fbpx

‘ତୁମେ କେବଳ ଏକ ମଙ୍ଗଳସୂତ୍ର ପିନ୍ଧି ନିଅ, ଆହୁରି ସୁନ୍ଦର ଦେଖାଯିବ’: ଜାଣନ୍ତୁ ଏକଥା କିଏ ଓ କାହିଁକି ବାପି ଦା’ଙ୍କୁ କହିଥିଲେ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ବିୟୋଗ ଆଜି ସିନେ ଜଗତରେ ଅପୂରଣୀୟ ସ୍ଥାନ ସୃଷ୍ଟି କରିଛି । ୧୦ ଦିନ ପୂର୍ବରୁ ଭାରତରତ୍ନ ଲତାଙ୍କୁ ହରାଇଥିବା ସଙ୍ଗୀତପ୍ରେମୀ ବାପିଙ୍କୁ ହରାଇ ପୁଣି ଥରେ ଭାଙ୍ଗି ପଡ଼ିଛନ୍ତି । ବାପି ସିନା ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି, କିନ୍ତୁ ଛାଡ଼ିଯାଇଛନ୍ତି ଅସୁମାରୀ ସ୍ମୃତି । ତେବେ ବାପି ନିଜର ବାସ୍ତବ ଜୀବନରେ ବହୁମାତ୍ରାରେ ସୁନା ଅଳଙ୍କାର ପରିଧାନ କରୁଥିଲେ । ଏହା ପଛର କାରଣ ଜାଣିବା ପାଇଁ ଶୁଭେଚ୍ଛାମାନେ ସର୍ବଦା ବ୍ୟାକୁଳ ହୋଇଥାନ୍ତି ।

୮୦ରୁ ୯୦ ଦଶକରେ ବାପି ବହୁ ଫିଲ୍ମରେ ବ୍ଲକ ବ୍ଲଷ୍ଟର ଗୀତ ଦେଇ ନିଜର ପରିଚୟ ସୃଷ୍ଟି କରିଥିଲେ । ସଙ୍ଗୀତ ବ୍ୟତୀତ ସୁନା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା । ଏନେଇ ଅଭିନେତା ରାଜକୁମାର ବାପିଙ୍କୁ ଥରେ ଏକ ମଜାଳିଆ କଥା କହିଥିଲେ । ଏକଦା ରାଜକୁମାର ଓ ବାପି ଦୁହେଁ ଏକ ପାର୍ଟିରେ ଉପସ୍ଥିତ ଥିଲେ । ତେବେ ବାପିଙ୍କ ସୁନା ଗହଣାକୁ ଦେଖି ରାଜକୁମାର କହିଥିଲେ, ‘ବହୁତ ସୁନ୍ଦର, ଆପଣ ଅନେକ ଗହଣା ପରିଧାନ କରିଛନ୍ତି, କେବଳ ମଙ୍ଗଳସୂତ୍ରର ଅଭାବ ରହିଛି । ସେଇଟା ଯଦି ପିନ୍ଧି ନିଅନ୍ତେ, ତେବେ ଆପଣ ବହୁତ ସୁନ୍ଦର ଦେଖାଯିବେ ।’ ଏହା ଶୁଣିବା ପରେ ବାପି ଲାଜରେ ହସିବା ସହ ସେକଥାକୁ ଏଡ଼ାଇ ଯାଇଥିଲେ ।

୨୦୧୪ରେ ବାପି ଲୋକସଭା ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ସମୟରେ ନିଜର ଗହଣା ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ତାଙ୍କ ପାଖରେ ୭୫୪ ଗ୍ରାମର ସୁନା ଓ ୪.୬୨ କିଲୋ ରୁପା ଥିବା ବାପି ଦର୍ଶାଇଥିଲେ । ଏଥିସହ ତାଙ୍କ ପତ୍ନୀଙ୍କ ପାଖରେ ୯୬୭ ଗ୍ରାମ ସୁନା ଓ ୮.୯ କିଲୋ ରୁପା ମଧ୍ୟ ରହିଥିବା ଜଣାପଡ଼ିଥିଲା । ଏକ ସାକ୍ଷାତକାରରେ ବାପି କହିଥିଲେ ଯେ, ସେ ଆମେରିକୀୟ ପପ୍ ଷ୍ଟାର ଏଲବିସ୍ ପ୍ରେସଲିଙ୍କ ଦ୍ୱାରା ବହୁମାତ୍ରାରେ ପ୍ରଭାବିତ ହୋଇଥାନ୍ତି । ନିଜର କନସର୍ଟ ସମୟରେ ଏଲବିସ ସୁନା ଚେନ ପରିଧାନ କରନ୍ତି । ତେଣୁ ଏଲବିସଙ୍କ ପରି ସଫଳତା ହାସଲ ଉଦ୍ଦେଶ୍ୟରେ ନିଜର ଇମେଜକୁ ଏପରି ବନାଇବାକୁ ଚେଷ୍ଟା କରିଥାନ୍ତି । ଏହା ତାଙ୍କ ପାଇଁ ବହୁତ ଲକି ସାବ୍ୟସ୍ତ ହୋଇଥିବା ବାପି କହିଥିଲେ ।

Get real time updates directly on you device, subscribe now.