fbpx
BSKY
BJD YOUTH SKY
BJD MS SKY

ଏଥର ବି ମିଳିଲାନି ସୁଯୋଗ: କେତେ ଅପେକ୍ଷା କରିବେ ସରଫରାଜଙ୍କ ସହ ଏହି ଖେଳାଳି?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ ଇଣ୍ଡିଆର ଘୋଷଣା ହୋଇ ସାରିଛି । ଟେଷ୍ଟ ଏବଂ ଦିନିକିଆ ପାଇଁ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି । ଏହାସହିତ ଭାରତୀୟ ଦଳରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ମିଳିଛି । ଯଶସ୍ୱୀ ଜଏସ୍ୱାଲ, ଋତୁରାଜ ଗାଏକ୍ୱାଡ ଏବଂ ମୁକେଶ କୁମାରଙ୍କ ଭଳି ଖେଳାଳିଙ୍କୁ ଏହି ଗସ୍ତରେ ସାମିଲ କରିଛି ଟିମ ଇଣ୍ଡିଆ । କିନ୍ତୁ ଏବେ ବି ବାଦ୍ ପଡିଛନ୍ତି ଷ୍ଟାର କ୍ରିକେଟର ସରଫରାଜ ଖାନ୍ ଏବଂ ରଜତ ପଟିଦାରଙ୍କ ଭଳି ଅନେକ ଯୁବ ତାରକାଙ୍କୁ । ଯାହାକୁ ନେଇ ଅନେକ ଦିନରୁ ଆଲୋଚନା ଲାଗି ରହିଥିଲା ।

ୱେଷ୍ଟଇଣ୍ଡଜ ଗସ୍ତ ପାଇଁ ଯଶସ୍ୱୀ ଜଏସ୍ୱାଲ, ମୁକେଶ କୁମାର ଏବଂ ଋତୁରାଜ ଗାଏକ୍ୱାଡଙ୍କ ସମେତ କେ.ଏସ ଭରତ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଏମାନେ ଭାରତୀୟ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି । କିନ୍ତୁ ଚଳିତବର୍ଷ ଆଇପିଏଲରେ ସରଫରାଜ ଖାନଙ୍କ ପ୍ରଦର୍ଶନ ଭଲ ନଥିବାରୁ ପୁଣିଥରେ ସେ ବିସିସିଆଇର ଅଣଦେଖା ହୋଇ ଯାଇଛନ୍ତି । କେ.ଏସ ଭରତଙ୍କର ଦୁର୍ବଳ ପ୍ରଦର୍ଶନ ପରେ ମଧ୍ୟ ସରଫରାଜଙ୍କୁ ସୁଯୋଗ ଦେବାରେ କୁଣ୍ଠାବୋଧ କରୁଛି ବିସିସିଆଇ । ଯାହାକୁ ନେଇ କ୍ରିକେଟପ୍ରେମୀ ଖୁବ ଆଲୋଚନା କରିବାରେ ଲାଗିଛନ୍ତି । ସରଫରାଜଙ୍କ ପରି ଅଭିମନ୍ୟୁ ଇଶ୍ୱରନ୍, ରଜତ ପଟିଦାର ଏବଂ ଅର୍ଶଦୀପ ସିଂହଙ୍କୁ ମଧ୍ୟ ଚୟନ କମିଟି ଆଡେଇ ଦେଇଛି । ଗତବର୍ଷ ଟିମ ଇଣ୍ଡିଆର ନିୟମିତ ସଦସ୍ୟ ହୋଇ ରହିଥିବା ଅର୍ଶଦୀପ ଦୀର୍ଘ ଦିନରୁ ଟିମରୁ ବାଦ୍ ପଡିଛନ୍ତି । ଟି-୨୦ରେ ନିଜର ସ୍ୱତନ୍ତ୍ର ଛାପ ଛାଡିଥିଲେ ମଧ୍ୟ ତାଙ୍କୁ ଏହି ଫର୍ମାଟରେ ସ୍ଥାନ ପାଇବା ପାଇଁ ଲଢେଇ କରୁଛନ୍ତି ।

ତେବେ ବିସିସିଆଇ ତରଫରୁ ବାରମ୍ବାର ଏଭଳି ଯୁବ ତାରକାଙ୍କୁ ଅଣଦେଖା କରା ଯାଉଥିବା ଆଲୋଚନା କରୁଛନ୍ତି କ୍ରିକେଟ ପ୍ରଶଂସକ । ଭାରତ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା କରିଛି । ତେଣୁ ଟି-୨୦ ସିରିଜ ପାଇଁ ଦଳରେ ଅର୍ଶଦୀପ ସିଂହ, ଶିବମ ଦୁବେ ଏବଂ ରିଙ୍କୁ ସିଂହଙ୍କ ଭଳି ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ଅଶା କରାଯାଉଛି । ତେବେ ଦୀର୍ଘ ଅପେକ୍ଷା ପରେ ସଞ୍ଜୁ ସାମସନ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.