fbpx

ଭାରତୀୟ ଦଳର ଅନେକ ଖେଳାଳି କରୋନା ସଂକ୍ରମିତ, ତଥାପି ପ୍ରଥମ ଦିନିକିଆ ଖେଳିବେ ନାହିଁ କେଏଲ ରାହୁଲ

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ଏବଂ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା। ଦଳର ଓପନିଂ ବ୍ୟାଟସମ୍ୟାନ ଶିଖର ଧାଓ୍ଵନ, ଋତୁରାଜ ଗାଏକଓ୍ଵାଡ ସହିତ ମଧ୍ୟକ୍ରମ ବ୍ୟାଟସମ୍ୟାନ ଶ୍ରେୟସ ଆୟର ଏବଂ ଦ୍ରୁତ ବୋଲର ନବଦୀପ ସାଇନି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖେଳାଳି କରୋନା ସଂକ୍ରମିତ ହେବା ପରେ ଆଶା କରାଯାଉଥିଲା ଲୋକେଶ ରାହୁଲଙ୍କୁ ପ୍ରଥମ ଦିନିକିଆରେ ସାମିଲ୍ କରାଯିବ। ତେବେ ପ୍ରଥମ ଦିନିକିଆରେ ରାହୁଲ ଦଳ ପାଇଁ ଉପଲବ୍ଧ ରହିବେ ନାହିଁ। ସେ ଦ୍ଵିତୀୟ ଦିନିକିଆରେ ପଡିଆକୁ ଓହ୍ଲାଇବେ। ଦକ୍ଷିଣ ଆଫ୍ରିକାର ବ୍ୟସ୍ତବହୁଳ ଗସ୍ତରୁ ଫେରିବା ପରେ ରାହୁଲଙ୍କୁ ନିଜ ଭଉଣୀଙ୍କ ବିବାହରେ ଯୋଗ ଦେବାର ଅଛି। ଏହି କାରଣରୁ ସେ ପ୍ରଥମ ଦିନିକିଆ ଖେଳି ପାରିବେ ନାହିଁ।

କ୍ରିକଇମ୍ଫୋର ଖବର ଅନୁଯାୟୀ, ରାହୁଲଙ୍କୁ ନିଜ ଭଉଣୀଙ୍କ ବିବାହରେ ଯୋଗ ଦେବାର ଅଛି। ତେବେ ତାରିଖ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ରୋହିତ ଶର୍ମା ଅଧିନାୟକ ଭାବେ ଦଳକୁ ଫେରିଛନ୍ତି। ମାତ୍ର ତାଙ୍କ ସହିତ ଇନିଂସ ଓପନ କିଏ କରିବ ତାକୁ ନେଇ ସସପେନ୍ସ ଜାରି ରହିଛି। ଧାଓ୍ଵନ ଏବଂ ଗାଏକଓ୍ଵାଡ କୋଭିଡ୍ ପଜିଟିଭ୍ ହେବା ପରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଦଳରେ ସାମିଲ୍ କରାଯାଇଛି। ରୋହିତଙ୍କ ସହ ସେ ଦଳର  ଓପନିଂ କରିବାର ସମ୍ଭାବନା ରହିଛି। ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦ୍ଵିତୀୟ ଦିନିକିଆ ଫେବୃଆରୀ ୯ରେ ଖେଳାଯିବ। ତେବେ ରାହୁଲ ଫେବୃଆରୀ ୬ରେ ଦଳରେ ଯୋଗ ଦେଇ ପାରନ୍ତି। ଆଉ ଏହି ଦିନ ପ୍ରଥମ ମ୍ୟାଚ୍ ଖେଳାଯିବ। କିନ୍ତୁ ତିନି ଦିନିଆ ବାଧ୍ୟତାମୂଳକ ଆଇସୋଲେସନରେ ରହିବା କାରଣରୁ ରାହୁଲ ଦ୍ଵିତୀୟ ମ୍ୟାଚରେ ଯାଇ ଦଳ ପାଇଁ ଉପଲବ୍ଧ ରହି ପାରିବେ।

ସୂଚନାଯୋଗ୍ୟ, ଦଳର ୪ ଖେଳାଳି ସହିତ ୩ ସପୋର୍ଟ ଷ୍ଟାଫର ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି। ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ସିରିଜ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହା ପରେ ଫେବୃଆରୀ ୧୬ରୁ କୋଲକାତାର ଇଡେନ ଗାର୍ଡେନ୍ସରେ ତିନି ମ୍ୟାଚର ଟି-୨୦ ସିରିଜ୍ ଖେଳାଯିବ। ଆଶା କରାଯାଉଛି ସେତେବେଳକୁ ଖେଳାଳି ସୁସ୍ଥ ହୋଇ ସାରିଥିବେ।

 

Get real time updates directly on you device, subscribe now.