fbpx

ଆସନ୍ତାକାଲି ଛାଡଖାଇରେ ଜମିବ ଆମିଷ ବଜାର, ଜାଣନ୍ତୁ ମାଂସାହାରୀ ଏବଂ ଶାକାହାରୀରେ କେଉଁ ରାଜ୍ୟ ପ୍ରଥମ

ନୂଆଦିଲ୍ଲୀ: ଆଜି ସରୁଛି ପବିତ୍ର ମାସ କାର୍ତ୍ତିକ। ଆଉ ଆସନ୍ତାକାଲି ପଡୁଛି ଛାଡଖାଇ। ଧର୍ମର ମାସ ସରିବା ମାତ୍ରେ ତାର ପରବର୍ତ୍ତୀ ଦିନ ଆମିଷ ଭୋଜନ କରି ଛାଡଖାଇ ପାଳନ କରାଯାଏ। ଏହି ଦିନ ମାଛ ଏବଂ ମାଂସର ବଜାର ଖୁବ୍ ଜମିଥାଏ। ମାସ ସାରା ପାଟିରେ ଆମିଷ ବାଜି ନଥିବାରୁ ଛାଡଖାଇ ଦିନ ଆମିଷ ଖାଇବାକୁ ଲୋକଙ୍କ ଆଗ୍ରହ ବେଶ ରହିଥାଏ। ପୁଣି ଆସନ୍ତାକାଲି ବୁଧବାର ପଡୁଥିବାରୁ ଆମିଷ ବଜାର ବେଶ ଜମିବ। ତେବେ ଆପଣ ଜାଣିଛନ୍ତି କି ଦେଶରେ କେତେ ପ୍ରତିଶତ ଲୋକ ଶାକାହାରୀ ଏବଂ କେତେ ପ୍ରତିଶତ ମାଂସାହାରୀ ଅଛନ୍ତି। କେଉଁ ରାଜ୍ୟରେ କେତେ ଶାକାହାରୀ ଏବଂ କେଉଁ ରାଜ୍ୟରେ କେତେ ମାଂସାହାରୀ ଲୋକଙ୍କ ସଂଖ୍ୟା ରହିଛି ଚାଲନ୍ତୁ ଜାଣିବା।

ରାଷ୍ଟ୍ରୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷେଣ(ଏନଏଫଏଚଏସ)ର ତଥ୍ୟ ଅନୁଯାୟୀ ଦେଶରେ ୧୯ ପ୍ରତିଶତ ଲୋକ ଶାକାହାରୀ ରହିଥିବା ବେଳେ ୮୧ ପ୍ରତିଶତ ହେଉଛନ୍ତି ମାଂସାହାରୀ। ଆମିଷ ଖାଇବା ମାମଲାରେ ଦେଶର ତେଲେଙ୍ଗାନା ରାଜ୍ୟ ଶୀର୍ଷରେ ଥିବା ବେଳେ ଶାକାହାରୀରେ ଶୀର୍ଷରେ ରହିଛି ରାଜସ୍ଥାନ। ତେଲେଙ୍ଗାନାରେ ୭୩ ପ୍ରତିଶତ ଲୋକ ସପ୍ତାହରେ ଅତି କମରେ ଥରୁଟିଏ ଆମିଷ ଭୋଜନ କରିଥାନ୍ତି। ୪.୪ ପ୍ରତିଶତ ଲୋକ ଚିକେନ, ମାଛ ଏବଂ ମାଂସ ଖାଉନଥିଲେ ହେଁ ଅଣ୍ଡା ଖାଇଥାନ୍ତି। ସେହି ପରି ରାଜସ୍ଥାନରେ ୫୬ ପ୍ରତିଶତ ଲୋକେ ଶାକାହାରୀ ଭୋଜନ କରିବାକୁ ପସନ୍ଦ କରିଥାନ୍ତି।

ଏନଏଫଏଚଏସ-୫ ୨୦୧୯ ଏବଂ ୨୦୨୧ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ସର୍ବେକ୍ଷେଣ କରିଥିଲା। ଏଥିରେ ୨୮ ରାଜ୍ୟ ଏବଂ ଆଠ କେନ୍ଦ୍ର ଶାସିତ ଅଞ୍ଚଳରେ ୭, ୨୪, ୧୧୫ ମହିଳା ଏବଂ ୯୩,୧୪୪ ପୁରୁଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସମସ୍ତଙ୍କ ବୟସ ୧୫ରୁ ୪୯ ବର୍ଷ ମଧ୍ୟରେ ରହିଥିଲା। ସର୍ଭେରୁ ଜଣା ପଡିଥିଲା ଯେ, ଅଧିକାଂଶ ରାଜ୍ୟରେ ମାଂସାହାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଦେଶର କେବଳ ୪ ରାଜ୍ୟ ରାଜସ୍ଥାନ, ହରିୟାଣା, ଗୁଜରାଟ ଏବଂ ପଞ୍ଜାବରେ ଶାକାହାରୀଙ୍କ ସଂଖ୍ୟା ଅଧିକ ରହିଛି। ଯଦି ଦେଶରେ ୫୧ ପ୍ରତିଶତ ଲୋକ ସପ୍ତାହରେ ଅତି କମରେ ଥରୁଟିଏ ମାଂସ ଖାଇଥାନ୍ତି। ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ମାଂସ ଖାଇଥାନ୍ତି।

ମାଂସାହାରୀ ମାମଲାରେ ଶୀର୍ଷ ୫ ରାଜ୍ୟ ହେଉଛନ୍ତି- ତେଲେଙ୍ଗାନା, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କେରଳ ଏବଂ ପଶ୍ଚିମବଙ୍ଗ
ଶାକାହାରୀ ମାମଲାରେ ଶୀର୍ଷ ୫ ରାଜ୍ୟ- ରାଜସ୍ଥାନ, ହରିୟାଣା, ଗୁଜରାଟ, ପଞ୍ଜାବ ଏବଂ ମଧ୍ୟ ପ୍ରଦେଶ।

Get real time updates directly on you device, subscribe now.