fbpx

କାହିଁକି ଅଚାନକ ବଦଳିଲା ରାଜସ୍ଥାନ ମତଦାନ ତାରିଖ? ନିର୍ବାଚନ କମିଶନ୍ ଦେଲେ ୨ଟି ବଡ଼ କାରଣ

ନୂଆଦିଲ୍ଲୀ: ରାଜସ୍ଥାନର ବିଧାନସଭା ଭୋଟ ଗ୍ରହଣକୁ ନେଇ ଅଚାନକ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ୍ । ନଭେମ୍ବର ୨୩ ତାରିଖରେ ଏହି ମତଦାନ ହେବାକୁ ଥିବା ବେଳେ ବର୍ତ୍ତମାନ ଏହି ତାରିଖକୁ ପରିବର୍ତ୍ତନ କରାଯାଇଛି । ଏବେ ଆସନ୍ତା ୨୫ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହବ ବୋଲି ଘୋଷଣା କରିଛନ୍ତି ଇସି । ସେହିପରି ନୂଆ ତାରେିଖ ଅନୁସାରେ ଡିସେମ୍ବର ୩ ତାରିଖରେ ମତଦାନର ଫଳାଫଳ ପ୍ରକାଶ ପାଇବ । ତେବେ ଅଚାନକ ଏହି ମତଦାନର ତାରିଖ ପରିବର୍ତ୍ତନର ଦୁଇଟି କାରଣ ଦର୍ଶାଇଛନ୍ତି ନିର୍ବାଚନ ଆୟୋଗ ।

ନଭେମ୍ବର ୨୩ ତାରିଖରେ ରାଜସ୍ଥାନରେ ବହୁ ମାତ୍ରାରେ ବିବାହ କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ୨୩ ତାରିଖରେ କିଛି ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ପାଳନ କରିବ ରାଜସ୍ଥାନ । ଏହାକୁ ଦୃଷ୍ଟିରେ ରଖି ଅନେକ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ମତଦାନର ତାରିଖ ପରିବର୍ତ୍ତନ କରିବା ପାଇଁ ଆବେଦନ କରିଥିଲେ । ତେଣୁ ଭୋଟ ଗ୍ରହଣର ତାରିଖକୁ ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । ନଭେମ୍ବର ୨୩ ତାରିଖରେ ଦେବୋତ୍ଥାନ ଏକାଦଶୀ ପଡ଼ିଛି, ଏହି ଦିନ ବିବାହ କରିବା ଶୁଭ ବୋଲି କୁହାଯାଏ ।

ତେବେ ଚଳିତବର୍ଷ ନଭେମ୍ବର ୨୩ ତାରିଖରେ ରାଜସ୍ଥାନରେ ପ୍ରାୟ ୫୦ ହଜାରରୁ ଅଧିକ ସଂଖ୍ୟାର ବିବାହ ହେବାର ଅନୁମାନ କରାଯାଉଛି । ତେଣୁ ମତଦାନର ତାରିଖ ବଦଳାଇବା ପାଇଁ ଦାବି ହୋଇଥିଲା । ପାଲିର ବିଜେପି ସାଂସଦ ପି.ପି ଚୌଧୂରୀ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ଏହି ତାରିଖ ବଦଳାଇବାକୁ ଦାବି କରିଥିଲେ । ଦେବୋତ୍ଥାନ ଏକାଦଶୀ ଏବଂ ବିବାହ ବିଷୟରେ ଉଲ୍ଲେଖ କରି ସେ ମଧ୍ୟ ୨୩ ତାରିଖ ପୂର୍ବରୁ କିମ୍ବା ପରେ ଭୋଟିଂ କରିବାକୁ ଆୟୋଗଙ୍କୁ ଆବେଦନ କରିଥିଲେ। ବର୍ତ୍ତମାନ ଏହି ଦାବିକୁ ଗ୍ରହଣ କରି ନିର୍ବାଚନ ଆୟୋଗ କାର୍ୟ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି। ତେବେ ମତଦାନର ଫଳାଫଳ ତାରିଖ ସମାନ ରହିବ ଏବଂ ଡିସେମ୍ବର ୩ ରେ ହିଁ ପ୍ରକାଶ ପାଇବ ବୋଲି କହିଛନ୍ତି ନିର୍ବାଚନ ଆୟୋଗ ।

ନୂଆ ସୂଚୀ:

ଗ୍ୟାଜେଟ ନୋଟିଫିକେସନ୍- ୩୦ ଅକ୍ଟୋବର
ନାମାଙ୍କନର ଅନ୍ତିମ ତାରିଖ- ୬ ନଭେମ୍ବର
ସ୍କ୍ରୁଟନୀ ତାରିଖ- ୭ ନଭେମ୍ବର
ନାମାଙ୍କନ ଫେରାଇବାର ଶେଷ ତାରିଖ- ୯ ନଭେମ୍ବର
ମତଦାନ ତାରିଖ- ୨୫ ନଭେମ୍ବର
ଭୋଟ ଗଣତି- ୩ ଡିସେମ୍ବର

Get real time updates directly on you device, subscribe now.