fbpx
BSKY
BJD MC SKY
BJD MS SKY

ବିଶ୍ୱର ଶକ୍ତିଶାଳୀ ଡିଫେନ୍ସ ସିଷ୍ଟମ ଫେଲ୍ ମାରିଲା କାହିଁକି: ‘ହମାସ’ ଷଡ଼ଯନ୍ତ୍ରର ସମ୍ୟକ ସୂଚନା ପାଇ ନଥିଲା ଇସ୍ରାଏଲ, କେଉଁଠି ରହିଥିଲା ତ୍ରୁଟି

ନୂଆଦିଲ୍ଲୀ: ଇସ୍ରାଏଲ ଏକ ଛୋଟ ଦେଶ ହୋଇଥିଲେ ହେଁ ତା’ର ଡିଫେନ୍ସ ସିଷ୍ଟମ ବିଷୟରେ ସାରା ବିଶ୍ୱ ଅବଗତ ଅଛି । ଇସ୍ରାଏଲକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ମଧ୍ୟରେ ସାମିଲ କରାଯାଇଥାଏ । ଇସ୍ରାଏଲ ନିକଟରେ ପାରା ଆଇରନ ଡୋମ ସିଷ୍ଟମ ରହିଛି, ଯାହାକି ବଡ଼ ମିସାଇଲ ଡିଫେନ୍ସ ସିଷ୍ଟମର ଅଂଶ ଅଟେ । ତାହାକୁ ନିର୍ମାଣ କରିବା ପାଇଁ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ ହୋଇଛି । ତେବେ ଆଜି ଇସ୍ରାଏଲର ଏପରି ଅବସ୍ଥା ଦେଖି ଅନେକଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ ‘ବିଶ୍ୱର ଅନ୍ୟତମ ମଜବୁତ ଡିଫେନ୍ସ ସିଷ୍ଟମ ଫେଲ୍ ମାରିଲା କାହିଁକି?’

ଫିଲିସ୍ତୀନର ଆତଙ୍କୀ ସଂଗଠନ ‘ହମାସ’ ଇସ୍ରାଏଲର ରାହାଇଶୀ ଅଞ୍ଚଳ ଓ ସୈନ୍ୟ ବେସକୁ ଟାର୍ଗେଟ କରିଛି । ହମାସ ଆକ୍ରମଣ ପରେ ଇସ୍ରାଏଲରେ ଏବେ ଯୁଦ୍ଧର ଭୟଙ୍କର ବାତାବରଣ ଦେଖାଦେଇଛି । ଏହା ମଧ୍ୟରେ ୪୦୦ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଅନେକ ଆହତ ହୋଇଛନ୍ତି ଓ ବହୁ ଘରଦ୍ୱାରା ଧ୍ୱଂସ ହୋଇଯାଇଛି । ଦୁଇ ପକ୍ଷଙ୍କ ମଧ୍ୟରୁ କ୍ଷୟକ୍ଷତି ଘଟୁଥିବା ବେଳେ ଗୁଳିମାଡ଼ ଜାରି ରହିଛି ।

କେଉଁ ମିସାଇଲ କେଉଁ ଅଞ୍ଚଳକୁ ଟାର୍ଗେଟ କରିବ ତା’ର ସୂଚନା ଆଇରନ ଡୋମ ପୂର୍ବରୁ ଜାଣିପାରିଥାଏ ବୋଲି କୁହାଯାଏ । ଫିଲିସ୍ତୀନ ଆତଙ୍କୀ ଆକ୍ରମଣରୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଥିଲା । ମାତ୍ର ଆଜି ହମାସ ଉକ୍ତ କବଚକୁ ଭେଦ କରି ସଂହାରଲୀଳା ଅରମ୍ଭ କରିଦେଇଛି । ଇସ୍ରାଏଲ ନିଜର ସୈନ୍ୟଙ୍କୁ ଟ୍ରେନିଂ ଓ ହତିଆର ଅପଗ୍ରେଡ କରିବା ପାଇଁ ବହୁତ ଖର୍ଚ୍ଚ କରିଥାଏ । ଆଜିର ସମୟରେ ଇସ୍ରାଏଲକୁ ପଶ୍ଚିମ ଏସିଆର ସବୁଠାରୁ ମଜବୁତ ଦେଶ ଭାବେ ବିବେଚନା କରାଯାଏ ।

