ଗ୍ରହଣ କରାଯାଉଥିଲା, ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ମାତ୍ର ସବୁଠାରୁ ବଡ଼ କଥା ହେଉଛି, ବାରାଣାସୀରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ଏହି ଲୋକପ୍ରିୟ ନେତାଙ୍କର ବିଜୟ ବ୍ୟବଧାନ ବହୁତ କମ୍ ରହିଛି ।

Get real time updates directly on you device, subscribe now.