ନୂଆଦିଲ୍ଲୀ: ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଦମଦାର ପ୍ରଦର୍ଶନ ପରେ ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବିଜୟ ହଜାରେ ଟ୍ରଫିରେ ତାଙ୍କୁ ଦଳରେ ସୁଯୋଗ ମିଳିନାହିଁ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ ସହ ବୋଲିଂର କମାଲ ଦେଖାଇଛନ୍ତି ହାର୍ଦ୍ଦିକ । ଏହାପରେ ମଧ୍ୟ ବିଜୟ ହଜାରେ ଟ୍ରଫି ପାଇଁ ବରୋଦା ଦଳରେ ତାଙ୍କୁ ସୁଯୋଗ ମିଳିନାହିଁ । ୭ଟି ମ୍ୟାଚରେ ଦମଦାର ବ୍ୟାଟିଂ କରି ସେ ନିଜ ସ୍ଥାନ ପକ୍କା କରିଥିଲେ । କିନ୍ତୁ ବିଜୟ ହଜାରେ ଟ୍ରଫିରେ ତାଙ୍କ ଅନୁପସ୍ଥିତିକୁ ନେଇ ଏବେ ପ୍ରଶ୍ନ ଉଠିଛି ।
ଆଜିଠାରୁ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିର ନକ୍ ଆଉଟ୍ ଷ୍ଟେଜରେ ହାର୍ଦ୍ଦିକ ଦଳ ସହ ସାମିଲ ହେବେ ବୋଲି କହିଛି ବରୋଦା କ୍ରିକେଟ ଆସୋସିଏସନ୍ । ଯଦି ଏହି ପର୍ଯ୍ୟାୟକୁ ଦଳ କ୍ୱାଲିଫାଏ କରେ, ତେବେ ହାର୍ଦ୍ଦିକ ପୁଣିଥରେ ବରୋଦା ସହ ସାମିଲ ହେବେ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ସେ କିଛି ଦିନ ପାଇଁ ବିଶ୍ରାମ ନେଇଛନ୍ତି । ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ହାର୍ଦ୍ଦିକଙ୍କ ଉପରେ ରହିଛି ଚୟନ କମିଟିର ନଜର । ତେଣୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ତାଙ୍କ ପ୍ରଦର୍ଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଟିମ ଇଣ୍ଡିଆ ପାଇଁ ହାର୍ଦ୍ଦିକ ଜଣେ ମହତ୍ତ୍ୱପୂର୍ଣ୍ଣ ଖେଳାଳି ଭାବରେ ଭୂମିକା ତୁଲାଇଛନ୍ତି । ଅନେକ ସମୟରେ ଦଳକୁ ବିଜୟ ଭେଟି ଦେଇଥିବା ହାର୍ଦ୍ଦିକ ଚମ୍ପିଆନ୍ସ ଟ୍ରଫିରେ ମଧ୍ୟ ଦଳରେ ସାମିଲ କରାଯାଇପାରେ ।
୨୦୨୩ ଦିନିକିଆ ବିଶ୍ୱପକପ ପରେ ଟିମ ଇଣ୍ଡିଆ ପାଇଁ କୌଣସି ଦିନିକିଆ ମ୍ୟାଚ୍ ଖେଳିନାହାନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ବିଶ୍ୱକପରେ ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ସେ ୧୪ ମାସରୁ କୌଣସି ମ୍ୟାଚ୍ ଖେଳିନାହାନ୍ତି । ଏହାପରେ ମଧ୍ୟ ଚମ୍ପିଆନ୍ସ ଟ୍ରଫିରେ ଦଳ ତାଙ୍କୁ ସୁଯୋଗ ଦେବାର ସମ୍ଭାବନା ଅଧିକ ରହିଛି । ତେବେ ସୟଦ ମୁସ୍ତାକ ଅଲୀ ଟ୍ରଫି(ଟି-୨୦)ରେ ସେ ୭ଟି ମ୍ୟାଚରୁ ୨ଟି ଦମଦାର ଅର୍ଦ୍ଧଶତକ ସହ ୨୪୬ ରନ୍ କରିଛନ୍ତି । କିନ୍ତୁ ଏହାପରେ ଦିନିକିଆ ଫର୍ମାଟରେ ଖେଳାଯାଉଥିବା ବିଜୟ ହଜାରେ ଟ୍ରଫି(ପ୍ରଥମ ପର୍ଯ୍ୟାୟ)ରୁ ସେ ଦୂରେଇ ରହିଛନ୍ତି ।