fbpx

ଚାକିରି ଆଶାୟୀଙ୍କ ଠାରୁ ୫୦ ହଜାର ଲେଖାଏଁ ନେଉଥିଲେ କୋଟିପତି ପିଏସ: ଜଣେ ଷ୍ଟେନୋଗ୍ରାଫର ବିଶାଳକାୟ ବିଷ ବୃକ୍ଷ ହେବା ପଛରେ କାହାର ହାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଚାଲିଛି । ଜଣେ ପିଏସଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ଠକାମି ଘଟଣାରେ ଅନେକ ଗିରଫ ହେଉଥିବା ବେଳେ ବିରଞ୍ଚିଙ୍କୁ ନେଇ ଉଠିଛି ଅନେକ ପ୍ରଶ୍ନ । ସେ ଦୀର୍ଘ ୨୮ ବର୍ଷ ଧରି ଷ୍ଟାଫ୍ ସିଲେକ୍ସନ ଅଫିସରେ କାର୍ଯ୍ୟ କରୁଥିଲେ । କୁହାଯାଉଛି, ଚାକିରି ଆଶାୟୀଙ୍କ ଠାରୁ ଜଣ ପିଛା ୫୦ରୁ ୬୦ ହଜାର ଲେଖାଏଁ ଲୁଟୁଥିଲେ । ମୁଖ୍ୟ କଥା ହେଉଛି, ବିରଞ୍ଚି ଏତେବଡ଼ ସ୍କାମ ଏକାକୀ କରିବା କଦାପି ସମ୍ଭବ ହେବନି । ତାଙ୍କ ପଛରେ ନିଶ୍ଚିତ ଭାବରେ କିଛି ବଡ଼ବାବୁଙ୍କ ହାତ ରହିଛି । ବର୍ତ୍ତମାନ ବିରଞ୍ଚି ଗିରଫ ହୋଇସାରିଥିବା ବେଳେ ଏହି ଘଟଣାରେ ଅଧିକ ତଦନ୍ତର ଆବଶ୍ୟକତା ରହିଥିବା ସାଧାରଣରେ କୁହାଯାଉଛି ।

ଜଣାପଡ଼ିଛି ଯେ, ବିରଞ୍ଚି ଷ୍ଟାଫ୍ ସିଲେକ୍ସନ କମିଶନ ଆରମ୍ଭ ହେବା ଦିନଠାରୁ ଅର୍ଥାତ ୧୯୯୩ ମସିହାରୁ ଦୀର୍ଘ ୨୮ ବର୍ଷ ହେଲା ଚାକିରି କରୁଥିଲେ । ତାଙ୍କର ଚାକିରି କାଳରେ ୧୮ ଅଧ୍ୟକ୍ଷ ଓ ୮ ସଦସ୍ୟ ବଦଳି ହୋଇସାରିଥିଲେ ହେଁ ତାଙ୍କର ବଦଳି ହୋଇନଥିଲା । କ’ଣ ପାଇଁ ଜଣେ ସରକାରୀ ଚାକିରିଆ ଗୋଟିଏ ସ୍ଥାନରେ ଦଶନ୍ଧି ଦଶନ୍ଧି ଧରି ପଡ଼ି ରହିବେ, ତାହାକୁ ନେଇ ସନ୍ଦେହ ଉପୁଜିଛି । ସେ ଦୁର୍ନୀତିର ଚେରକୁ ପାଥେୟ କରି ସାଧାରଣ ଷ୍ଟେନୋରୁ ପ୍ରାଇଭେଟ ସେକ୍ରେଟାରୀ ହୋଇପାରିଥିଲେ । ଜଣେ ସାଧାରଣ ଷ୍ଟେନୋଙ୍କର ଜବ୍ ଷ୍ଟାଟସ୍ ଯାହା, ସେ କଦାପି କୋଟି କୋଟି ଟଙ୍କାର ଠକାମି ନିଜେ ନିଜେ କରିପାରିବ ନାହିଁ । ଏହା ପଛରେ ଆହୁରି ଅନେକ ଶିକ୍ଷା ଦଲାଲଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । ଜଣାପଡ଼ିଛି ଯେ, ପରୀକ୍ଷା ରେଜଲ୍ଟ ଘୋଷଣା ହେବା ପୂର୍ବରୁ ରେଜଲ୍ଟର ଲିଷ୍ଟ ବିରଞ୍ଚିଙ୍କ ପାଖରେ ପହଞ୍ଚି ଯାଉଥିଲା । ତେଣୁ ସେ ପିଲାଙ୍କଠାରୁ ଜଣ ପିଛା ୫୦ରୁ ୬୦ ହଜାର ଟଙ୍କା ଦାବି କରୁଥିଲେ । ସେ ବଡ଼ବଡ଼ିଆ ଅଫିସରଙ୍କୁ ଧରାଧରି କରି ଚାକିରି କରାଉଥିବା ଶୁଣାଯାଉଛି । ଏଠାରେ ପ୍ରଶ୍ନ ଉଠୁଛି, ଜଣେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଖକୁ କିପରି ରେଜଲ୍ଟ ଗୁପ୍ତଭାବେ ଆସୁଥିଲା? କିଏ ପଠାଉଥିଲା? ଯଦି ଏହି କଥା ସତ ହୋଇଥାଏ, ତେବେ ଦିନରାତି କଷ୍ଟ କରି ଚାକିରି ପାଇଁ ପାଠ ପଢ଼ୁଥିବା କେତେ ଗରିବ ପିଲାଙ୍କ ଜୀବନ ନଷ୍ଟ ହୋଇଥିବ, ତାହା କଳ୍ପନା ବାହାରେ । ବିରଞ୍ଚିଙ୍କର ୧୪ଟି ପ୍ଲଟ୍ ରହିଥିବା ବେଳେ ତାଙ୍କଠାରୁ ପ୍ରାୟ ୪ କୋଟି ଟଙ୍କା ଜବତ କରାଯାଇଛି । ତେବେ ପରୀକ୍ଷାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରହିଥିବା ନେଇ ଓଏସଏସସି ଅଧ୍ୟକ୍ଷ ନିର୍ମଳ ମିଶ୍ର ପ୍ରତିକ୍ରିୟା ରଖିଥିଲେ ମଧ୍ୟ ଏହି ଘଟଣାରେ ଅଧିକ ତଦନ୍ତ କଲେ ଗୁମର ଫିଟି ପାରନ୍ତା ବୋଲି କୁହାଯାଉଛି ।

Get real time updates directly on you device, subscribe now.