fbpx

ଚିନ୍ତାଜନକ: ଭାରତରୁ କାହିଁକି ପଳାୟନ କରୁଛନ୍ତି କୋଟି ପତି ? ଏହି ଦେଶକୁ କରୁଛନ୍ତି ନିଜର ନୂତନ ଠିକଣା

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପ କମ ହେବା ସହିତ ଅନେକ କୋଟି ପତି ନିଜ ଦେଶ ଛାଡିବାରେ ଲାଗିଛନ୍ତି। ବ୍ରିଟେନର ଇନଭେଷ୍ଟମେଣ୍ଟ ମାଇଗ୍ରେସନ କନସଲଟେନ୍ସି କମ୍ପାନି ହେନଲେ ଆଣ୍ଡ ପାଟନର୍ସର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ସମଗ୍ର ଦୁନିଆରେ ପ୍ରାୟ ୮୮ ହଜାର କୋଟି ପତି ନିଜ ଦେଶ ଛାଡିଛନ୍ତି। ଏଥିରେ ଭାରତ ତୃତୀୟରେ ରହିଛି। ଭାରତରୁ ଆଠ ହଜାର କୋଟି ପତି ଦେଶ ଛାଡି ସାରିଛନ୍ତି। ଚୀନରୁ ସର୍ବାଧିକ ୧୫ ହଜାର ହୋଇଥିବା ବେଳେ ରୁଷରୁ ୧୦  ହଜାର କୋଟି ପତି ନିଜ ଦେଶରୁ ପଳାୟନ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଭାରତ ପରେ ଏହି ତାଲିକାରେ ହଂକଂ ଚତୁର୍ଥ ଏବଂ ୟୁକ୍ରେନ ପଞ୍ଚମ ସ୍ଥାନରେ ଅଛନ୍ତି। ହଂକଂର ତିନି ହଜାର ଏବଂ ୟୁକ୍ରେନର ୨୮୦୦ କୋଟି ପତି ନିଜ ଦେଶ ଛାଡିଛନ୍ତି। ଅନ୍ୟପଟେ ବ୍ରିଟେନର ମଧ୍ୟ ୧୫୦୦ କୋଟିପତି ନିଜ ଦେଶ ଛାଡି ସାରିଛନ୍ତି। ହେନଲେ ଅନୁଯାୟୀ, ହାଇ ନେଟଓ୍ଵର୍ଥ ଇଣ୍ଡିଭିଜୁଆଲ(ଏଚଏନଆଇ) ସେହି ଲୋକଙ୍କୁ କୁହାଯାଏ, ଯାହାଙ୍କ ସଂପତ୍ତି ୧୦ ଲକ୍ଷ ଡଲାର କିମ୍ବା ସେଥିରୁ ଅଧିକ ହୋଇଥାଏ।

କୋଟିପତି ଦେଶ ଛାଡିବାର କାରଣ:
୧ – କୋଟିପତି ଲୋକ ଯେଉଁଠିକୁ ପଳାୟନ କରୁଛନ୍ତି, ସେଠାକୁ ଯିବାର ପ୍ରମୁଖ କାରଣ ନିଜର ଆର୍ଥିକ ଫାଇଦା।
୨ – ଦେଶର ଅର୍ଥବ୍ୟବସ୍ଥା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ ମାନି ନିଜର ଆଭିମୁଖ୍ୟ ବଦଳାଉଛନ୍ତି।
୩ – ସ୍ଵାସ୍ଥ୍ୟ, ଶିକ୍ଷା ଏବଂ ଉନ୍ନତ ଜୀବନ ଶୈଳୀ ଯଥା ଦୃଢ ଭିତ୍ତିଭୂମି ତଥା ଆନୁସଙ୍ଗିକ ସୁବିଧା ଏହାର କାରଣ।
୪ – ଅପରାଧ ହାର କମ ଥିବା କାରଣରୁ କୋଟି ପତି ଲୋକେ ଏହି ସବୁ ଦେଶ ପ୍ରତି ଆକର୍ଷିତ ହେଉଛନ୍ତି।
୫ – ବ୍ୟବସାୟର ସୁଯୋଗ ଦେଖିବା ସହିତ ଟ୍ୟାକ୍ସରେ ରିହାତି ମିଳୁଥିବାରୁ କୋଟି ପତି ନିଜ ଦେଶ ଛାଡି ଅନ୍ୟ ଦେଶକୁ ବସବାସ କରିବାକୁ ଉଚିତ୍ ମଣୁଛନ୍ତି।

