fbpx

କେବେ ଦୂର ହେବ ରାଜଧାନୀର ଜଳ ସମସ୍ୟା: ଏହାର କ’ଣ କିଛି ପ୍ରତିକାର ନାହିଁ, ଚାଲିଯାଉଛି ବର୍ଷ ପରେ ବର୍ଷ, ସରୁନାହିଁ କିନ୍ତୁ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଗତ କିଛି ବର୍ଷ ମଧ୍ୟରେ ବେଶ ଆଗକୁ ବଢ଼ିପାରିଛି । ଚକାଚକ ରାସ୍ତାଘାଟ ସାଙ୍ଗକୁ ସୁଉଚ୍ଚ ଅଟ୍ଟାଳିକା, ବୃହତ ତଥା ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଆଦି ସହରର ଆକର୍ଷଣକୁ ବହୁଗୁଣରେ ବଢ଼ାଇ ଦେଇଛି । ରାଜଧାନୀର ଛାତିରେ ନିର୍ମାଣ ହୋଇଥିବା କଳିଙ୍ଗ ଷ୍ଟାଡିୟମରେ କ୍ରମାଗତ ଦୁଇ ଥର ପୁରୁଷ ହକି ବିଶ୍ୱକପ ଆୟୋଜନ କରିଛନ୍ତି ରାଜ୍ୟ ସରକାର । ବନ୍ୟା, ବାତ୍ୟାକୁ ସଠିକ୍ ଭାବେ ପରିଚାଳନା ନେଇ ଓଡ଼ିଶା ସରକାରଙ୍କୁ ଜାତିସଂଘ ଖୁବ୍ ପ୍ରଶଂସା କରିଛି ।

ତେବେ ବିଭିନ୍ନ ସମୟରେ ଓଡ଼ିଶା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେଉଥିବା ବେଳେ ରାଜଧାନୀବାସୀଙ୍କ ପାଇଁ ରହିଯାଇଛି ଏକ ବଡ଼ ଦୁଃଖ । ତାହା ହେଉଛି ଜଳ ସମସ୍ୟା । ଆମର ହେତୁ ପାଇଲା ଦିନକୁ ଦୀର୍ଘ ବର୍ଷ ଧରି ଆମେ ରାଜଧାନୀର ଜଳ ସମସ୍ୟାକୁ ଅଙ୍ଗେ ନିଭାଇ ଆସୁଛୁ । ପୂର୍ବରୁ ସାଂସଦ, ବିଧାୟକ, ବିଏମସି କମିଶନର, ମେୟର, ସଚିବଙ୍କ ସ୍ତରରେ ବୈଠକ ପରେ ବୈଠକ ହୋଇଛି । ସମୀକ୍ଷା କରାଯାଇ ପ୍ଲାନିଂ କରାଯାଇଛି । ମାତ୍ର ଜଳ ସେତେବେଳେ ମାଡ଼ୁଥିଲା, ଆଜି ବି ମାଡ଼ୁଛି । ବୋଧହୁଏ କିଛି ସୁଧୁରିନି ।

ପ୍ରବଳ ବର୍ଷା ହେବା ସମୟରେ ଭୁବନେଶ୍ୱରର ଅବସ୍ଥା ସମୁଦ୍ରଠାରୁ କମ୍ ନୁହେଁ । ବର୍ଷାଦିନେ ଗାଁ, ଗଣ୍ଡାରେ ରହୁଥିବା ଲୋକମାନେ ମଧ୍ୟ ଭୁବନେଶ୍ୱର ଲୋକଙ୍କଠାରୁ ଅଧିକ ଭଲରେ ରହିଥିବେ । କିଛି ଅଞ୍ଚଳରେ ଅଣ୍ଟା ପର୍ଯ୍ୟନ୍ତ ପାଣି ଲହଡ଼ି ମାରୁଥିବା ବେଳେ ଅନେକ ଲୋକଙ୍କ ଖଟରେ ମଧ୍ୟ ପାଣି ପଶିଯାଇଥାଏ । ଏଠାରେ ପ୍ରଶ୍ନଉଠେ, ସତରେ କ’ଣ ରାଜଧାନୀର ଜଳ ସମସ୍ୟା କେବେ ସୁଧୁରିବ ନାହିଁ? ଏହାର କ’ଣ କୌଣସି ପ୍ରତିକାର ନାହିଁ? ସହର, ରାସ୍ତାଘାଟ, ଘରଦ୍ୱାର, ଦୋକାନ ବଜାର ନିର୍ମାଣ ସମୟରେ ଅତୀତରେ କିଛି ତ୍ରୁଟି ହୋଇଥାଇପାରେ, ମାତ୍ର ଏଥିପାଇଁ କ’ଣ କିଛି ସୁବ୍ୟବସ୍ଥା ନାହିଁ । ସମୟ କହିବ କେବେ ସୁଧୁରିବ ରାଜଧାନୀବାସୀଙ୍କ ଜଳ କଷ୍ଟ ସମସ୍ୟା ।

Get real time updates directly on you device, subscribe now.