fbpx

ଦୋସ୍ତିର ମିସାଲ ମାହି… ଏ କେଉଁ କମ୍ପାନୀ ବ୍ୟାଟ ଧରିଛନ୍ତି ଧୋନୀ? IPL-2024 ପୂର୍ବରୁ ଚର୍ଚ୍ଚାରେ ବ୍ୟାଟ୍

ନୂଆଦିଲ୍ଲୀ: ଆସନ୍ତା ମାସରେ ଖେଳାଯିବ ଆଇପିଏଲ-୨୦୨୪ । ଏହାପୂର୍ବରୁ ଚମ୍ପିଆନ୍ ଦଳ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀ ନିଜ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଆଇପିଏଲର ଏହି ନୂଆ ସଂସ୍କରଣ ପୂର୍ବରୁ ମାହିଙ୍କ ବ୍ୟାଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଞ୍ଚିର ଜେସିଏ ଷ୍ଟାଡିୟମରେ ଧୋନୀ ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ବ୍ୟାଟରେ ଏକ ନୂଆ କମ୍ପାନୀର ଷ୍ଟିକର ଦେଖିବାକୁ ମିଳିଛି ।

ଆସନ୍ତା ସିଜନରେ ମାହି ଏକ ନୂଆ ବ୍ରାଣ୍ଡର ବ୍ୟାଟ ବ୍ୟବହାର କରୁଥିବାର ଦେଖିବାକୁ ମିଳିବ । ପୂର୍ବରୁ ଏସ.ଏସ ଷ୍ଟିକର ବ୍ୟାଟ ବ୍ୟବହାର କରୁଥିବା ବେଳେ ଧୋନୀ ଏଥର ‘ପ୍ରାଇମ୍ ସ୍ପୋର୍ଟସ’ ନାମକ ଏକ କମ୍ପାନୀର ଷ୍ଟିକର ନିଜ ବ୍ୟାଟରେ ବ୍ୟବହାର କରିବେ । ତେବେ ସୂଚନା ଥାଉ କି, ଏହି ‘ପ୍ରାଇମ ସ୍ପୋର୍ଟସ’ ହେଉଛି ଧୋନୀଙ୍କ ପିଲାବେଳର ସାଙ୍ଗ ପରମଜୀତ ସିଂହଙ୍କ ଦୋକାନ । ଧୋନୀଙ୍କୁ ଆଜି ବିଶ୍ୱ କ୍ରିକେଟରେ ସର୍ବଶ୍ରେଷ୍ଠ ଅଧିନାୟକଙ୍କ ତାଲିକାରେ ସ୍ଥାନ ମିଳିବା ପଛରେ ତାଙ୍କ ବନ୍ଧୁମାନଙ୍କର ଖୁବ ଯୋଗଦାନ ରହିଛି । ଏହାର ଝଲକ ମାହିଙ୍କ ବାୟୋପିକ ‘ଏମ.ଏସ ଧୋନୀ-ଦ ଅନଟୋଲ୍ଡ ଷ୍ଟୋରୀ’ରେ ମଧ୍ୟ ଦର୍ଶାଯାଇଛି । ଚଳିତବର୍ଷ ଧୋନୀ ନିଜ ପିଲାବେଳର ବନ୍ଧୁଙ୍କ ବ୍ୟବସାୟ ଏବଂ ତାଙ୍କ ବ୍ରାଣ୍ଡକୁ ପ୍ରମୋଟ କରୁଥିବାର ଦେଖିବାକୁ ମିଳିବ ।

ମାହିଙ୍କ ବାୟୋପିକରେ ଦେଖାଯାଇଛି ଯେ, ପରମଜୀତଙ୍କ ପ୍ରାୟସ ବଳରେ ହିଁ ଦୋନୀ ନିଜ କ୍ୟାରିୟରର ପ୍ରଥମ ବ୍ୟାଟ ସ୍ପନସର ପାଇଥିଲେ । ଏହାବ୍ୟତୀତ କ୍ୟାରିୟରର ଆରମ୍ଭ କରୁଥିବା ବେଳେ ଆର୍ଥିକ ସହାୟତା ସହ ଧୋନୀଙ୍କୁ ମାନସିକ କ୍ଷେତ୍ରରେ ମଧ୍ୟ ଖୁବ ମଜବୁତ କରିଥିଲେ ପରମଜୀତ । ତେଣୁ ଆଜି ପରମଜୀତଙ୍କ ଦୋକାନର ପ୍ରଚାର କରିବା ପାଇଁ ଏକ ଭିନ୍ନ ପ୍ରୟାସ କରୁଛନ୍ତି ଧୋନୀ । ତେବେ କ୍ୟାପଟେନ କୁଲ ମାହିଙ୍କ ଏହି ପ୍ରୟାସକୁ କ୍ରିକେଟ ଜଗତରେ ଖୁବ ପ୍ରଶଂସା କରାଯାଉଛି । ଏଥିପାଇଁ ଧୋନୀଙ୍କୁ ଦୋସ୍ତିର ମିସାଲ ବୋଲି ମଧ୍ୟ କୁହାଯାଉଛି ।

Get real time updates directly on you device, subscribe now.