fbpx

WHO’ର ଚିନ୍ତା ବଢ଼ିଲା: ସାମ୍ନାକୁ ଆସିଲା ଏକ ରହସ୍ୟମୟୀ ବିମାରୀ ‘Disease X’, କରୋନାଠାରୁ ଏହା ୨୦ ଗୁଣ ଅଧିକ ଘାତକ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ବିପଦ ସମ୍ପୂର୍ଣ୍ଣ ଭାବେ ହଟିନଥିବା ବେଳେ ପୁଣି ଏକ ସମସ୍ୟା ଆସି ଉଭାହୋଇଛି । ପୁଣି ଏକ ଭୟଙ୍କର ବିମାରୀକୁ ନେଇ ଆଶଙ୍କା ବଢ଼ିଛି । ବର୍ତ୍ତମାନ ସମୟରେ ‘ଡିଜିଜ ଏକ୍ସ’କୁ ନେଇ ସାରା ବିଶ୍ୱର ବୈଜ୍ଞାନିକମାନେ ଚିନ୍ତାପ୍ରକଟ କରିଛନ୍ତି । ଏହି ବିମାରୀ ପରବର୍ତ୍ତୀ ମହାମାରୀର କାରଣ ସାଜିପାରେ ବୋଲି ଅନୁମାନ କରାଯାଉଛି । ଏହି ବିମାରୀର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା କରୋନାଠାରୁ ୨୦ ଗୁଣ ଅଧିକ ଘାତକ ବୋଲି କୁହାଯାଉଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି ‘ଡିଜିଜ ଏକ୍ସ’କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଗମ୍ଭୀରତାର ସହ ନେଇଛି । ଏକଦା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ଇବୋଲା ଭାଇରସ୍ ବିଷୟରେ ଜଣାପଡ଼ିବା ପରେ ବି ୧୧ ହଜାରରୁ ଅଧିକ ଲୋକଙ୍କର ପ୍ରାଣହାନୀ ଘଟିଥିଲା । ସମୟ ପୂର୍ବରୁ ଯଦି ଏନେଇ ସାବଧାନତା ଅବଲମ୍ବନ କରାଯାଇଥାନ୍ତା ତେବେ ହୁଏତ ଏତେବଡ଼ ବିପଦକୁ ରୋକଯାଇ ପାରିଥାନ୍ତା । ତେଣୁ ଏପରି ସ୍ଥିତିରେ ‘ଡିଜିଜ ଏକ୍ସ’କୁ ନେଇ ସାବଧାନ ରହିବାକୁ ପଡ଼ିବ । ଏହି ଘାତକ ବିମାରୀରୁ ରକ୍ଷା ପାଇବାକୁ ହେଲେ ନିଜର ସ୍ୱାସ୍ଥ୍ୟ ପ୍ରଣାଳୀକୁ ଅଧିକ ମଜବୁତ କରିବାକୁ ପଡ଼ିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଡିଜିଜ ଏକ୍ସକୁ ନେଇ ଗତ ୨୦୨୧ ମସିହାରେ ବୈଜ୍ଞାନିକମାନେ ମତ ଦେଇଥିଲେ । ଇବୋଲାଠାରୁ ଏହା ଅଧିକ ଘାତକ ହେବ ବୋଲି କୁହାଯାଇଥିଲା । ପଶ୍ଚିମ ଆଫ୍ରିକାରେ ଏହି ବୀମାରୀରେ ୮୦ ପ୍ରତିଶତ ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିବା କୁହାଯାଇଥିଲା । ଏନେଇ ହୁ ପକ୍ଷରୁ ଚେତାବନୀ ଜାରି କରାଯିବା ସହିତ ଭବିଷ୍ୟତରେ କରୋନାଠାରୁ ଭୟଙ୍କର ଏକ ବିମାରୀ ଆସିପାରେ ବୋଲି ଚିନ୍ତାବ୍ୟକ୍ତ କରାଯାଇଥିଲା । କୋଭିଡ-୧୯ ପୂର୍ବରୁ ଡିଜିଜ ଏକ୍ସ ବିଷୟରେ ଚର୍ଚ୍ଚା ହୋଇଥିଲା । କରୋନା ୨ ବର୍ଷ ଧରି ବିଶ୍ୱରେ ତାଣ୍ଡବ ରଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ତା’ପରେ ଡିଜିଜ ଏକ୍ସ’କୁ ନେଇ ପୁଣି ଥରେ ଚିନ୍ତା ବଢ଼ିଯାଇଥିଲା ।

Get real time updates directly on you device, subscribe now.