fbpx

ଇଂଲଣ୍ଡ ବିପକ୍ଷରେ ବଦଳିଯିବେ ଟିମ ଇଣ୍ଡିଆର କୋଚ: ଟି-୨୦ ସିରିଜରେ କିଏ ନେବେ ଦାୟିତ୍ୱ?

ନୂଆଦିଲ୍ଲୀ: ଏବେ ଇଂଲଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଦଳ । ଉଭୟ ଦଳ ଏବେ ପଞ୍ଚମ ଟେଷ୍ଟ ଖେଳୁଥିବା ବେଳେ ଏହାପରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ । ଆନ୍ତା ଜୁଲାଇ ୭ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରୁ ଗସ୍ତ ଆରମ୍ଭ କରିବ ଭାରତ । ତେବେ ଏହି ସିରିଜରେ ଦଳର ନିୟମିତ କୋଚ ରାହୁଲ ଦ୍ରାବିଡଙ୍କ ବ୍ୟତୀତ ଅନ୍ୟ ଜଣେ ମୁଖ୍ୟ କୋଚ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ କୋଚିଂ କରିବେନି ରାହୁଲ ଦ୍ରାବିଡ । ତାଙ୍କ ସ୍ଥାନରେ ଏନସିଏର ମୁଖ୍ୟ ଭିଭିଏସ ଲକ୍ଷ୍ମଣ ଦଳର କୋଚ ଭାବେ ନିୟୋଜିତ ହୋଇଛନ୍ତି । ୫ ତାରିଖରେ ଟେଷ୍ଟ ମ୍ୟାଚ ଶେଷ ହେବାକୁ ଥିବା ବେଳେ ୭ ତାରିଖ ଆରମ୍ଭ ହେଉଛି ଟି-୨୦ ସିରିଜ । ତେଣୁ ଏହି ମ୍ୟାଚରେ କୋଚ ରାହୁଲ ଦ୍ରାବିଡଙ୍କୁ ସାମାନ୍ୟ ବିଶ୍ରାମ ଦେବା ପାଇଁ ଚିନ୍ତା କରିଛି ବିସିସିଆଇ । ଟେଷ୍ଟ ଏବଂ ଟି-୨୦ ସିରିଜ ମଧ୍ୟରେ ମାତ୍ର ଗୋଟିଏ ଦିନ ଗ୍ୟାପ ରହିଥିବାରୁ ଏହି ମ୍ୟାଚରେ ଦ୍ରାବିଡଙ୍କୁ ଆରାମ ଦେବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଅବଶିଷ୍ଟାଂଶ ମ୍ୟାଚରେ ପୁଣି ଥରେ ସେ ନିଜ ଦାୟିତ୍ୱକୁ ଫେରିବେ ।

ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଆୟରଲାଣ୍ଡ ଗସ୍ତ କରିଥିଲା । ଦୁଇ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ମୂଳପୋଛ କରିଥିଲା ପାଣ୍ଡ୍ୟା ପଲଟନ । ଏହି ସିରିଜରେ ଭିଭିଏସ ଲକ୍ଷ୍ମଣଙ୍କୁ କୋଚ ଭୂମିକାରେ ଦଳ ସହିତ ଆୟରଲାଣ୍ଡ ପଠାଯାଇଥିଲା । କେବଳ କୋଚ ନୁହେଁ, ପ୍ରଥମ ଟି-୨୦ ମ୍ୟାଚ ପାଇଁ ସ୍ୱତନ୍ତ୍ର ଦଳ ମଧ୍ୟ ଚୟନ କରିଛି ବିସିସିଆଇ । ତେବେ ଶେଷ ଦୁଇଟି ମ୍ୟାଚ ଏବଂ ଦିନିକିଆ ସିରିଜ ପାଇଁ ଅନ୍ୟ ଦଳ ରହିଛନ୍ତି ।

Get real time updates directly on you device, subscribe now.