fbpx

କାହିଁକି ହୋଇଥାଏ ପିତୃପକ୍ଷ ଶ୍ରାଦ୍ଧ? କେବେଠାରୁ ଆରମ୍ଭ ହୋଇଛି ଏହି ପରମ୍ପରା… ଜାଣନ୍ତୁ ଇତିହାସ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ବା ପିଣ୍ଡଦାନ କରିବାର ପରମ୍ପରା ରହିଛି । ମାନ୍ୟତା ରହିଛି ଯେ ପ୍ରତିବର୍ଷ ପିଣ୍ଡଦାନ କଲେ ପୂର୍ବପୁରୁଷଙ୍କ ଆତ୍ମାକୁ ଶାନ୍ତି ଓ ମୋକ୍ଷ ପ୍ରାପ୍ତି ହୋଇଥାଏ । ସେହିପରି କୁଣ୍ଡଳୀରେ ପିତୃଦୋଷ ଥିଲେ ସେଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ପୂର୍ବଜମାନଙ୍କୁ ପିଣ୍ଡଦାନ କରାଯାଇଥାଏ । ତେବେ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଭକ୍ତମାନେ ପୂର୍ବ ପୁରୁଷଙ୍କୁ ମୋକ୍ଷ ପ୍ରଦାନ କରିବା ପାଇଁ ପିଣ୍ଡଦାନ କରିଥାନ୍ତି । ଏଥିାଇଁ ଶ୍ରୀମନ୍ଦିରରେ ଏହି ଶ୍ରାଦ୍ଧ ଦେବା ପରମ୍ପରା ୧୫ ଦିନ ଧରି ଚାଲିଥାଏ । ଲୋକମାନେ ଶ୍ରୀମନ୍ଦିର ଯାଇ ବାଇଶି ପାହାଚରେ ବଡବଡୁଆ ମାନଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ତେବେ ଚଳିତ ବର୍ଷ ଏହି ପିଣ୍ଡଦାନ ବା ଶ୍ରାଦ୍ଧ ପ୍ରକ୍ରିୟା କେବେ ଆରମ୍ଭ ହେବ ଓ ଏହା କେତେ ଦିନ ପର୍ୟ୍ୟନ୍ତ ରହିବ ଆସନ୍ତୁ ଜାଣିବା ।

ଚଳିତବର୍ଷ ପିତୃପକ୍ଷ ଶ୍ରାଦ୍ଧ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୪ ତାରିଖରେ ଶେଷ ହେବ । ସାଧାରଣତଃ ସେପ୍ଟେମ୍ବର ମାସରେ ଏହା ଶେଷ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଯୋଡା ଶ୍ରାବଣ ପଡୁଥିବାରୁ ଏହା ଏକ ମାସ ବିଳମ୍ବରେ ଅର୍ଥାତ୍ ସେପ୍ଟେମ୍ବର ମାସ ଶେଷରେ ଆରମ୍ଭ ହୋଇ ଅକ୍ଟୋବର ମାସର ମଧ୍ୟଭାଗ ପର୍ୟ୍ୟନ୍ତ ଚାଲିବ । ସେହିପରି, ଓଡିଆ ମାସ ଅନୁଯାୟୀ ଏହା ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ଆରମ୍ଭ ହୋଇ ଆଶ୍ୱୀନ ମାସ ଅମାବାସ୍ୟା ପର୍ୟ୍ୟନ୍ତ ରହିବ । ଏହାକୁ ମହାଳୟା ଅମାବାସ୍ୟା ମଧ୍ୟ କୁହାଯାଏ । ଏହି ମହାଳୟା ତିଥି ପରଠାରୁ ମା ଦୁର୍ଗା କୈଳାଶ ପର୍ବତରୁ ଆସି ଧରାପୃଷ୍ଠରେ ଅବତରଣ କରନ୍ତି । ପ୍ରାୟ ଦଶ ଦିନ ଧରି ମାଆ ଦଶଭୂଜା ଏଠାରେ ପୂଜା ପାଇଥାନ୍ତି ।

ବିଶ୍ୱାସ କରାଯାଏ ଯେ, ମହାଳୟାରେ ଶ୍ରାଦ୍ଧ ଦେଇ ପୂର୍ବଜମାନଙ୍କୁ ଘରକୁ ଅଣାଯିବା ସହ ଦୀପାବଳି ଦିନ ଦୀପଦାନ କରି ସେମାନଙ୍କୁ ବିଦାୟ ଦିଆଯାଇଥାଏ । କିମ୍ବଦନ୍ତୀ ଅନୁଯାୟୀ ଏହି ସମୟରେ ଭାରତରେ ନୂତନ ଫସଲ ଅମଳ ହୋଇଥାଏ । ତେଣୁ ପ୍ରଥମ ଉତ୍ପାଦିତ ଫସଲକୁ ପିତୃ ପୁରୁଷ ମାନଙ୍କୁ ଉତ୍ସର୍ଗ କରି ଏହି ପିଣ୍ଡଦାନ କରାଯାଏ । ତେବେ କେବଳ ଓଡିଶା ନୁହେଁ ବରଂ ସାରା ଭାରତବର୍ଷରେ ଏହି ଶ୍ରାଦ୍ଧ ଦେବା ପରମ୍ପରା ବହୁବର୍ଷ ଧରି ଚାଲି ଆସୁଛି ।

Get real time updates directly on you device, subscribe now.