fbpx

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀଙ୍କୁ କାହିଁକି ପ୍ରାର୍ଥୀ ଭାବେ ବାଛିଲା BJP, ଜାଣନ୍ତୁ ଏହା ପଛର ସମସ୍ତ କାରଣ

Advertisement

ନୂଆଦିଲ୍ଲୀ: ଆସନ୍ତା ମାସ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏହା ମଧ୍ୟରେ ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ଓ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ତେବେ ରାଷ୍ଟ୍ରପତି ନିର୍ବାଚନର ଗଣିତ ଓ ରାଜନୈତିକ ଦଳଙ୍କ ସମର୍ଥନକୁ ବିଚାର କଲେ ଦ୍ରୌପଦୀଙ୍କ ଜିତିବାର ସମ୍ଭାବନା ଅଧିକ ରହିଛି । ଏଠାରେ ପ୍ରଶ୍ନ ଉଠୁଛି, ବିଜେପିରେ ବହୁ ବରିଷ୍ଠ ନେତା ଥିବାବେଳେ ଦଳ କାହିଁକି ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲା ।

ଏଥର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପୂର୍ବ-ଭାରତର ଜଣେ ମହିଳାଙ୍କୁ ସୁଯୋଗ ଦେବାକୁ ଏନଡିଏ ସଂସଦୀୟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିଲା । ଆଜି ପର୍ଯ୍ୟନ୍ତ ଜଣେ ଆଦିବାସୀ ପ୍ରାର୍ଥୀ ରାଷ୍ଟ୍ରପତି ହୋଇନାହାନ୍ତି । ତେଣୁ ଶ୍ରୀମତୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟପ୍ରତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ପାଖାପାଖି ୨୦ ଜଣ ପ୍ରାର୍ଥୀଙ୍କୁ ନେଇ ଆଲୋଚନା କରାଯାଇଥିଲା ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ।

ଗତ ୨୦୧୭ ରାଷ୍ଟ୍ରପତି ନିର୍ବାଚନ ସମରେ ଦ୍ରୌପଦୀଙ୍କ ନାମ ଚର୍ଚ୍ଚାରେ ରହିଥିଲା । ଆଗକୁ ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଆଦି ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହି ୪ଟି ରାଜ୍ୟରେ ୧୨୮ଟି ସିଟ୍ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ସିଟ୍ ମଧ୍ୟରୁ ବିଜେପି ଖାତରେ ଏବେ ମାତ୍ର ୩୫ଟି ସିଟି ରହିଛି । ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ଦଳ ଆଦିବାସୀ ଭୋଟବ୍ୟାଙ୍କ ହାସଲ କରିବାକୁ ଚେଷ୍ଟା କରିବ । ଶ୍ରୀମତୀ ମୁର୍ମୁ ଓଡ଼ିଶାର ହୋଇଥିବାରୁ ଏନଡିଏ ବିଜେଡିର ସମର୍ଥନ ହାସଲ କରିପାରିବ । ୨୦୧୫ରେ ଦ୍ରୌପଦୀ ଝାଡ଼ଖଣ୍ଡର ରାଜ୍ୟପାଳ ରହିଥିବାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଏମଏମ ଏନଡିଏକୁ ସମର୍ଥନ କରିବ । ବିରୋଧୀ ପ୍ରାର୍ଥୀ ଯଶୱନ୍ତ ଝାରଖଣ୍ଡର ବାସିନ୍ଦା ହୋଇଥିବା ବେଳେ ବିଜେପି ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ଭାରତର ଛୋଟ ଛୋଟ ଆଦିବାସୀ ଦଳଙ୍କ ସମର୍ଥନ ହାସଲ କରିପାରିବ ।

ଭାରତବର୍ଷ ଆଦିବାସୀ ସମାଜର ଅନେକ ଜାତି, ଉପଜାତିରେ ବଣ୍ଟା ହୋଇଛି । ୨୦୧୧ ଜନଗଣନା ମୁତାବକ, ଦେଶରେ ୮.୬ ପ୍ରତିଶତ ନାଗରିକ ଆଦିବାସୀ ଥିଲେ । ଛତିଶଗଡ଼ରେ ୩୦.୬୨, ଗୁଜରାଟରେ ୧୪.୭୫, ଝାରଖଣ୍ଡରେ ୨୬.୨୧, ମଧ୍ୟପ୍ରଦେଶରେ ୨୧.୦୯, ମହାରାଷ୍ଟ୍ରରେ ୯.୩୫, ଓଡ଼ିଶାରେ ୨୨.୮୫, ରାଜସ୍ଥାନରେ ୧୩.୪୮, ଅସମରେ ୧୨.୪୫ ପ୍ରତିଶତ ଆଦିବାସୀ ରହିଛନ୍ତି ।

Get real time updates directly on you device, subscribe now.