fbpx

ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ମୁଖ୍ୟମନ୍ତ୍ରୀ ରେସରେ କିଏ ? ହୋଇପାରେ ମଧ୍ୟବର୍ତ୍ତୀ ନିର୍ବାଚନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ଦେଶରେ ହଙ୍ଗାମା ଦେଖାଦେଇଛି । ଦିଲ୍ଲୀର ପାରା ବଢିବାରେ ଲାଗିଛି । ଆମ ଆଦମୀ ପାର୍ଟୀ(ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଆଜି ଘୋଷଣା କରି କହିଛନ୍ତି ଯେ, ଦୁଇ ଦିନ ପରେ ମୁଁ ନିଜ ପଦରୁ ଇସ୍ତଫା ଦେବି ।

କେଜ୍ରିଓ୍ବାଲ କହିଛନ୍ତି, ଯେତେବେଳେ ଲୋକେ ମୋତେ ସଚ୍ଚୋଟ୍ଟତାର ପ୍ରମାଣପତ୍ର ଦେବେ ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ପଦରେ ବସିବି । ମୁଁ ଜେଲରୁ ଆସି ଅଗ୍ନି ପରୀକ୍ଷା ଦେବାକୁ ଚାହୁଁଛି । ଯେତେବେଳେ ଲୋକେ ମୋତେ ମୁଖ୍ୟମନ୍ତ୍ରୀ ଭାବେ ଏବଂ ମନୀଷ ସିସୋଦିଆଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ସ୍ବିକାର କରିବେ ସେତେବେଳେ ଆମେ ଦୁହେଁ ପଦବୀରେ ବସିବୁ । ତେବେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ, ସିସୋଦିଆ ମୁଖ୍ୟମନ୍ତ୍ରୀ ରେସରେ ନାହାନ୍ତି । ସୁତ୍ରରୁ ଜଣାପଡିଛି ଯେ, ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ଆତିଶୀ ।  ତେବେ ବିଧାୟକ ଦଳ ବୈଠକରେ ସୌରଭ ଭରଦ୍ବାଜଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା ।

କେଜ୍ରିଓ୍ବାଲ ଇସ୍ତଫା ଦେବା ପରେ କଣ ହେବ- ତେବେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ଦିଲ୍ଲୀକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ । ବିଧାୟକ ଦଳ ବୈଠକରେ ନୂଆ ନେତାଙ୍କୁ ବଛାଯିବ । ଏହାର ଅର୍ଥ ଦଳ କୌଣସି ନୂଆ ଚେହେରାକୁ ମୌକା ଦେଇପାରେ । କିନ୍ତୁ ସଂଜୟ ସିଂଙ୍କର ବୟାନକୁ ଦେଖିଲେ ଏହା ଅଲଗା ନିର୍ଦ୍ଦେଶ ଭଳି ମନେ ହେଉଛି । ସେ ବୟାନ ଦେଇ କହିଛନ୍ତି, ଜନତା ବର୍ତ୍ତମାନ କେଜ୍ରିଓ୍ବାଲଙ୍କ ରାଜନୈତିକ ଭବିଷ୍ୟତ ସ୍ଥିର କରିବେ ।

ଅନ୍ୟପଟେ ଯଦି ଦେଖିବା ଆପ୍ କୌଣସି ନୂଆ ନେତା ବାଛି ବିଧାନସଭା ଭଙ୍ଗ କରିବା ପାଇଁ ଦାବି କରିପାରେ । ଏଭଳି ପରିସ୍ଥିତିରେ ରାଜ୍ୟପାଳ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତାଙ୍କୁ ମଧ୍ୟ ସରକାର ଗଠନ କରିବା ପାଇଁ ଆମନ୍ତ୍ରିତ କରିପାରନ୍ତି । ଦିଲ୍ଲୀ ବିଧାନସଭାରେ ମୋଟ 70 ସିଟ୍ ରହିଛି । ବହୁମତ ପାଇଁ 36 ସିଟର ଆବଶ୍ୟକତା ରହିଛି । 2020ରେ ହୋଇଥିବା ବିଧାନସଭା ନିର୍ବାଚନରେ ଆପ୍ 62 ସିଟ୍ ସହିତ ବିପୁଳ ମାତ୍ରାରେ ବହୁମତ ହାସଲ କରିଥିଲା ।

ସେହିପରି ଯଦି ବିଧାନସଭା ଭଙ୍ଗ ହୁଏ ତାହାଲେ ରାଜ୍ୟରେ ପୁଣି ଥରେ ନିର୍ବାଚନ ହେବ । ଏହାକୁ ମଧ୍ୟବର୍ତ୍ତୀ ନିର୍ବାଚନ କୁହାଯାଏ । ସମ୍ବିଧାନର ଅନୁଚ୍ଛେଦ 174(2) B ଅନୁସାରେ ବିଧାନସଭା ଭାଙ୍ଗିବାର 6 ମାସ ମଧ୍ୟରେ ନିର୍ବାଚନ କରିବା ଜରୁରୀ ଅଟେ । ନିର୍ବାଚନ ହୋଇ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ।

Get real time updates directly on you device, subscribe now.