ଝାଡ଼ଖଣ୍ଡରେ ଚାଲିଲାନି ହିମନ୍ତଙ୍କ ଯାଦୁ, JMM ଦୁର୍ଗ ଭାଙ୍ଗିପାରିଲା ନାହିଁ ବିଜେପି, ଜାଣନ୍ତୁ ୫ଟି ପ୍ରମୁଖ କାରଣ

ରାଞ୍ଚି: ଝାଡ଼ଖଣ୍ଡରେ ମୋଟ୍ ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି । ଚଳିତ ବର୍ଷ ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ନଭେମ୍ବର ୧୩ ଏବଂ ୨ୟ ପର୍ଯ୍ୟାୟ ନଭେମ୍ବର ୨୦ରେ ଅନୁଷ୍ଠିତ ହୋଇଥିଲା । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରୁଛି ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିୟନ୍ତ୍ରଣ ବଜାୟ ରଖିବାରେ ସଫଳ ହୋଇଛନ୍ତି । ପ୍ରାରମ୍ଭିକ ଧାରରେ JMM ଲିଡ୍ କରୁଥିବା ବେଳେ ବିଜେପି ଏବଂ ଏନଡିଏ ସଂଖ୍ୟାଗରିଷ୍ଠତାରୁ ବହୁତ ପଛରେ ରହିଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଝାଡ଼ଖଣ୍ଡରେ ବିଜେପିର ରାଜନୈତିକ ସ୍ଥିତି ଦୁର୍ବଳ ହେବା ପଛର କାରଣ କ’ଣ ? ବିଜେପି ହେମନ୍ତ ସୋରେନଙ୍କ ଦୁର୍ଗକୁ କାହିଁକି ଦୁର୍ବଳ କରିବାରେ ଅସମର୍ଥ ହେଲା ? ଆସନ୍ତୁ ଜାଣିବା ଏହା ପଛରେ କ’ଣ କାରଣ ରହିଛି ।

୧. ହେମନ୍ତ ସୋରେନଙ୍କ ପାଇଁ ସହାନୁଭୂତି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଜେଲରୁ ମୁକୁଳିଥିବା ହେମନ୍ତ ସେରେନଙ୍କ ପ୍ରତି ରାଜ୍ୟବାସୀଙ୍କ ସହାନୁଭୂତି ରହିଥିଲା । ଏହା ବିଜେପି ପାଇଁ ବଡ଼ ଝଟକା ସାବ୍ୟସ୍ତ ହେଲା । ହେମନ୍ତ ଜେଲରେ ଥିବା ସମୟରେ ପତ୍ନୀ କଳ୍ପନା ସୋରେନଙ୍କୁ ପୀଡ଼ିତ କାର୍ଡ଼ ଖେଳିବା ପାଇଁ ନିୟୋଜିତ କରିଥିଲେ । ବିଜେପି କ୍ରମାଗତ ଭାବେ ଭ୍ରଷ୍ଟାଚାର ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ହେମନ୍ତ ସରକାରଙ୍କୁ ଟାର୍ଗେଟ କରୁଥିଲେ । କିନ୍ତୁ ବିଜେପିର ରଣନୀତିକ ଚାଲ ଓଲଟା ପଡ଼ିଗଲା ।

୨. ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଝାଡ଼ଖଣ୍ଡ ବିଜେପି ସହ ପ୍ରଭାରୀ ହିମନ୍ତ ବିଶ୍ୱ ସର୍ମା ଏବଂ ଅନ୍ୟ ଦଳ ପ୍ରଚାରକ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗ ଉଠାଇଥିଲେ । ବିଜେପି କ୍ଷମତାକୁ ଆସିଲେ ବାଂଲାଦେଶୀ ମୁସଲମାନଙ୍କୁ ବାଂଲାଦେଶ ପଠାଇଦେବ ବୋଳି ଦାବି କରିଥିଲା । ବିଜେପି ‘ଡିଭାଇଡ୍ ଆଣ୍ଡ୍ ରୁଲ୍‌’ ଚାଲ୍ ମାଧ୍ୟମରେ ସାମ୍ପ୍ରଦାୟିକ ଏଜେଣ୍ଡା ଲାଗୁ କରିବା ପାଇଁ ପ୍ରୟାସ କରିଥିଲା ।

୩. ବିଜେପି ମୁଖ୍ୟମନ୍ତ୍ରୀ ଚେହେରା: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ପ୍ରସ୍ତୁତ କରିନଥିଲା । ଫଳରେ ଭୋଟରମାନେ ଦ୍ୱନ୍ଦ୍ୱରେ ଥିଲେ କି ଏନଡିଏର ନେତୃତ୍ୱ କିଏ କରିବ । ଅପରପକ୍ଷରେ ଇଣ୍ଡିଆ ମେଣ୍ଟ ସ୍ପଷ୍ଟ ଥିଲା କି ହେମନ୍ତ ସେରେନ୍ ହିଁ ମୁଖ୍ୟମନ୍ତ୍ରୀ ଚେହେରା ହେବେ ।

୪. ଇଡି ଏବଂ ସିବିଆଇ ରେଡ୍‌: କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା(ଇଡି ଏବଂ ସିବିଆଇ) କ୍ଷମତାସୀନ ଦଳର ଶୀର୍ଷ ନେତାଙ୍କ ଘରେ ଚଢ଼ାଉ କରିବା ସହ ତାଙ୍କୁ ଗିରଫ କରିବା ନେଇ ଚର୍ଚ୍ଚାରେ ଥିଲେ । ଏହା ପରେ ଇଣ୍ଡିଆ ମେଣ୍ଟକୁ ଏହା ଦାବି କରିବାକୁ ମଉକା ମିଳିଥିଲା କି ଏହି କାର୍ଯ୍ୟ ରାଜନୀତିରୁ ପ୍ରେରିତ ଏବଂ ପକ୍ଷପାତପୂର୍ଣ୍ଣ ଅଟେ । ବିଜେପି ଦୁର୍ନୀତି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲା କିନ୍ତୁ ଭୋଟରଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଲା ।

୫. ଦଳବଦଳ ନେତା: ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନଙ୍କ ଠାରୁ ଆରମ୍ଭ କରି ହେମନ୍ତଙ୍କ ନିକଟତମ ଚମ୍ପାଇ ସୋରେନଙ୍କୁ ବିଜେପି ନିଜ ଦଳରେ ସାମିଲ କଲା । କିନ୍ତୁ ଏହି ଦଳବଦଳ ନେତାଙ୍କ ଠାରୁ ବିଜେପିକୁ କୌଣସି ରାଜନୈତିକ ଫାଇଦା ହୋଇନଥିଲା । ଫଳରେ ନିର୍ବାଚନୀ ଲାଭ ପାଇବାରେ ବିଫଳ ହୋଇଥିଲା ବିଜେପି ।