fbpx

ବିହାରରେ ଛୁଟିବ ମଦର ବନ୍ୟା, ପିକେ ଦେଲେ ପ୍ରାକ୍ ନିର୍ବାଚନୀ ପ୍ରତିଶ୍ରୁତି

ପାଟନା: ବିହାରରେ ବିଧାନସଭା ନିର୍ବାଚନକୁ ଅଛି ଆଉ ଗୋଟିଏ ବର୍ଷ । କିନ୍ତୁ ଏବେଠାରୁ ରାଜ୍ୟରେ ରାଜନେତା ହୋଇଗଲେଣି ଆକ୍ଟିଭ । ନୀତିଶଙ୍କ ବିକଳ୍ପ ରୂପେ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚିବାକୁ ଦୁଇ ନେତା ଚଳାଇଛନ୍ତି କସରତ । ଜଣେ ଆରଡେଜିର ତେଜସ୍ୱୀ ଯାଦବ ତ ଅନ୍ୟ ଜଣକ ହେଲେ ଭାରତ ରାଜନୀତିର ଭବିଷ୍ୟ ବକ୍ତା ପ୍ରଶାନ୍ତ କିଶୋର । ପ୍ରଶାନ୍ତ ଦୁଇ ବର୍ଷ ହେଲା ନିର୍ବାଚନ ପାଇଁ ଫିଲ୍ଡ ପ୍ରସ୍ତୁତ କରିବାରେ ଲାଗିଛନ୍ତି ଅନ୍ୟପଟେ ତଜସ୍ୱୀ ସକ୍ରିୟ ହୋଇପଡିଛନ୍ତି ।

୨୦୨୫ରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯଦି ପଲ୍ଟୁ ରାମ ପଲଟି ନ ମାରନ୍ତି, ତେବେ ବିହାର ନିର୍ବାଚନ ରାଜନୀତିରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅପସରି ଯିବେ । କାରଣ ଗତ ନିର୍ବାଚନରେ ଯେତେବେଳେ ସରକାର ବିରୋଧୀ ହାୱା ବହିଥିଲା, ସେତେବେଳେ ନୀତିଶ କହିଥିଲେ, ୨୦୨୦ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ । ଯଦି ନିଜ କଥାରୁ ନୀତିଶ ପଲଟି ନ ମାରନ୍ତି, ତେବେ ଆଗାମୀ ନିର୍ବାଚନରେ ନୀତିଶ ମୈଦାନରୁ ଆଉଟ ହୋଇଯିବେ । ନୀତିଶ ପଲ୍ଟୁ ରାମ ଭାବେ ପରିଚିତ ଥିଲେ ମଧ୍ୟ ରାଜ୍ୟବାସୀଙ୍କ ଦୁର୍ବଳ ନାଡି ଭଲଭାବେ ଚିହ୍ନିଛନ୍ତି । ସମୟ ଅନୁଯାୟୀ ନିଜ ଅଭିଜ୍ଞତା ଆଧାରରେ ଏମିତି ଗୋଟି ଚାଳନା କରନ୍ତି କି, ଲୋକେ ତାଙ୍କ ଫାଶରେ ଫସିଯାଇଥାନ୍ତି । ଆଉ ନିଜକୁ ଜଣେ ଜନନେତା ଭାବେ ପରିଚୟ ସୃଷ୍ଟି କରିଛନ୍ତି ।

