fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ: ୨୦୧୯ରେ କେଦାରନାଥ ଓ ୨୦୨୪ରେ ରକ୍ ମେମୋରିଆଲ

ନୂଆଦିଲ୍ଲୀ: ଆଉ ମାତ୍ର ୨ ଦିନ ପରେ ହେବ ଅନ୍ତିମ ପର୍ଯ୍ୟାୟ ମତଦାନ । ଜୁନ୍ ୧ରେ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ସମାପ୍ତ ହେବା ପରେ ଜୁନ୍ ୪ରେ ଫଳାଫଳ ସାମ୍ନାକୁ ଆସିବ । ଏଥର କିଏ ସରକାର ଗଠନ କରିବ ଆଉ କେଉଁ ନେତାମାନେ ବାଜି ମାରିବେ ସେନେଇ ଏବେଠାରୁ ଦେଶବାସୀଙ୍କ ମଧ୍ୟରେ ବଡ଼ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ମେ ୩୦ ତାରିଖଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀ ଠାରେ ସ୍ୱାମୀ ବିବେକାନନ୍ଦଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ସ୍ମାରକ ପୀଠ ‘ରକ ମେମୋରିଆଲ’ରେ ଧ୍ୟାନମଗ୍ନ ହେବେ । ପ୍ରସିଦ୍ଧ ବିବେକାନନ୍ଦ ରକ ମେମୋରିଆଲରେ ମୋଦୀ ୪୫ ଘଣ୍ଟା ଧରି ଧ୍ୟାନରେ ବସିବେ । ଏହି ଅବସରରେ ଦେଶର ଦକ୍ଷିଣାଞ୍ଚଳ ସ୍ଥିତ ଏହି ସ୍ଥାନରେ ୨ ହଜାର ପୋଲିସ କର୍ମୀ ମୁତୟନ ରହିବେ ।

ତେବେ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଧ୍ୟାନରେ ଯିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ପ୍ରଥମ କଥା ନୁହେଁ । ଗତ ୨୦୧୯ ଲୋକସଭା ନିର୍ବାଚନର ପ୍ରଚାର ସରିବା ପରେ ମୋଦୀ ଉତ୍ତରାଖଣ୍ଡର କେଦାରନାଥ ଗୁମ୍ଫାରେ ଧ୍ୟାନରେ ବସିଥିଲେ । ମାତ୍ର ୨୦୨୪ରେ ମୋଦୀ ରକ୍ ମେମେରିଆଲରେ ଧ୍ୟାନମଗ୍ନ ହେବେ । ଦୁଇଟି ଲୋକସଭା ନିର୍ବାଚନର ପ୍ରଚାର କାର୍ଯ୍ୟକ୍ରମ ସରିବା ପରେ ମୋଦୀ ଦୁଇଟି ଭିନ୍ନ ଭିନ୍ନ ପବିତ୍ର ସ୍ଥଳକୁ ଧ୍ୟାନ ପାଇଁ ବାଛିଛନ୍ତି ।

ତେବେ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ମୋଦୀଙ୍କର ଧ୍ୟାନ ପଛର ଉଦ୍ଦେଶ୍ୟ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହେଉଛି । ଏଥର ମୋଦୀ ଯେଉଁ ସ୍ଥାନରେ ଧ୍ୟାନ କରିବେ ସେହି ସ୍ଥାନରେ ବିବେକାନନ୍ଦଙ୍କ ଜୀବନ ଉପରେ ଏକ ବଡ଼ ପ୍ରଭାବ ପକାଇଥିଲା ବୋଲି ବିଜେପିର କିଛି ପଦାଧିକାରୀ କହିଛନ୍ତି । ସାରା ଦେଶ ଭ୍ରମଣ କରିବା ପରେ ବିବେକାନନ୍ଦ ଉକ୍ତ ସ୍ଥାନରେ ପହଞ୍ଚିବା ସହ ୩ ଦିନ ପର୍ଯ୍ୟନ୍ତ ଧ୍ୟାନ କରିଥିଲେ ଓ ଏକ ବିକଶିତ ଭାରତର ସ୍ୱପ୍ନ ଦେଖିଥିଲେ ବୋଲି କୁହାଯାଉଛି । ତେଣୁ ବିବେକାନନ୍ଦଙ୍କ ମହାନ୍ ଆଦର୍ଶରେ ଅନୁପ୍ରାଣୀତ ହୋଇ ମୋଦୀ ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ପୂରଣ କରିବା ଲକ୍ଷ୍ୟରେ ଧ୍ୟାନରେ ବସିବାକୁ ନିଷ୍ପତ୍ତି ନେଇ ଥାଇପାରନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା କିଛି ନୂଆ କରି ଦେଶ, ବିଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ବିଭିନ୍ନ ଦେଶକୁ ଭ୍ରମଣରେ ଯିବା ସମୟରେ ସମ୍ପୃକ୍ତ ରାଷ୍ଟ୍ରମୁଖ୍ୟଙ୍କୁ ଭାରତର ପ୍ରାଚୀନ ଐତିହ୍ୟ ଓ ପରମ୍ପରା ସହ ଜଡ଼ିତ କିଛି ମୂଲ୍ୟବାନ ଉପହାର ଦେଇଥାନ୍ତି ମୋଦୀ । ଗଣତନ୍ତ୍ରର ପବିତ୍ର ମନ୍ଦିର ସଂସଦ ଭବନକୁ ପ୍ରଥମେ ପ୍ରବେଶ ବେଳେ ସାଷ୍ଟାଙ୍ଗ ପ୍ରଣାମ କରିବା, ବିଦେଶୀ କଳାକାରଙ୍କ ସହ ମିଶି ବାଦ୍ୟ ବଜାଇବା ଆଦି ମୋଦୀଙ୍କର କିଛି ଅନନ୍ୟ କାର୍ଯ୍ୟ ଆଜି ବି ତାଙ୍କୁ ଜନମାନସରେ ଏକ ଭିନ୍ନ ପରିଚୟ ଦେଉଛି ।

Get real time updates directly on you device, subscribe now.