ବହୁବିବାହ ପାଇଁ ପ୍ରକୃତରେ ଦାୟୀ କିଏ? ଭାରତରେ ଏନେଇ କ’ଣ ନିୟମ ରହିଛି, NFHSର ରିପୋର୍ଟ କ’ଣ କହୁଛି, ଏହା ଉପରେ କଟକଣା ଲାଗିବା ଜରୁରୀ କି
ନୂଆଦିଲ୍ଲୀ: ବହୁବିବାହକୁ ନେଇ ଭାରତରେ ଗତ କିଛିଦିନ ଧରି ବେଶ୍ ଚର୍ଚ୍ଚା ଜାରି ରହିଛି । ବିଜେପି ସରକାର ଏହା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ରହିଥିବା ବେଳେ ଜଣେ ଅବସରପ୍ରାପ୍ତ ଜଜଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ୬ ମାସ ମଧ୍ୟରେ ନିଜର ରିପୋର୍ଟ ପ୍ରଦାନ କରିବ । ରାଜ୍ୟ ବିଧାୟିକା ବା ଆସାମ ସରକାରଙ୍କ ନିକଟରେ ବହୁବିବାହ ଉପରେ କଟକଣା ଲାଗୁ କରିବାର ଅଧିକାର ରହିଛି କି ନା ସେନେଇ ଏହି କମିଟି ଅନୁଧ୍ୟାନ କରିବ । କମିଟି ଅନୁଚ୍ଛେଦ ୨୫ ସହିତ ମୁସଲିମ ପର୍ସନାଲ ଲ’ ଅଧିନିୟମ, ୧୯୩୭ର ବ୍ୟବସ୍ଥାକୁ ମଧ୍ୟ ଯାଞ୍ଚ କରିବ ।
ଆସାମରୁ ସୃଷ୍ଟି ହୋଇଥିବା ଏହି ବିବାଦ ଧୀରେଧୀରେ ସାରା ଦେଶରେ ବ୍ୟାପିଗଲାଣି । ବହୁବିବାହ ପରି ପ୍ରଥାକୁ ଏକ ଏଜେଣ୍ଡା ଭାବେ ଉପସ୍ଥାପିତ କରି କ୍ଷମତାସୀନ ଦଳ ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି) ଲାଗୁ କରିବାକୁ ଚାହୁଁଛି । ଆସନ୍ତା ୨୦୨୪ ପୂର୍ବରୁ ସରକାର ଏହାକୁ ଲାଗୁ କରିପାରନ୍ତି ବୋଲି ରାଜନୈତିକ ସୂତ୍ରରୁ ଜଣାପଡ଼ିଛି । ତେବେ ୟୁସିସି ଓ ବହୁବିବାହକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଏହା ମଧ୍ୟରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ)ର ଡାଟା ସମସ୍ତଙ୍କୁ ଚକିତ କରିଦେଇଛି । ମୁସଲମାନଙ୍କ ସହିତ ହିନ୍ଦୁ ଓ ଖ୍ରୀଷ୍ଟିୟାନ ଧର୍ମରେ ମଧ୍ୟ ବହୁବିବାହ ଦେଖିବାକୁ ମିଳିଛି ।
