fbpx
BJD SKY
BJD SKY

ଭାରତରେ ଖେଳାଯିବନି IPL-2024ର ଦ୍ୱିତୀୟ ପର୍ଯ୍ୟାୟ? ଏହି ଦେଶକୁ ମିଳିପାରେ ଆୟୋଜନ ଦାୟିତ୍ୱ

BJD

ନୂଆଦିଲ୍ଲୀ: ଆଗାମୀ ୨୨ ତାରିଖରୁ ଆରମ୍ଭ ହେବ ଆଇପିଏଲ ମହାସମର । ଚଳିତବର୍ଷ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ । ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲର ପ୍ରଥମ ପର୍ଯ୍ୟାୟ ଘୋଷଣା ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟକୁ ନେଇ ଏବେ ବଡ଼ ଅପଡେଟ ସାମନାକୁ ଆସିଛି । ଆଇପିଏଲର ୧୭ତମ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଭାରତ ବାହାରେ ଆୟୋଜିତ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଏଥିପାଇଁ ୟୁଏଇକୁ ବିକଳ୍ପ ଭାବରେ ଆୟୋଜକ ଭାବରେ ଦାୟିତ୍ୱ ମିଳିପାରେ ।

ରିପୋର୍ଟ ଅନୁସାରେ, ଆଜି ଅପରାହ୍ନରେ ନିର୍ବାଚନର ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ଏହାପରେ ଆଇପିଏଲର ପରବର୍ତ୍ତୀ ପର୍ଯ୍ୟାୟ କେବେ ଏବଂ କେଉଁଠି ଖେଳାଯିବ, ସେ ନେଇ ନିଷ୍ପତ୍ତି ବିସିସିଆଇ । ତେବେ ବର୍ତ୍ତମାନ ବୋର୍ଡର କିଛି ବରିଷ୍ଠ ଅଧିକାରୀ ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନର ସମ୍ଭାବନା ଖୋଜିବା ଆରମ୍ଭ କରିଛନ୍ତି । ତେବେ ଏଥିପାଇଁ ପ୍ରଥମ ବିକଳ୍ପ ଭାବରେ ରହିଛି ୟୁଏଇ । ଏହାମଧ୍ୟରେ କିଛି ଆଇପିଏଲ ଟିମ ନିଜ ଖେଳାଳିମାନଙ୍କୁ ସେମାନଙ୍କ ପାସପୋର୍ଟ ଜମା କରିବାକୁ କହିଥିବା ମଧ୍ୟ ଜାଣିବାକୁ ମିଳିଛି ।

ଲୋକସଭା ନିର୍ବାଚନ ଯୋଗୁଁ ପୂର୍ବରୁ ମଧ୍ୟ ଆଇପିଏଲ ସ୍ଥାନାନ୍ତରିତ ହୋଇସାରିଛି । ୨୦୦୯ ନିର୍ବାଚନ ସମୟରେ ଆଇପିଏଲର ସମସ୍ତ ମ୍ୟାଚ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇଥିଲା । ସେହିପରି ୨୦୧୪ ମସିହାରେ ନିର୍ବାଚନ ଯୋଗୁଁ ଆଇପିଏଲର ପ୍ରଥମ ପର୍ଯ୍ୟାୟ ୟୁଏଇରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ୨୦୧୯ ମସିହାରେ ନିର୍ବାଚନ ସମୟରେ ଭାରତରେ ହିଁ ସଫଳତାର ସହ ଶେଷ ହୋଇଥିଲା ଆଇପିଏଲ ଟୁର୍ଣ୍ଣାମେଣ୍ଟ । ତେବେ ଚଳିତବର୍ଷ ଆଇପିଏଲ ସ୍ଥାନାନ୍ତରିତ ହେବ ନାହିଁ ବୋଲି ଆଶା ପ୍ରକଟ କରିଥିଲେ ଚେୟାରମ୍ୟାନ୍ ଅରୁଣ ସିଂହ ଧୁମଲ । ନିର୍ବାଚନ ତାରିଖ ଘୋଷଣା ପରେ ଏହାକୁ ଦୃଷ୍ଟିରେ ରଖି ଆଇପିଏଲର ପରବର୍ତ୍ତୀ ପର୍ଯ୍ୟାୟ ସୂଚୀ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଅରୁଣ ।

Get real time updates directly on you device, subscribe now.