fbpx

ଆଜି ଭାରତକୁ ମିଳିବ କି ଆଇସିସି ଟ୍ରଫି! ୧୯୮୩ ରୁ ୨୦୨୪ ପର୍ଯ୍ୟନ୍ତ…. ଭାରତ କେବେ କେଉଁ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଛି….

Advertisement

ଓଡିଶା ଭାସ୍କର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଉ କିଛି ସମୟ ପରେ ଟେଣ୍ଟି ଟ୍ୱେଣ୍ଟି ବିଶ୍ୱକପର ଫାଇନାଲ ଫାଇଟ ଖେଳାଯିବ । ଟିମ୍ ଇଣ୍ଡିଆ ନିଜର ୧୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇବା ପାଇଁ ପଡିଆକୁ ଓହ୍ଲାଇବ, ଜୀବନକୁ ବାଜି ଲଗାଇବ ବିଶ୍ୱକପ ଟ୍ରଫିକୁ ନିଜ ଘରକୁ ଆଣିବା ପାଇଁ । ଭାରତ ଶେଷଥର ପାଇଁ ୨୦୧୩ ମସିହାରେ ଆଇସିସି ଟ୍ରଫି ଜିତିଥିଲା । ମାତ୍ର ଇତିମଧ୍ୟରେ ୧୧ ବର୍ଷ ବିତି ସାରିଛି । ଭାରତର ଝୁଣି ଖାଲି ପଡିଛି ଆଇସିସି ଟ୍ରଫି ନ ପାଇ । ପ୍ରଥମଥର ପାଇଁ ଭାରତ ଦୀର୍ଘ ୪୧ ବର୍ଷ ପୂର୍ବରୁ ପ୍ରଥମ ଆଇସିସି ଟ୍ରଫି ଜିତିଥିଲା । ସେହିସମୟରେ କପିଳ ଦେବଙ୍କ ନେତୃତ୍ୱାଧୀନ ଦଳ ୧୯୮୩ ମସିହାରେ ଚମ୍ପିୟାନ ହୋଇଥିଲା । ପରବର୍ତ୍ତୀ ସମୟରେ ଭାରତ ୧୯ ବର୍ଷ ପରେ ୨୦୦୨ ମସିହାରେ ଶ୍ରୀଲଙ୍କା ସହ ମିଶି ଯୁଗ୍ମ ଭାବରେ ଚାମ୍ପିୟନ୍ସ ଟ୍ରଫି ଉପରେ କବ୍ଚା କରିଥିଲା । ପରେ ଏହାର ୫ ବର୍ଷ ପରେ ୨୦୦୭ ମସିହାରେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଟେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଜିତି ଇତିହାସ ରଚିଥିଲା । ଏହା ଥିଲା ଭାରତର ତୃତୀୟ ଆଇସିସି ଟ୍ରଫି ।

ଭାରତକୁ କିନ୍ତୁ, ତାହାର ଚତୁର୍ଥ ଆଇସିସି ଟ୍ରଫି ଜିତିବା ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡି ନ ଥିଲା । ଭାରତ ୨୦୧୧ ମସିହାରେ ପୁଣିଥରେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଦିନିକିଆ ବିଶ୍ୱକପ ଜିତି ସାରା ବିଶ୍ୱରେ ବନ୍ଦେ ମାତରମ୍‌ର ଶିହରଣ ଭରି ପାରି ଥିଲା । ଫାଇନାଲରେ ଟିମ୍ ଇଣ୍ଡିଆ ହରାଇଥିଲା ଶ୍ରୀଲଙ୍କାକୁ । ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଜିତିଥିଲା ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍ ଇଣ୍ଡିଆ । ପରବର୍ତ୍ତୀ ସମୟରେ ଏହାର ୨ ବର୍ଷ ପରେ ଅର୍ଥାତ ୨୦୧୩ ମସିହାରେ ଭାରତ ଇଂଲଣ୍ଡକୁ ହରାଇ ଚାମ୍ପିୟନ୍ସ ଟ୍ରଫି ଜିତି ପୁଣିଥରେ ଚମକି ଥିଲା ସାରା ବିଶ୍ୱରେ । ଏହାର ୧୧ ବର୍ଷ ପରେ ବି ଟିମ୍ ଇଣ୍ଡିଆ ଆଇସିସି ଟ୍ରଫି ଜିତି ନାହିଁ । ଟ୍ରଫିର ପାଖକୁ ପହଞ୍ଚିଛି ସତ, କିନ୍ତୁ ତାହାକୁ ହାତରେ ତୋଳି ଧରି ପାରି ନାହିଁ । ଏଥର ବି ଟ୍ରଫିର ଗୋଟିଏ ପାଦ ଦୂରରେ ଅଛି ଭାରତ । ଆଜି ଫାଇନାଲ ଜିତି ଏହି ଅଭାବକୁ ପୂରଣ କରିବାର ସୁବର୍ଣ୍ଣ ସୁଯୋଗ ରହିଛି ରୋହିତ ବାହିନୀ ପାଖରେ । ଫ୍ୟାନ୍ସ ମଧ୍ୟ ଚାତକ ଭଳି ଚାହିଁ ରହିଛନ୍ତି ଏହି ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଟ୍ରଫିକୁ ।

Get real time updates directly on you device, subscribe now.