fbpx

Whatsapp ଆଣୁଛି ନୂଆ ଫିଚର: QR କୋଡ୍ ସ୍କାନ କରି ସ୍ଥାନାନ୍ତର କରିପାରିବେ ସମସ୍ତ ଚାଟ୍

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ ହେଉଛି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ । ତେଣୁ ନିଜ ୟୁଜରମାନଙ୍କ ସମସ୍ତ ସୁରକ୍ଷା ଏବଂ ସୁବିଧାକୁ ନଜରରେ ରଖି ଲଗାତାର ନୂଆ ଏବଂ ଦମଦାର ଫିଚର ଆଣୁଛି କମ୍ପାନୀ । ବର୍ତ୍ତମାନ ଏଭଳି ଏକ ନୂଆ ଫିଚର ଆଣିଛି ହ୍ୱାଟ୍ସଆପ୍ । ଏଣିକି କ୍ୟୁଆର କୋଡ ସ୍କାନ କରି ଆପଣ ନିଜ ଚାଟ୍ ଗୁଡିକୁ ଗୋଟି ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିପାରିବେ । ଏଥିପାଇଁ କମ୍ପାନୀ ତରଫରୁ ଫିଚର ଖୁବଶୀଘ୍ର ଉପଲବ୍ଧ ହୋଇଯିବ ।

ହ୍ୱାଟ୍ସଆପରେ ବର୍ତ୍ତମାନ ଚାଟ୍ ସ୍ଥାନାନ୍ତର କରିବା ଆହୁରି ସହଜ ଏବଂ ସୁବିଧା ହୋଇଯାଇଛି । ଏଥିପାଇଁ କମ୍ପାନୀ ପକ୍ଷରୁ କୋଡଭିତ୍ତିକ ସୁବିଧା ଆରମ୍ଭ କରାଯାଇଛି । ଯାହାଦ୍ୱାରା ଗୋଟିଏ ଫୋନରୁ ଅନ୍ୟ ଫୋନକୁ ଚାଟ୍ ସ୍ଥାନାନ୍ତର କରିବା ପାଇଁ ଅସୁବିଧାର ସାମନା କରିବାକୁ ପଡିବ ନାହିଁ । ହ୍ୱାଟ୍ସଆପ କମ୍ପାନୀ ‘ମେଟା’ର ମୁଖ୍ୟ ମାର୍କ ଜୁକରବର୍ଗ କହିଛନ୍ତି ଯେ, ଏକ ପୁରୁଣା ଫୋନରୁ ନୂଆ ଫୋନକୁ ନିଜ ଚାଟ୍ ଟ୍ରାନ୍ସଫର କରିବା ପାଇଁ ଏବେ ହଇରାଣ ହେବେନି ୟୁଜର । ଏହାକୁ କ୍ଲାଉଡରେ ଅପଲୋଡ କରିବାକୁ ମଧ୍ୟ ପଡିବ ନାହିଁ । କେବଳ କ୍ୟୁଆର କୋଡ ଜରିଆରେ ଚାଟଗୁଡିକ ଅନ୍ୟ ଏକ ଫୋନକୁ ଟ୍ରାନ୍ସପର କରା ଯାଇ ପାରିବ । ଏହି ସୁବିଧା ଲୋକାଲ ୱାଇଫାଇରେ କାମ କରିବ ବୋଲି କହିଛନ୍ତି ମାର୍କ ଜୁକରବର୍ଗ ।

ହ୍ୱାଟ୍ସଆପରୁ ନ ବାହାରି ମିଡିଆ ଏବଂ ଫାଇଲଗୁଡିକୁ ମଧ୍ୟ ସ୍ଥାନାନ୍ତର କରିପାରିବେ ୟୁଜର । ଏଥିପାଇଁ ହ୍ୱାଟ୍ସଆପର ସେଟିଂରେ ଥିବା ଚାଟ୍ସ ଏବଂ ଏହାପରେ ଚାଟ୍ ଟ୍ରାନ୍ସଫର ଅପ୍ସନକୁ ସିଲେକ୍ଟ କରନ୍ତୁ । ଏଥିରେ ଥିବା କ୍ୟୁଆର କୋଡଭିତ୍ତିକ ଟ୍ରାନ୍ସଫର ବିକଳ୍ପ ରହିଛି । ତେବେ ଯଦି ଉଭୟ ଫୋନର ଅପରେଙ୍ଗ ସିଷ୍ଟମ ଏକ ପ୍ରକାରର ହୋଇଥିବ, ତେବେ ଏହି ସୁବିଧାର ଫାଇଦା ଉଠାଇପାରିବେ ହ୍ୱାଟ୍ସଆପ ୟୁଜର । ଏପ୍ରକ୍ରିୟାରେ ଚାଟ୍ ସ୍ଥାନାନ୍ତର କରିବା ସୁରକ୍ଷିତ ବୋଲି ମଧ୍ୟ କହିଛି କମ୍ପାନୀ ।

Get real time updates directly on you device, subscribe now.