ନୂଆଦିଲ୍ଲୀ: ଟ୍ୟୁବରକୁଲସିସ (ଟିବି)କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ଚାଞ୍ଚଲ୍ୟକର ରିପୋର୍ଟ । ୨୦୨୩ରେ ୮୦ଲକ୍ଷ ଏହି ରୋଗରେ ସଂକ୍ରମିତ ହୋଇଥିଲେ । ଏଥିସହ ରିପୋର୍ଟରେ ଦର୍ଶା ଯାଇଛି କି, ଗତ ବର୍ଷ ୧.୨୫ ମିଲିୟନ ଲୋକ ଟିବିରେ ମୃତ୍ୟୁବରଣ କରିଥିଲେ, ଯାହା ଗତ ବର୍ଷ ଏଚଆଇଭିରେ ମରିଥିବା ଲୋକଙ୍କ ସଂଖ୍ୟାର ଦୁଇଗୁଣା ।
ଡବ୍ଲୁଏଚଓ ଅନୁଯାୟୀ, ଟିବି ସବୁଠାରୁ ଅଧିକ ପ୍ରଭାବ ଦେଖାଇଛି ଦକ୍ଷିଣ ପୂର୍ବ ଏସିଆ, ଆଫ୍ରିକା, ପଶ୍ଚିମ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ । ମୁଖ୍ୟତଃ ୫ଟି ଦେଶରେ ବିଶ୍ୱର ଟିବି ସଂକ୍ରମିତଙ୍କ ମଧ୍ୟରୁ ଅଧାରୁ ଅଧିକ ରହିଛନ୍ତି । ଏହି ସବୁ ଦେଶ ହେଉଛି ଭାରତ, ଇଣ୍ଡୋନେସିଆ, ଚୀନ, ଫିଲିଫାଇନ୍ସ ଓ ପାକିସ୍ତାନ । ହୁ ମହାନିର୍ଦ୍ଦେଶକ ଟେଡ୍ରୋସ ଘେବିୟସ ଟିିବିକୁ ନେଇ କହିଛନ୍ତି କି, ଏହି ରୋଗ ଚିହ୍ନଟ, ଚିକିତ୍ସା ପାଇଁ ଆମ ନିକଟରେ ଉପକରଣ ରହିଛି । ତଥାପି ଏତେ ସଂଖ୍ୟାରେ ଲୋକ ପ୍ରତିବର୍ଷ ସଂକ୍ରମିତ ହେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି, ଯାହା ଚିନ୍ତାଜନକ । ତେବେ ବିଶ୍ୱସ୍ତରରେ ଟିବିର ସଂକ୍ରମଣ ସ୍ଥିତି ସ୍ଥିର ରହିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଆସିଲାଣି ।
ଟିବି ହେଉଛି ଫୁସଫୁସ ସଂକ୍ରମଣଜନିତ ଏକ ରୋଗ । ଏହା ମାଇକ୍ରୋବ୍ୟାକ୍ଟେରିୟମ ଟ୍ୟୁବରକୁଲସିସ ନାମକ ଜୀବାଣୁ ଦ୍ୱାରା ହୋଇଥାଏ । ଏହା ମୁଖ୍ୟତଃ ବାୟୁବାହିତ ସଂକ୍ରମଣ । କାଶ, ଛିଙ୍କରେ ଆସୁଥିବା କଣିକା ଅନ୍ୟ ଲୋକଙ୍କୁ ସଂକ୍ରମିତ କରିପାରେ । ଏହି ଜୀବାଣୁ ସଂକ୍ରମଣକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବା କଷ୍ଟକର ହୋଇଥାଏ । ଏହାର ଚିକିତ୍ସା ପାଇଁ ବହୁତ ଔଷଧ, ଆଣ୍ଟିବାୟୋଟିକ୍ସ ଉପବଲ୍ଧ ହେଲାଣି ।
ଯେତେବେଳେ କୌଣସି ବ୍ୟକ୍ତିଙ୍କ କାଶ ୩ ମାସରୁ ଅଧିକ ସମୟ ଲାଗିରହିବ, ଏହା ଟିବିକୁ ଦର୍ଶାଇଥାଏ । ତେବେ କାଶ ସହ ହାଲକା ଜ୍ୱର, ଥଣ୍ଡା ଅନୁଭବ ହେବା, ଶରୀରରେ ଯନ୍ତ୍ରଣା ହେବା ସହ ଅନ୍ୟ ସମସ୍ୟା ଏହି ରୋଗର ଲକ୍ଷଣ । ତେଣୁ ଏହିସବୁ ଲକ୍ଷଣ ୧୫ ଦିନରୁ ଅଧିକ ସମୟ ଧରି ଲାଗି ରହିଲେ ନିଜର ପରୀକ୍ଷା କରାଇନେବା ଉଚିତ୍ ।