fbpx

ଓଡ଼ିଶା ପାଇଁ କେମିତି ରହିବ ବାତ୍ୟା ‘ମିଗଜୋମ’ ର ପ୍ରଭାବ? ପ୍ରବଳ ବର୍ଷା ହେବା ନେଇ IMDର ସୂଚନା

ଭୁବନେଶ୍ୱର: ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’ । ବର୍ତ୍ତମାନ ସମୁଦ୍ର ମଧ୍ୟରେ ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ଆସୁଛି ଏହି ବାତ୍ୟା । ଏହା ପ୍ରଭାବରେ ଓଡ଼ିଶା ସମେତ ନିକଟସ୍ଥ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ କିଛି ଅଞ୍ଚଳରେ କୋହଲା ପାଗ ଲାଗି ରହିଛି । ବାତ୍ୟା ମିଗଜୋମ୍ ଆସନ୍ତାକାଲି ଆନ୍ଧ୍ର ବାପାଟଲାରେ ଉପକୂଳ ଛୁଇଁବ ବୋଲି ଜାଣିବାକୁ ମିଳିଛି । ତେବେ ଏହି ବାତ୍ୟା ଯୋଗୁଁ ଓଡ଼ିଶା ଉପରେ ଏହାର ପ୍ରଭାବ କିପରି ରହିବ, ସେ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁଞ୍ଜୟ ମହାପାତ୍ର ।

ରିପୋର୍ଟ ଅନୁସାରେ, ଆସନ୍ତାକାଲି ଆନ୍ଧ୍ର ମିଗଜୋମ୍ ବାପାଟଲା ଉପକୂଳରେ ଲାଣ୍ଡଫଲ କରିବ । ସ୍ଥଳଭାଗ ଛୁଇଁବା ପରେ ଏହି ବାତ୍ୟା ସମାନ୍ତରାଳ ଭାବରେ ଗତି କରିବ । ତେବେ ଦକ୍ଷିଣ ଓଡ଼ିଶାରେ ଏହାର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିପାରେ । କାରଣ ଏହି ଅଞ୍ଚଳରେ ପହଞ୍ଚିବା ବେଳକୁ ବାତ୍ୟା ସମ୍ପୂର୍ଣ୍ଣ ଭାବରେ ଦୁର୍ବଳ ହୋଇ ସାରିଥିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେଣୁ ଦକ୍ଷିଣ ଏବଂ ଆଭ୍ୟନ୍ତର ଓଡ଼ିଶାରେ ବାତ୍ୟା ପ୍ରଭାବରୁ ପବନ କମ୍ ହେବା ସାଙ୍ଗକୁ ପ୍ରବଳ ବର୍ଷା ହେବ ।

ତେବେ ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଅନେକ ଅଞ୍ଚଳରେ ପାଗ କୋହଲା ରହିଛି । ଏହାପରେ ଆସନ୍ତାକାଲିଠାରୁ ବର୍ଷାର ପରିମାଣରେ ବୃଦ୍ଧି ହେବ, କିଛି ସ୍ଥାନରେ ୫-୬ ତାରିଖରେ ପ୍ରବଳ ବର୍ଷା ହେବ । ବର୍ଷାର ପରିମାଣ ବଢିଲେ ମଧ୍ୟ ପବନର ବେଗରେ କୌଣସି ବୃଦ୍ଧି ହେବ ନାହିଁ । ରାଜ୍ୟରେ ପ୍ରାୟ ୩୫-୪୫ କିଲୋମିଟର ବେଗରେ ପବନର ଗତି ରହିବ । ତେବେ ପ୍ରବଳ ବର୍ଷା ଯୋଗୁଁ ପାଚିଲା ଧାନ ଏବଂ ପରିବା ନଷ୍ଟ ହୋଇପାରେ । ତେଣୁ ଏହି ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା କରି ମତ୍ସଜୀବୀଙ୍କୁ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ଆଦେଶ ଦେଇଛନ୍ତି ।

Get real time updates directly on you device, subscribe now.