ଆଗାମୀ ନିର୍ବାଚନରେ ନୀତିଶ ପ୍ରତିଦ୍ୱନ୍ଦ୍ୱିତା ନ କରିବାର ବହୁ ସମ୍ଭାବନା ରହିଛି । ତେଣୁ ନୀତିଶଙ୍କ ସ୍ଥାନ ନେବାକୁ ଏବେ ପିକେ ଓ ତେଜସ୍ୱୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଅଦୃଶ୍ୟ ଲଢେଇ । ଅବଶ୍ୟ ପିକେ କୌଣସି ସ୍ଥାନରେ ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ଭାବେ ଘୋଷଣା କରି ନାହାନ୍ତି, କିନ୍ତୁ ତାଙ୍କ ଜନ ସୂରାଜ ପାର୍ଟିର ମୁଖିଆ ହୋଇଥିବାରୁ ସେ ହିଁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର । ସେଥିପାଇଁ ତ ଦୁଇ ବର୍ଷ ପୂର୍ବେ ଆରମ୍ଭ କରିଥିବା ଜନ ସୂରାଜ ଯାତ୍ରା କାଳରେ ସରକାରର ଦୋଷ ଦୁର୍ବଳତା ଗଣେଇବା ସହ ତାଙ୍କ ଦଳ ସରକାରକୁ ଆସିଲେ କଣ କରିବେ, କଣ ଗୋଟିଏ ସରକାର ପାଇଁ କରିବା ଜରୁରୀ ତାକୁ ନେଇ ଜନତାଙ୍କ ମଧ୍ୟକୁ ଯାଇଥିଲେ ।

ତୃଣମୂଳସ୍ତରରେ ପହଞ୍ଚି ଜନ ସଚେତନତା ସୃଷ୍ଟି କରିବା ସହ ଦଳର ନିଆଁ ଦେଇଥିଲେ । ସଦସ୍ୟ ସଂଗ୍ରହ କରିଥିଲେ । ତେବେ ପ୍ରଶାନ୍ତଙ୍କ ଏହି ଦାବି ଯେତିକି ଲୋକଙ୍କୁ ଆକୃଷ୍ଟ କରିନାହିଁ, ତାଠାରୁ ଅଧିକ ଆକୃଷ୍ଟ କରିଛି ତାଙ୍କ ଦଳ ସରକାରକୁ ଆସିଲେ ମଦ ବନ୍ଦ ନୀତି ହଟାଇବାକୁ କରିଥିବା ଘୋଷଣା । ଏହି ଘୋଷଣା ପରେ ଏବେ ଚର୍ଚ୍ଚାରେ ପ୍ରଶାନ୍ତ କିଶୋର । ତାଙ୍କ ଏହି ପ୍ରୟାସ ତାଙ୍କ ଦଳକୁ ଆଗାମୀ ଦିନରେ ସହାୟକ ହେବ ବୋଲି ବିଶେଷଜ୍ଞ କହୁଛନ୍ତି । କାରଣ ଦେଶରେ ରାଜନୈତିକ ରଣନୀତିକାର ଭାବେ ପ୍ରଶାନ୍ତଙ୍କ ଗଭୀର ଜ୍ଞାନ ରହିଛି । ତାଙ୍କ ରଣନୀତିକୁ ନେଇ ମମତା ବାନାର୍ଜି, ଜଗନ ରେଡ୍ଡୀ ଏମିତି କି ନୀତିଶ କୁମାର ସରକାର ଗଠନ କରିବାରେ ସହାୟକ େହୋଇଥିଲେ ।

ସେପଟେ ତେଜସ୍ୱୀଙ୍କୁ ଆରଜେଡିର ସମର୍ଥନ ସହ ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ଭାବେ କାମ କରୁଥିବା ବେଳେ ଶିକ୍ଷକ ନିଯୁକ୍ତି ତେଜସ୍ୱୀଙ୍କୁ ଲୋକଙ୍କ ପ୍ରିୟ କରିବାରେ ସକ୍ଷମ ହୋଇଛି । ଏହା ବ୍ୟତୀତ ଏବେ ତେଜସ୍ୱୀ ନୀତିଶଙ୍କ ସ୍ଥାନ ନେବାକୁ ମଧ୍ୟ ଦିନ, ରାତି କର୍ମକର୍ତ୍ତାଙ୍କ ସହ ଯୋଗସୂତ୍ର ସ୍ଥାପନରେ ଲାଗିଛନ୍ତି ।
ଏପରି ସମୟରେ କିଏ ନୀତିଶଙ୍କ ବିକଳ୍ପ ହେବେ ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ।

Get real time updates directly on you device, subscribe now.