୧୯୪୮ ମସିହାର ଏକ ଦେଶ ଭାବେ ଇସ୍ରାଏଲକୁ ମାନ୍ୟତା ମିଳିଥିବା ବେଳେ ତା’ର କ୍ଷେତ୍ରଫଳ ଭାରତର ଛୋଟ ରାଜ୍ୟ ମଣିପୁରଠାରୁ ମଧ୍ୟ କମ୍ । ଇସ୍ରାଏଲର ଜନସଂଖ୍ୟା ପାଖାପାଖି ୮୫ ଲକ୍ଷ, ମାତ୍ର ସୈନ୍ୟ କ୍ଷମତା ଦୃଷ୍ଟିରୁ ସେ ବିଶ୍ୱର ଅନେକ ଦେଶଠାରୁ ଆଗରେ ରହିଛି । ଗତ ୨୦୧୬ରେ ପ୍ରତିରକ୍ଷା କ୍ଷେତ୍ରରେ ସର୍ବାଧିକ ଖର୍ଚ୍ଚ କରୁଥିବା ଦେଶଙ୍କ ଲିଷ୍ଟରେ ଇସ୍ରାଏଲ ୧୫ତମ ସ୍ଥାନରେ ରହିଥିଲା । ୧୯୮୫ ସୁଦ୍ଧା ଇସ୍ରାଏଲ ବିଶ୍ୱର ସର୍ବାଧିକ ଡ୍ରୋନ ରପ୍ତାନୀକାରୀ ଦେଶ ଥିଲା । ଗ୍ଲୋବାଲ ଡ୍ରୋନ ମାର୍କେଟରେ ଇସ୍ରାଏଲର କବଜା ୬୦ ପ୍ରତିଶତ ରହିଥିଲା ।

ଇସ୍ରାଏଲ ସମର୍ଥନରେ ଆମେରିକା, ବ୍ରିଟେନ, ଜମାନୀ ପରି ଦେଶ ରହିଥିବା ବେଳେ ଫିଲିସ୍ତୀନକୁ ଇରାନ, ଇରାକ, ପାକିସ୍ତାନ, କତାର ପରି ଦେଶ ସମର୍ଥନ କରୁଛନ୍ତି । ତେବେ ବିଶେଷଜ୍ଞଙ୍କ ମତରେ, ସତର୍କତା କ୍ଷେତ୍ରରେ ଗଡ଼ବଡ଼ି ହିଁ ଏହି ପରିଣାମ ପାଇଁ ଦାୟୀ ହୋଇପାରେ । ମାସାଧିକ କାଳ ପୂର୍ବରୁ ହମାସ ଏହି ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଗୁଇନ୍ଦା ସଂସ୍ଥା ସେନେଇ ସମ୍ୟକ ସୂଚନା ନ ପାଇବା ନିଶ୍ଚିତ ଭାବେ ଏକ ବିଫଳତା । ହମାସ ଇସ୍ରାଏଲକୁ ଘେରିବା ପାଇଁ ଜଳ, ସ୍ଥଳ ଓ ଆକାଶ ମାର୍ଗକୁ ବ୍ୟବହାର କରିଥିଲା । ତେଣୁ ଏହି ଆକ୍ରମଣ ପରେ ଗୁଇନ୍ଦା ସଂସ୍ଥାର ଛବିକୁ ଗଭୀର ଆଘାତ ଲାଗିଛି । ଏତେବଡ଼ ଷଡ଼ଯନ୍ତ୍ରକୁ ଇସ୍ରାଏଲର ବିଦେଶୀ ଖୁଫିଆ ଏଜେନ୍ସି ମୋସାଦ କିପରି ଜାଣି ପାରିଲାନି, ତାହା ଏବେ ସାରା ବିଶ୍ୱ ନିକଟରେ ବଡ଼ ପ୍ରଶ୍ନ ।

ଇରାନର ମୁକାବିଲା କରିବା ଓ ଇସଲାମିକ ଗଣରାଜ୍ୟର ପରମାଣୁ କାର୍ଯ୍ୟକ୍ରମକୁ ବିଫଳ କରିବା ପ୍ରୟାସରେ ଇସ୍ରାଏଲ ଏତେ ବ୍ୟସ୍ତ ରହିଥିଲା ଯେ ସେ ପଡ଼ୋଶୀ ଦେଶର ଷଡ଼ଯନ୍ତ୍ରକୁ ଅଜାଣତରେ ଅଣଦେଖା କରିଚାଲିଥିଲା ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଋଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ତା’ର କ୍ଷୟକ୍ଷତିର ହିସାବ ନାହିଁ । ପୁଣି ଥରେ ବିଶ୍ୱ ବକ୍ଷରେ ଆଉ ଗୋଟିଏ ରକ୍ତର ବିଭୀଷିକା ଦେଖିବାକୁ ମିଳିଛି । ଏହା ବିଶ୍ୱ ପାଇଁ ଆଦୌ ଶୁଭଙ୍କର ନୁହେଁ ।

Get real time updates directly on you device, subscribe now.