fbpx

NCPର ପ୍ରକୃତ ବସ୍ କିଏ? ଶରଦଙ୍କୁ ପ୍ରମାଣ ମାଗିଲେ ନିର୍ବାଚନ ଆୟୋଗ, କ’ଣ ରହିଛି ନିୟମ, ଆଗକୁ କ’ଣ ଘଟିବ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ବିଭାଜନ ପରେ ଦାଦା ଶରଦ ପାୱାର ଓ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ଦଳର ଅଧ୍ୟକ୍ଷ ପଦକୁ ନେଇ ବିବାଦ ଜାରି ରହିଛି । ଦଳରୁ ବାହାରିଯାଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ ଦାଦା ଶରଦଙ୍କୁ ଏକାଧିକ ଥର ସାକ୍ଷାତ କରିସାରିଛନ୍ତି । ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଅଧ୍ୟକ୍ଷ ପଦକୁ ନେଇ ଦାବି କରାଯାଇଥିଲା । ତେବେ ଏହା ମଧ୍ୟରେ ନିର୍ବାଚନ ଆୟୋଗ ଶରଦଙ୍କ ନିକଟକୁ ନୋଟିସ ପଠାଇ ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି । ଏହା ପରେ ଜଣାପଡ଼ିବ ଦଳ ହେବ କାହାର ।

ପୂର୍ବରୁ ଶରଦଙ୍କ ଗୋଷ୍ଠୀ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ୪ ସପ୍ତାହ ସମୟ ମଗାଯାଇଥିଲା । ଅନ୍ୟପକ୍ଷରେ ପୂର୍ବରୁ ଅଜିତଙ୍କ ଗୋଷ୍ଠୀ ଆୟୋଗଙ୍କ ନିକଟରେ ନିଜର ଜବାବ ଦାଖଲ କରିସାରିଛନ୍ତି । ଗତ ଜୁନ ମାସ ୩୦ ତାରିଖରେ ଅଜିତଙ୍କ ଗୋଷ୍ଠୀ ତାଙ୍କୁ ଏନସିପିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ଏଥିସହିତ ସେମାନେ ଅସଲ ଏନସିପି ଓ ସେମାନଙ୍କ ନିକଟରେ ନିର୍ବାଚନୀ ଚିହ୍ନ ରହିବ ବୋଲି ଯାଚିକା ଦାୟର କରାଯାଇଥିଲା । ତେବେ ଏହା ମଧ୍ୟରେ ଶରଦ କହିଛନ୍ତି, ତାଙ୍କର ନିର୍ବାଚନୀ ଚିହ୍ନ ବିପଦ ମଧ୍ୟରେ ରହିଛି । ଅଜିତଙ୍କ ଗୋଷ୍ଠୀଙ୍କୁ ଦଳର ନିର୍ବାଚନୀ ଚିହ୍ନ ମିଳିପାରେ । ଶିବସେନା ବିବାଦକୁ ନେଇ ଆସିଥିବା ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଶରଦ ଏପରି କହିଛନ୍ତି ।

ତେଣୁ ଏପରି ସ୍ଥିତିରେ ଦଳ କାହାର ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୁଇ ଗୋଷ୍ଠୀଙ୍କ ପ୍ରମାଣକୁ ଆଧାର କରି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ । ଯେଉଁ ଗୋଷ୍ଠୀକୁ ଦଳର ନିର୍ବାଚନୀ ଚିହ୍ନ ମିଳିବ ସେହି ଗୋଷ୍ଠୀଙ୍କୁ ଦଳ ବୋଲି ଗ୍ରହଣ କରାଯିବ । ଯେତେବେଳେ ଗୋଟିଏ ପାର୍ଟି ଦୁଇ ଭାଗରେ ବିଭାଜନ ହୁଏ, ସେ କ୍ଷେତ୍ରରେ ନିର୍ବାଚନ ଆୟୋଗ ବହୁମତ ଥିବା ଗୋଷ୍ଠୀକୁ ପାର୍ଟି ବୋଲି ଗ୍ରହଣ କରିଥାନ୍ତି । ପୂର୍ବରୁ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଥିଲା ।

ଯେ କୌଣସି ଦଳର ଅସଲି ବସ କିଏ ତା’ର ନିଷ୍ପତ୍ତି ମୁଖ୍ୟତଃ ୩ଟି ଜିନିଷକୁ ନେଇ ସ୍ଥିର କରାଯାଇଥାଏ । ପ୍ରଥମ- କାହା ପାଖରେ ଅଧିକ ନିର୍ବାଚିତ ପ୍ରତିନିଧି ରହିଛନ୍ତି । ଦ୍ୱିତୀୟ- ଅଫିସର ପଦାଧିକାରୀ କାହା ପାଖରେ ଅଧିକ ରହିଛନ୍ତି । ତୃତୀୟ- ସମ୍ପତ୍ତି କାହା ପାଖରେ ରହିଛି । ଯେଉଁ ଗୋଷ୍ଠୀ ପାଖରେ ଅଧିକ ସାଂସଦ- ବିଧାୟକ ରହିଥିବେ ସେହି ଗୋଷ୍ଠୀକୁ ପାର୍ଟି ବୋଲି ଗ୍ରହଣ କରାଯାଇଥାଏ । ଏହି କାରଣରୁ ଶିବସେନା ବିଭାଜନ ପରେ ଶିନ୍ଦେ ଗୋଷ୍ଠୀକୁ ଅସଲି ପାର୍ଟି ବୋଲି ଗ୍ରହଣ କରାଯିବା ସହିତ ସେମାନଙ୍କୁ ଦଳର ନିର୍ବାଚନୀ ଚିହ୍ନ ମିଳିଥିଲା ।

ଶିବସେନାର ମୋଟ ୫୫ ଜଣ ବିଧାୟକଙ୍କ ମଧ୍ୟରୁ ଏକନାଥ ଶିନ୍ଦେ ଗୋଷ୍ଠୀ ପାଖରେ ୪୦ ଜଣ ବିଧାୟକ ରହିଥିଲେ । ସେହିପରି ମୋଟ ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୩ ଜଣ ସାଂସଦ ଶିନ୍ଦେ ଗୋଷ୍ଠୀଙ୍କୁ ସମର୍ଥନ କରିଥିଲେ । ଅନୁରୂପ ଭାବେ ମହାରାଷ୍ଟ୍ର ବିଧାନସଭାରେ ଏବେ ଏନସିପିର ୫୩ ଜଣ ବିଧାୟକ ରହିଛନ୍ତି । ଅଜିତଙ୍କ ନିକଟରେ ୪୦ ଜଣ ବିଧାୟକ ରହିଥିବା ତାଙ୍କ ଗୋଷ୍ଠୀ ଦାବି କରିଛନ୍ତି । ମାତ୍ର ଶରଦଙ୍କ ଗୋଷ୍ଠୀ ଏହି ଦାବିକୁ ଖାରଜ କରିଦେଇଥିଲେ । ଜୁଲାଇରେ ହୋଇଥିବା ଶରଦଙ୍କ ଗୋଷ୍ଠୀ ମିଟିଂରେ ୧୩ ଜଣ ବିଧାୟକ ପହଞ୍ଚିଥିଲେ । ଦଳର ଅଧିକାଂଶ ବିଧାୟକ ଅଜିତଙ୍କ ପାଖରେ ରହିଥିବା ବେଳେ ଶରଦଙ୍କ ପାଖରେ ଏବେ ୫ ଜଣ ସାଂସଦ ରହିଛନ୍ତି ।

Get real time updates directly on you device, subscribe now.