fbpx

ଏବେ ଆହୁରି ମହଙ୍ଗା ହୋଇପାରେ ରୁଟି: ଦେଶରେ ୭ ବର୍ଷରେ ରେକର୍ଡ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଗହମ ଷ୍ଟକ୍

ନୂଆଦିଲ୍ଲୀ: ଆପଣଙ୍କ ପ୍ଲେଟରେ ଥିବା ରୁଟି ଅଧିକ ମହଙ୍ଗା ହୋଇପାରେ । କାରଣ ଦେଶର ସରକାରୀ ଗୋଦାମରେ ଗହମ ଷ୍ଟକ୍ ସାତ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ସରକାରୀ ତଥ୍ୟ ଅନୁଯାୟୀ, ୧ ଜାନୁଆରୀ ୨୦୨୪ ସୁଦ୍ଧା ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ଏବଂ ରାଜ୍ୟ ଏଜେନ୍ସି ସହିତ ମୋଟ ଗହମ ଷ୍ଟକ୍ ୧୬୩.୫ ଲକ୍ଷ ଟନରେ ପହଞ୍ଚିଛି, ଯାହା ସାତ ବର୍ଷ ମଧ୍ୟରେ ସର୍ବନିମ୍ନ ଅଟେ ।

ଏହାପୂର୍ବରୁ ୨୦୧୭ ମସିହାରେ ୧୩୭.୫ ଲକ୍ଷ ଟନ୍ ଗହମ ଷ୍ଟକ୍ ଦେଶର ଗୋଦାମରେ ରେକର୍ଡ କରାଯାଇଥିଲା ।

ଗତ ସାତ ବର୍ଷ ମଧ୍ୟରେ ସର୍ବାଧିକ ଷ୍ଟକ୍ ୨୦୨୧ ରେ ରେକର୍ଡ କରାଯାଇଥିଲା, ଯେତେବେଳେ ଗହମର ମୋଟ ଷ୍ଟକ୍ ୩୪୨.୯୦ ଲକ୍ଷ ଟନ୍ ଥିଲା । ଏହା ୨୦୨୨ ରେ ହ୍ରାସ ପାଇ ୩୩୦.୧୨ ଲକ୍ଷ ଟନ୍ ଏବଂ ୨୦୨୩ ରେ ୧୭୧.୭୦ ଲକ୍ଷ ଟନ୍ ହୋଇଗଲା । ଅବଶ୍ୟ ଏବେକାର ଭଣ୍ଡାର କ୍ୟାଲେଣ୍ଡର ବର୍ଷ ଆରମ୍ଭ ପାଇଁ ୧୩୮ ଲକ୍ଷ ଟନର ସର୍ବନିମ୍ନ ବଫର୍ ଅତିକ୍ରମ କରିଛି । ଭବିଷ୍ୟତରେ ହେବାକୁ ଥିବା କୌଣସି ବସ୍ତୁର ଅଭାବକୁ ପୂରଣ କରିବା ପାଇଁ ବସ୍ତୁର ଭଣ୍ଡାର ପ୍ରସ୍ତୁତ କରିବାକୁ ‘ବଫର୍ ଷ୍ଟକ୍’ କୁହାଯାଏ । ୧୦୮ ଲକ୍ଷ ଟନ୍ ର ତିନି ମାସର କାର୍ଯ୍ୟକ୍ଷମ ଆବଶ୍ୟକତା ଏବଂ ଯେକ ବଦ୍ଭଚ୍ଚ ଣସି କ୍ରୟ ଅଭାବକୁ ପୂରଣ କରିବା ପାଇଁ ୩୦ ଲକ୍ଷ ଟନ୍ ର ଏକ ଷ୍ଟକ୍ ରିଜର୍ଭରେ ରଖାଯାଏ ।

ସରକାରୀ ଗୋଦାମରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ଚାଉଳ ଷ୍ଟକ୍ ୧ ଜାନୁୟାରୀ ୨୦୨୪ ସୁଦ୍ଧା ୫୧୬.୫ ଲକ୍ଷ ଟନ୍ ହୋଇଛି, ଯାହା ମାନକ ସର୍ବନିମ୍ନ ବଫର୍ ୭୬.୧ ଲକ୍ଷ ଟନ୍ ଠାରୁ ଅଧିକ । ଯଦି ଆମେ ଚାଉଳ ଏବଂ ଗହମର ଷ୍ଟକ୍ ଏକାଠି କରିବା, ତେବେ ଏହି ସଂଖ୍ୟା ୬୮୦ ଲକ୍ଷ ଟନରେ ପହଞ୍ଚିଛି, ଯାହା ବଫର୍ ଷ୍ଟକ୍ ୨୧୪.୧ ଲକ୍ଷ ଟନରୁ ତିନି ଗୁଣ ଅଧିକ ।

Get real time updates directly on you device, subscribe now.