ନୂଆଦିଲ୍ଲୀ : ୨୦୧୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳରେ ଗିରଫଦାରୀ ସେତିକି ବଢିବାରେ ଲାଗିଛି । କୁହାଯାଉଛି ଭୋଟ୍ ହାତେଇବା ପାଇଁ ବିଜେପି ଏବେ ନୂଆ ରଣକୌଶଳ ଆପେଣାଇଛି । ସିବିଆଇ କୁ ହାତ କରି ବିପକ୍ଷ ଦଳ ନେତା ମନ୍ତ୍ରୀ ମାନଙ୍କୁ ଏବେ ଜେଲ ପଠାଇବାରେ ଲାଗିଛି । ତେବେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଗିରଫ ପରେ ଏବେ କାହା ପାଳି ପଡିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ତେଲେଙ୍ଗାନା ବିଜେପି ନେତା ବିବେକଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଯାହା ଏବେ ଗିରଫଦାରୀ ବିଷୟବସ୍ତୁକୁ ଆହୁରି ସରଗରମ କରିଛି ।
ଏକ୍ସାଇଜ୍ ପଲିସି ସ୍କାମ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ ହେବା ପରେ ତେଲେଙ୍ଗାନା ବିଜେପି ନେତା ବିବେକ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏମଏଲସି ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ତଦନ୍ତକାରୀ ସଂସ୍ଥା ଶୀଘ୍ର ଗିରଫ କରିପାରେ । ବିଜେପି ନେତା କହିଛନ୍ତି ଯେ ଏହି ମାମଲାରେ ଆଉ କିଛି ଗିରଫ ହେବାର ସମ୍ଭାବନା ରହିଛି। କବିତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯାଇପାରେ ।
ବିବେକ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ଏବଂ ଗୁଜୁରାଟ ନିର୍ବାଚନ ସମୟରେ କବିତା ଆମ୍ ଆଦମୀ ପାର୍ଟିକୁ ୧୫୦ କୋଟି ଟଙ୍କା ଦେଇଛନ୍ତି। କିଛି ଦିନ ପୂର୍ବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏକ୍ସାଇଜ୍ ମାମଲା ସହ ଜଡିତ ଚାର୍ଜସିଟରେ କେସିଆରଙ୍କ ଝିଅର ନାମ ରହିଥିଲା । ଯେଉଁଥିରେ ମଦ କମ୍ପାନୀ ଠାରୁ ୬୫% କମିଶନ ନେଇଥିବା ଅଭିଯୋଗ ହୋଇଥିଲା। ବିଜେପି ନେତା କେସିଆର ନେତୃତ୍ୱାଧୀନ ବିଆରଏସ ସରକାରଙ୍କୁ ଦୁର୍ନୀତିର ଅଭିଯୋଗ କରିଛନ୍ତି ଏବଂ ଦଳ ଶୀଘ୍ର ତେଲେଙ୍ଗାନାରେ ନିଜର ଆଧାର ହରାଇବେ ବୋଲି କହିଛନ୍ତି।
ତେଲେଙ୍ଗାନାର ବିଜେପି ନେତା ବିବେକ କହିଛନ୍ତି ଯେ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ଦଳ ଯେତେବେଳେ ଗଠନ ହେଲା ସେତେବେଳେ କୌଣସି ପାଣ୍ଠି ନାହିଁ। ସେ ଦାବି କରିଛନ୍ତି ଯେ ବର୍ତ୍ତମାନ ଦେଶର ସମସ୍ତ ରାଜନୌତିକ ଦଳ ଅପେକ୍ଷା ଏହି ଦଳ ପାଖରେ ଅଧିକ ପାଣ୍ଠି ରହିଛି ।