fbpx

କାହିଁକି ଧାଡି ବାନ୍ଧି ଚାଲିଥାନ୍ତି ପିମ୍ପୁଡି? ଆଶ୍ଚର୍ଯ୍ୟ କରିଦେବ ଏହାର କାରଣ

ନୂଆଦିଲ୍ଲୀ: ସବୁ ସମୟରେ ଦଳଗତ ଭାବରେ ରହିଥାନ୍ତି ପିମ୍ପୁଡି ଏବଂ ଜନ୍ଦା । ତେଣୁ ଏମାନଙ୍କୁ ଅତ୍ୟଧିକ ସାମାଜିକ କୀଟ ବୋଲି କୁହାଯାଏ । ଏମାନଙ୍କର ଗୋଟିଏ କଲୋନୀ ଥାଏ ଏବଂ ଏଥିରେ ଦଳଗତତା ମଧ୍ୟ ହୋଇଥାଏ । ପିମ୍ପୁଡି ଏବଂ ଜନ୍ଦା ନିଜ ନିଜ ମଧ୍ୟରେ ଖୁବ ସୁନ୍ଦର ଯୋଗାଯୋଗ କରିଥାନ୍ତି । ଏହି କମ୍ୟୁନିକେସନ ଦକ୍ଷତା ହିଁ ସେମାନଙ୍କୁ ସଫଳ କୀଟଙ୍କ ତାଲିକାରେ ସ୍ଥାନ ଦେଇଛି । ତେବେ ଏମାନେ ସବୁବେଳେ ଗୋଟିଏ ଧାଡିରେ ଚାଲୁଥିବାର ଦେଖା ଯାଇଥାନ୍ତି । ଆସନ୍ତୁ ଜାଣିବା ଏହାର କାରଣ କ’ଣ ।

ଭଲ ଭାବରେ ଯୋଗାଯୋଗ କରିବା କ୍ଷମତା ହେଉଛି ଏମାନଙ୍କ ସଫଳତାର ପ୍ରଥମ ଏବଂ ମୂଳ କାରଣ । ଖାଦ୍ୟସ୍ରୋତ ଏବଂ ବାସସ୍ଥାନରୁ ଆରମ୍ଭ କରି ଶିକାରୀଙ୍କ ଉପସ୍ଥିତି ପର୍ଯ୍ୟନ୍ତ, କ୍ଷେତ୍ରର ରକ୍ଷା କରିବା ଏବଂ ଅନ୍ୟାନ୍ୟ ଜଟିଳ ସୂଚନାର ଆଦାନ ପ୍ରଦାନ ପାଇଁ ଏମାନେ ‘ଫେରୋମୋନ’ ନାମକ ଏକ ରାସାୟନିକ ସୁଗନ୍ଧ ଉପରେ ଖୁବ ପରିମାଣରେ ନିର୍ଭରଶୀଳ ରହିଥାନ୍ତି । ପ୍ରତ୍ୟେକ ପିମ୍ପୁଡି ପ୍ରଜାତିର ୨୦ ପ୍ରକାରର ଅଲଗା ଅଲଗା ଫେରୋମୋନ ପର୍ଯ୍ୟନ୍ତ ନିଜ ରାସାୟନିକ ଶବ୍ଦାବଳୀ ରହିଥାଏ । ଏହାକୁ ଏକ ସ୍ୱତନ୍ତ୍ର ଗନ୍ଧର ରାସ୍ତା ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାନ୍ତି ଏମାନେ । ସେମାନଙ୍କ ଆଣ୍ଟିନାର ଟିପ୍ସ ଏହି ରାସାୟନିକ ଗନ୍ଧକୁ ଅନୁବାଦ କରି ଏକ ଭାଷାରେ ପରିଣତ କରିଥାଏ । ଯାହା ପିମ୍ପୁଡିମାନଙ୍କୁ ଏକ ଭିନ୍ନ ପ୍ରକାରର ନିର୍ଦ୍ଦେଶ ଦେଇଥାଏ । ତେରୁ ଏହି ନିର୍ଦ୍ଦେଶ ଅନୁସାରେ ସବୁବେଳେ ଧାଡିରେ ଚାଲିଥାନ୍ତି ପିମ୍ପୁଡି ।

ଏବେ ପର୍ଯ୍ୟନ୍ତ ୧୫,୭୦୦ରୁ ଅଧିକ ପିମ୍ପୁଡିର ପ୍ରଜାତି ଏବଂ ଉପ-ପ୍ରଜାତିଙ୍କ ଚିହ୍ନଟ ହୋଇପାରିଛି । ତେବେ ଏମାନଙ୍କ ବ୍ୟତୀତ ଆହୁରି ଅନେକ ପ୍ରଜାତି ଉପଲବ୍ଧ ରହିଥିବା ମଧ୍ୟ ଅନୁମାନ କରାଯାଉଛି । ନିଜର ଉନ୍ନତ ସାମାଜିକ ସଂରଚନା ଯୋଗୁଁ ପିମ୍ପୁଡି ପୃଥିବୀର ଯେ କୌଣସି ଭୌଗୋଳିକ ସ୍ଥାନରେ ସହଜରେ ରହି ପାରନ୍ତି । ତେବେ ବିଶ୍ୱର ସମସ୍ତ ପିମ୍ପୁଡିଙ୍କ ମଧ୍ୟରେ ପ୍ରାୟ ୧୨ ମିଲିୟନ ଟନ୍ ଶୁଷ୍କ କାର୍ବନ ରହିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି । ପିମ୍ପୁଡି ମାଟିକୁ ଉର୍ବର କରିବା, କାର୍ବନିକ ପଦାର୍ଥକୁ ବିଘଟିତ କରିବା ଏବଂ ଅନ୍ୟ ପ୍ରାଣୀଙ୍କ ପାଇଁ ଆବାସ ପ୍ରଦାନ କରିବା ସହ ଭୋଜନ ପ୍ରଦାନ କରୁଥିବାରୁ ଏହାକୁ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଜୀବ ବୋଲି କୁହାଯାଏ ।

Get real time updates directly on you device, subscribe now.