fbpx

ଅକ୍ଟୋବରରେ ଭାରତ ଆୟୋଜନ କରିବ ଟି-୨୦ ବିଶ୍ୱକପ? ବାଂଲାଦେଶ ହିଂସା ପରେ ନୂଆ ପ୍ରସ୍ତୁତି

ନୂଆଦିଲ୍ଲୀ: ବାଂଲାଦେଶରେ ଜଟିଳ ପରିସ୍ଥିତି ହିଂସାର ରୂପ ନେଇଛି । ଦେଶର ରାଜନୈତିକ ହିଂସା ବର୍ତ୍ତମାନ ମହିଳା ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଆଶଙ୍କା ଦେଖାଯାଇଛି । ଆଇସିସିର ସୂଚୀ ଅନୁସାରେ, ଆସନ୍ତା ଅକ୍ଟୋବର ମାସରେ ବାଂଲାଦେଶ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ । କିନ୍ତୁ ବର୍ତ୍ତମାନ ବାଂଲାଦେଶର ପରିସ୍ଥିତି ଏହା ଉପରେ ଆଶଙ୍କା ସୃଷ୍ଟି କରିଛି । ତେଣୁ ଅକ୍ଟୋବର ମାସରେ ବାଂଲାଦେଶ ସ୍ଥାନରେ ଭାରତ ଏହାର ଆୟୋଜନ କରିପାରେ । ନିକଟରେ ପୁରୁଷ ଦିନିକିଆ ବିଶ୍ୱକପ ଆୟୋଜନ ହୋଇଥିବା ବେଳେ ଭାରତକୁ ମହିଳା ଟି-୨୦ ବିଶ୍ୱକପ ଆୟୋଜନ କରିବାର ମଧ୍ୟ ସୁଯୋଗ ମିଳିପାରେ ।

ମହିଳା ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଆଇସିସି ବର୍ତ୍ତମାନ ଚୁପ୍ ରହିଛି । ବୋର୍ଡର ଜଣେ ସଦସ୍ୟ କହିଛନ୍ତି ଯେ, ଆଇସିସି ନିକଟରେ ସମସ୍ତ ସଦସ୍ୟ ଦେଶରେ ଏକ ସ୍ୱତନ୍ତ୍ର ସୁରକ୍ଷା ମନିଟରିଙ୍ଗ ସିଷ୍ଟମ ରହିଛି । ତେବେ ବର୍ତ୍ତମାନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଟୁର୍ଣ୍ଣାମେଣ୍ଟ ପାଇଁ ବର୍ତ୍ତମାନ ୭ ସପ୍ତାହ ବାକି ରହିଛି । ତେଣୁ ଏବେଠାରୁ ବିଶ୍ୱକପକୁ ସ୍ଥାନାନ୍ତରିତ କରିବା ନେଇ ନିଷ୍ପତ୍ତି ଉଚିତ୍ ହେବନାହିଁ ।

ତେବେ ଏଭଳି ପରିସ୍ଥିତିକୁ ସାମନା କରିବା ପାଇଁ ଆଇସିସି ବର୍ତ୍ତମାନ ପ୍ଲାନ ବି’ ସନ୍ଧାନରେ ରହିଛି । ତେବେ ବାଂଲାଦେଶ ପରେ ଟୁର୍ଣ୍ଣାମେଣ୍ଟ ଆୟୋଜନର ଅନ୍ୟ ବିକଳ୍ପ ତାଲିକାରେ ୩ଟି ଦେଶ ସାମିଲ ରହିଛନ୍ତି । ବାଂଲାଦେଶର ଏଭଳି ସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଭାରତ, ୟୁଏଇ କିମ୍ବା ଶ୍ରୀଲଙ୍କା ପ୍ରମୁଖ ବିକଳ୍ପ ହୋଇପାରନ୍ତି । ଭାରତ ଏବଂ ଶ୍ରୀଲଙ୍କାରେ ଖୁବ କମ୍ ସମୟରେ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇପାରିବ । ତେଣୁ ଏହି ୨ ଦେଶ ଉପରେ ଆଇସିସିର ନଜର ରହିବ । କିନ୍ତୁ ଟି-୨୦ ବିଶ୍ୱକପ ୟୁଏଇକୁ ସ୍ଥାନାନ୍ତରିତ କରାଗଲେ, ସେଥିପାଇଁ ୟୁଏଇକୁ ପ୍ରସ୍ତୁତି ପାଇଁ ପୂର୍ବରୁ ସୂଚନା ଦେବାକୁ ପଡ଼ିବ ।

ସେହିପରି ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଭାରତ ବିଶ୍ୱକପ ଆୟୋଜନ ପାଇଁ ପ୍ରମୁଖ ବିକଳ୍ପ ହୋଇପାରେ । କାରଣ ଅକ୍ଟୋବରରେ ଶ୍ରୀଲଙ୍କାରେ ଅଧିକ ବର୍ଷା ହୋଇଥାଏ । ଏହାବ୍ୟତୀତ ଶ୍ରୀଲଙ୍କାର ସୁରକ୍ଷା ବ୍ୟବସ୍ଥା ମଧ୍ୟ କିଛି ଦେଶ ପାଇଁ ସମସ୍ୟା ହୋଇପାରେ । କିନ୍ତୁ ଭାରତରେ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବର୍ଷାଋତୁ ଶେଷ ହେବା ସହ ଅକ୍ଟୋବରରେ ବିଶ୍ୱକପ ଆୟୋଜନ ପାଇଁ ସ୍ଥିତି ଭଲ ରହିଥିବ । ତେବେ ଏ ନେଇ ଆଇସିସି ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.