ୟୁଏଇ, ଅଷ୍ଟ୍ରେଲିଆ, ସିଙ୍ଗାପୁର ନୂତନ ଠିକଣା:
ଦେଶ ଛାଡି ଚାଲି ଯାଉଥିବା ଅଧିକାଂଶ କୋଟିପତି ୟୁଏଇ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁରକୁ ନିଜର ନୂତନ ଠିକଣା ତିଆରି କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ସମଗ୍ର ଦୁନିଆରେ ନିଜ ଦେଶ ଛାଡିଥିବା କୋଟିପତିଙ୍କ ମଧ୍ୟରୁ ୪୦୦୦ ୟୁଏଇ, ୩୫୦୦ ଅଷ୍ଟ୍ରେଲିଆ ଏବଂ ୨୮୦୦ ସିଙ୍ଗାପୁରକୁ ନିଜର ନୂତନ ଠିକନା କରିଛନ୍ତି। ଆଉ କିଛି କୋଟିପତି ମେକ୍ସିକୋ, ବ୍ରିଟେନ୍, ଇଣ୍ଡୋନେସିଆ ସମେତ ଅନ୍ୟ ଦେଶରେ ନୂତନ କରି ଜୀବନ ଶୈଳୀ ବିତାଇବା ପାଇଁ ପ୍ରସ୍ତୁତି କରୁଛନ୍ତି। ଗତ ଦୁଇ ଦଶନ୍ଧିରେ ୮୦ ହଜାର କୋଟି ପତି ଅଷ୍ଟ୍ରେଲିଆକୁ ନିଜର ନୂତନ ଠିକଣା କରିଛନ୍ତି।

ସିଙ୍ଗାପୁର ଏସୀୟ ଲୋକଙ୍କ ପ୍ରଥମ ପସନ୍ଦ:
ଏସିଆର କୋଟିପତିଙ୍କ ପ୍ରଥମ ପସନ୍ଦ ହେଉଛି ସିଙ୍ଗାପୁର। ୨୦୨୨ରେ ପ୍ରାୟ ୨୮୦୦ କୋଟିପତି ଏଠାରେ ପହଞ୍ଚିଛନ୍ତି। ଏହାର ପ୍ରମୁଖ କାରଣ ସିଙ୍ଗାପୁର ସଂପତ୍ତି ପରିଚାଳନା ମାମଲାରେ ଏସିଆର ସର୍ବୋତ୍ତମ ଦେଶ ଭାବେ ଉଭା ହୋଇଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଦୁନିଆରୁ କୋଟିପତି ସିଙ୍ଗାପୁର ମୁହାଁଉଛନ୍ତି। ଏସିଆର କୋଟିପତିଙ୍କୁ ଏହି ଦେଶ ଏଥିପାଇଁ ପସନ୍ଦ କାରଣ ପୂର୍ବରୁ ସେମାନଙ୍କର ଲୋକେ ଏଠାରେ ରହି ଆସିଛନ୍ତି।

ଭାରତ ପାଇଁ ଚିନ୍ତାର ବିଷୟ ନୁହେଁ:
ରିପୋର୍ଟ ଅନୁଯାୟୀ, ଦୁନିଆରେ ଅନ୍ୟ ଦେଶ ତୁଳନାରେ ଭାରତ ଛାଡୁଥିବା କୋଟିପତିଙ୍କୁ ନେଇ ଚିନ୍ତା କରିବାର ଆବଶ୍ୟକ ନାହିଁ। ଭାରତରେ ପ୍ରାୟ ୩ କୋଟି ୫୭ ଲକ୍ଷ କୋଟିପତି ଅଛନ୍ତି। ଏହା ଅନୁପାତରେ ଦେଶ ଛାଡିଥିବା କୋଟିପତିଙ୍କ ସଂଖ୍ୟା ମାତ୍ର ଦୁଇ ପ୍ରତିଶତ ରହିଛି। ୨୦୩୧ ସୁଦ୍ଧା ଭାରତରେ ଏମାନଙ୍କ ସଂଖ୍ୟା ୮୦ ପ୍ରତିଶତ ପର୍ଯ୍ୟନ୍ତ ବଢିବାର ଅନୁମାନ କରାଯାଉଛି।

Get real time updates directly on you device, subscribe now.