fbpx

ଜଣେ ମାଷ୍ଟର- ଜଣେ ମାଷ୍ଟର ବ୍ଲାଷ୍ଟର: ୧୯୯ଟି ଶତକ, ୨୭୩ଟି ଅର୍ଦ୍ଧଶତକ, ୬୧ ହଜାର ରନ୍ ରେକର୍ଡ ଆଜି ବି ଅତୁଟ

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଦିନିକିଆ ଓ ଟେଷ୍ଟର ରେକର୍ଡ ଭାଙ୍ଗିବା ଆଜିର କ୍ରିକେଟରଙ୍କର ସବୁଠାରୁ ବଡ଼ ସ୍ୱପ୍ନ । ସଚିନ ଦିନିକିଆରେ ୪୯ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୫୧ଟି ଶତକ ହାସଲ କରି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଶତକର ଶତକ ଘରେ ନିଜକୁ ସାମିଲ କରିପାରିଛନ୍ତି । ଏଥିସହିତ ସେ ଦିନିକିଆରେ ୯୬ଟି ଓ ଟେଷ୍ଟରେ ୬୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସଚିନ ଏହି ଦୁଇ ଫର୍ମାଟରେ ୩୪ ହଜାରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ତେନ୍ଦୁଲକରଙ୍କର ରେକର୍ଡ ବିରାଟ କୋହଲି ଅତିକ୍ରମ କରିପାରିବେ ବୋଲି ଆଶା କରାଯାଉଛି ।

ତେବେ ବିଶ୍ୱ କ୍ରିକେଟ ଇତିହାସରେ ଏପରି ଜଣେ କ୍ରୀଡ଼ା ପ୍ରତିଭା ଥିଲେ ଯାହାଙ୍କର ରେକର୍ଡ ଆଜି ପର୍ଯ୍ୟନ୍ତ କେହି ବି ଭାଙ୍ଗି ପାରି ନାହାନ୍ତି । ଏପରି ଜଣେ ବିରଳ କ୍ରିକେଟର ହେଉଛନ୍ତି ଇଂଲଣ୍ଡର ଜ୍ୟାକ୍ ହବ୍ସ । ଜ୍ୟାକ ୧୯୯ଟି ଶତକ, ୨୭୩ଟି ଅର୍ଦ୍ଧଶତକ ସହିତ ୬୧ ହଜାରରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ସେ ନିଜର କ୍ୟାରିୟର ମଧ୍ୟରେ ୮୩୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ । ୧୯୦୫ରୁ ୧୯୩୪ ମଧ୍ୟରେ ଦୀର୍ଘ ୨୯ ବର୍ଷ ଧରି କ୍ରିକେଟ ଖେଳିବା ପରେ ସେ ୫୨ ବର୍ଷ ବୟସରେ ଅବସର ଗ୍ରହଣ କରିଥିଲେ ।

ଜ୍ୟାକ୍ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ଏହିସବୁ ରେକର୍ଡ ସ୍ଥାପନ କରିଛନ୍ତି । ମାତ୍ର ସଚିନ ଅନ୍ତର୍ଜାତୀୟ କ୍ରିକେଟ ଖେଳି ସମସ୍ତ ରେକର୍ଡ ସ୍ଥାପନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ସର୍ବଦା ଆଗରେ ରହିବ । ମାତ୍ର ଜଣେ କ୍ରୀଡ଼ାବିତଙ୍କ ଅବିଶ୍ୱସନୀୟ ପ୍ରଦର୍ଶନକୁ କ୍ରୀଡ଼ାପ୍ରେମୀ କେବେ ବି ଭୁଲି ପାରିବେ ନାହିଁ । ଜ୍ୟାକଙ୍କ ପରି ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏହି ବିଶ୍ୱବକ୍ଷରେ ଜନ୍ମଗ୍ରହଣ କରିଥିଲେ ତାହା ବୋଧହୁଏ ଅନେକ କ୍ରୀଡ଼ାପ୍ରେମୀ ଜାଣିନଥିବେ । ସେଥିପାଇଁ ଜ୍ୟାକଙ୍କୁ ‘ଦି ମାଷ୍ଟର’ କୁହାଯାଏ । ତେବେ କେବଳ ଜ୍ୟାକ ନୁହନ୍ତି ଏଭଳି ବିଶ୍ୱର ୨୦ ଜଣ ବ୍ୟାଟ୍ସମ୍ୟାନ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୦ରୁ ଅଧିକ ଶତକ ହାସଲ କରିଛନ୍ତି । ଇଂଲଣ୍ଡ ପ୍ୟାଟସି ହେଣ୍ଡ୍ରେନ ୧୭୦ଟି ଶତକ ହାସଲ କରିଛନ୍ତି ।

Get real time updates directly on you device, subscribe now.