ଜଣେ ପୁରୁଷ ଯେତେବେଳେ ଏକାଧିକ ମହିଳାଙ୍କୁ ବିବାହ କରନ୍ତି, ସେତେବେଳେ ତାହାକୁ ବହୁବିବାହ କୁହାଯାଏ । ସେହିପରି ଯଦି ଜଣେ ମହିଳା ଏକ ସମୟରେ ଏକାଧିକ ପୁରୁଷଙ୍କୁ ବିବାହ କରନ୍ତି, ତେବେ ତାହାକୁ ବହୁପତିତ୍ୱ କୁହାଯାଏ । ଭାରତରେ ବହୁବିବାହକୁ ନେଇ ବିଭିନ୍ନ ଧର୍ମରେ ଅଲଗା ଅଲଗା ବ୍ୟବସ୍ଥା ଓ ମାନ୍ୟତା ରହିଛି । ହିନ୍ଦୁ ଧର୍ମରେ ଏକରୁ ଅଧିକ ବିବାହ ଅମାନ୍ୟ ଅଟେ । ଏହି ଧର୍ମରେ ବିବାହକୁ ଜନ୍ମ-ଜନ୍ମର ସମ୍ବନ୍ଧ ବୋଲି ଗ୍ରହଣ କରାଯାଇଥାଏ । ସେଥିପାଇଁ ବିବାହ ସମୟରେ ପତି-ପତ୍ନୀ ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥାନ୍ତି ।
ସେହିପରି ମୁସଲିମ ପର୍ସନାଲ ଲ’ ବୋର୍ଡ ଅନୁସାରେ ୪ ଜଣଙ୍କୁ ବିବାହ ନେଇ ମଞ୍ଜୁରୀ ମିଳିଛି । କେବଳ ଜଣେ ପୁରୁଷ ୪ ଜଣ ମହିଳାଙ୍କୁ ବିବାହ କରିପାରିବ । ଖ୍ରୀଷ୍ଟିଆନ ଧର୍ମରେ ବିବାହକୁ ଏକ ସଂସ୍କାର ଭାବେ ଗ୍ରହଣ କରାଯାଏ । ଏନଏଫଏଚଏସ ଡାଟା ଅନୁଯାୟୀ, ମୁସଲିମଙ୍କ କ୍ଷେତ୍ରରେ ୩.୬ ପ୍ରତିଶତ ବହୁବିବାହ ମାମଲା ଆସିଛି । ବିଶେଷ କରି ବାଂଲାଦେଶରୁ ଆସିଥିବା ମୁସଲମାନଙ୍କ ସଂଖ୍ୟା ବହୁତ ରହିଛି । ମୁସଲମାନଙ୍କ ଅପେକ୍ଷା ହିନ୍ଦୁଙ୍କ କ୍ଷେତ୍ରରେ ବହୁବିବାହ ୧.୮ ପ୍ରତିଶତ ରହିଛି । ୨୦୦୬ ତୁଳନାରେ ୨୦୧୯-୨୧ରେ ବହୁବିବାହରେ ହ୍ରାସ ଘଟିଛି । ୨୦୧୯-୨୧ରେ ୧.୪ ପ୍ରତିଶତ ବହୁବିବାହ ମାମଲା ଆସିଥିବା ବେଳେ ଏହା ୨୦୦୬ ତୁଳନାରେ ୧.୯ ପ୍ରତିଶତ କମ୍ ରହିଥିଲା ।
ତେବେ ବହୁବିବାହର ମୁଖ୍ୟ କାରଣ ଶିକ୍ଷା ଓ ଗରିବୀ ବୋଲି ଆଇଆଇପିଏସ ରିପୋର୍ଟରେ କୁହାଯାଇଛି । ଭାରତରେ ସହର ଅପେକ୍ଷା ଗ୍ରାମାଞ୍ଚଳରେ ବହୁବିବାହ ଅଧିକ ଦେଖିବାକୁ ମିଳିଛି । ଧର୍ମ ଆଧାରରେ ଦେଖିବାକୁ ଗଲେ ଖ୍ରୀଷ୍ଟିଆନଙ୍କ କ୍ଷେତ୍ରରେ ବହୁବିବାହ ଅଧିକ ଦେଖିବାକୁ ମିଳିଛି । ଏହାପରେ ମୁସଲମାନ, ବୌଦ୍ଧ ଓ ହିନ୍ଦୁ ରହିଛନ୍ତି । ଖ୍ରୀଷ୍ଟିଆନ ୨.୧ ପ୍ରତିଶତ, ମୁସଲମାନ ୧.୯ ପ୍ରତିଶତ, ବୌଦ୍ଧ ୧.୫ ପ୍ରତିଶତ ଓ ହିନ୍ଦୁ ୧.୩ ପ୍ରତିଶତ ରହିଛି । ଶିକ୍ଷା ଓ ଗରିବୀ କାରଣରୁ ୨.୪ ପ୍ରତିଶତ ମହିଳା ବହୁବିବାହ କରିଥିବା ଜଣାପଡ଼ିଛି । ମେଘାଳୟରେ ସର୍ବାଧିକ ୬.୧ ପ୍ରତିଶତ ବହୁବିବାହ ମାମଲା ଦେଖିବାକୁ ମିଳିଛି ।