Delhi-NCRରେ କ’ଣ ପାଇଁ ବାରମ୍ବାର ଭୂକମ୍ପ ହେଉଛି: ଆଗକୁ କିଛି ବଡ଼ ବିପଦ ଆସିବ କି, ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଓ ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ଭୂକମ୍ପ ଅନୁଭୂତ ହୋଇଛି । ଆଜି ସନ୍ଧ୍ୟାରେ ଆସିଥିବା ଭୂକମ୍ପ ଝଟକାକୁ ନେଇ ଲୋକମାନେ ଘବରାଇ ଯାଇଥିଲେ ଓ ଘରୁ, ଅଫିସରୁ ବାହାରକୁ ଦୌଡ଼ିଥିଲେ । ତେବେ ଏହା ମଧ୍ୟରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ଦିଲ୍ଲୀ-ଏନସିଆରରେ ବାରମ୍ବାର ଭୂକମ୍ପ ଆସିବାର କାରଣ କ’ଣ ହୋଇପାରେ । ଦିଲ୍ଲୀର ମାଟି ତଳେ କ’ଣ ସବୁ ଘଟୁଛି ।

ତେବେ ଏହି ଭୂକମ୍ପ ଘଟଣା ପାଇଁ ଏକ୍ସପର୍ଟ ଚେତାବନୀ ଜାରି କରିସାରିଛନ୍ତି । ଦିଲ୍ଲୀ-ଏନସିଆରରେ ଯେ କୌଣସି ସମୟରେ ଏକ ବଡ଼ ଭୂକମ୍ପ ଆସିପାରେ । କେବେ ତାହା ଘଟିବ, ସେନେଇ କିଛି ସୂଚନା ଦିଆଯାଇନାହିଁ । ଜବାହରଲାଲ ନେହରୁ ସେଣ୍ଟର ଅଫ୍ ଆଡଭାନ୍ସର ସାଇଣ୍ଟିଫିକ ରିସର୍ଚ୍ଚ ପ୍ରଫେସର ସିପି ରାଜେନ୍ଦ୍ରନଙ୍କ ମୁତାବକ, ଦିଲ୍ଲୀ-ଏନସିଆରରେ ଯେ କୌଣସି ସମୟରେ ଭୂକମ୍ପ ଆସିପାରେ । ସିପି ଗତ ୨୦୧୮ରେ ଏକ ଷ୍ଟଡି କରିଥିଲେ ।

ଉକ୍ତ ଷ୍ଟଡି ମୁତାବକ, ବର୍ଷ ୧୩୧୫ ଓ ୧୪୪୦ ମଧ୍ୟରେ ଭାରତର ଭାଟପୁରଠାରୁ ନେପାଳର ମୋହାନା ଖୋଲା ପର୍ଯ୍ୟନ୍ତ ୬୦୦ କିମି ଲମ୍ବା ଭୂକମ୍ପ ଗ୍ୟାପ୍ ସୃଷ୍ଟି ହୋଇଥିଲା । ୬୦୦-୭୦୦ ବର୍ଷ ଧରି ଏହି ଗ୍ୟାପ୍ ଶାନ୍ତ ରହିଛି । ଏହା ଉପରେ ଭୂକମ୍ପୀୟ ଚାପ ସୃଷ୍ଟି ହେଉଛି । ଏହି ଚାପ କେବେ ବି ସାମ୍ନାକୁ ଆସିପାରେ । ଯଦି ଏହି ଭୂକମ୍ପ ଆସେ, ତେବେ ତାହା ୮.୫ ତୀବ୍ରତା ପର୍ଯ୍ୟନ୍ତ ହୋଇପାରେ । ଯଦି ୮.୫ ତୀବ୍ରତା ବିଶିଷ୍ଟ ଭୂକମ୍ପ ଆସେ, ତେବେ ତାହାର ତବାହୀକୁ ନେଇ ଅନୁମାନ ଲଗାଇବା ମୁସ୍କିଲ ହେବ ।