fbpx

ଓଡ଼ିଶାର ପୌରାଣିକ ପୀଠସ୍ଥଳୀ କ୍ଷୀରଚୋରା ଗୋପୀନାଥ: ଦର୍ଶନ କଲେ ପୂରଣ ହୁଏ ମନସ୍କାମନା

ବାଲେଶ୍ୱର: ଓଡ଼ିଶାର ଏକ ପୌରାଣିକ ପୀଠସ୍ଥଳୀ ଭାବରେ ପରିଚୟ ପାଇଛି କ୍ଷୀରଚୋରା ଗୋପୀନାଥ ମନ୍ଦିର । ରାଜ୍ୟର ବିଭିନ୍ନ ପୀଠ ମଧ୍ୟରୁ ରେମୁଣାର କ୍ଷୀରଚୋରା ଗୋପୀନାଥ ପୀଠ ଅନ୍ୟତମ । ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ଏହି ମନ୍ଦିର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହଦେବଙ୍କ ଦ୍ୱାରା ନିର୍ମାଣ ହୋଇଥିଲା । ତେବେ ଗୋପୀନାଥ ମହାପ୍ରଭୁଙ୍କର ନାଁ କ୍ଷୀରଚୋରା ହେବା ପଛରେ ରହିଛି ଏକ ସୁନ୍ଦର କାହାଣୀ । ଏକ ଘଟଣାବଳୀକୁ ନେଇ ଭଗବାନଙ୍କ ନାଁ କ୍ଷୀରଚୋରା ଗୋପୀନାଥ ହୋଇଥିବା ବର୍ଣ୍ଣନା କରାଯାଇଛି ।

ଦିନେ ପ୍ରଭୁ ଗୋପୀନାଥ ଜଣେ ଭକ୍ତଙ୍କ ପାଇଁ କ୍ଷୀର ଚୋରି କରିଥିଲେ । ତେଣୁ ସେହିଦିନଠୁ ପ୍ରଭୁଙ୍କୁ କ୍ଷୀର ଚୋରା ନାମରେ ଅଭିଭୂତ କରାଯାଇଛି । ଐହାବ୍ୟତୀତ ପ୍ରଭୁଙ୍କର ଅନ୍ୟ ଏକ ନାଁ ମଧ୍ୟ ରହିଛି । ଏଠାରେ ତିନି ଠାକୁର ଶ୍ରୀ ମଦନମୋହନ, ଶ୍ରୀ ଗୋବିନ୍ଦ ଏବଂ ଶ୍ରୀ ଗୋପୀନାଥ ବିରାଜିତ ହୋଇଥିବାରୁ ଏହାକୁ ଭାରତର ଗୁପ୍ତ ବୃନ୍ଦାବନ ଧାମ ବୋଲି ମଧ୍ୟ କୁହାଯାଏ । ବର୍ଷ ତମାମ ଏହି ମନ୍ଦିରରେ ଅନେକ ଭକ୍ତଙ୍କ ସମାଗମ ଲାଗି ରହିଥାଏ ।

ଏହି ପୀଠରେ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଅମୃତ କେଳି ଅର୍ଥାତ କ୍ଷୀର ଭୋଗ ମିଳେ । କାହିଁ କେଉଁ ଆବହମାନ କାଳରୁ ଏହି ପୀଠରେ କ୍ଷୀରା ଭୋଗର ସ୍ୱତନ୍ତ୍ରତା ରହିଛି । ସ୍ଥାନୀୟ ଅଞ୍ଚଳରୁ ମନ୍ଦିରକୁ କ୍ଷୀର ଆସ ଭୋଗ ଲାଗି ହୋଇଥାଏ । ତେବେ ସେହି କ୍ଷୀର କେବଳ କାଠ ଚୁଲିରେ ତିଆରି ହୋଇ ଅମୃତ କେଳି ପ୍ରସ୍ତୁତ ହୋଇଥାଏ । ପ୍ରସାଦ ପ୍ରସ୍ତୁତ ସମୟରେ ବିଭିନ୍ନ ସ୍ୱଚ୍ଛତା ଓ ଶୁଦ୍ଧତା ଉପରେ ପ୍ରାଧାନ୍ୟ ଦିଆଯାଇଥାଏ । ଅମୃତ କେଳୀ ପ୍ରସ୍ତୁତ କରାଯିବା ପାଇଁ ପ୍ରତିଦିନ ପ୍ରାୟ ୩୦୦ ରୁ ୪୦୦ ଲିଟର କ୍ଷୀର ଆସେ । କ୍ଷୀରକୁ କାଠ ଚୁଲିରେ ମାରି ସ୍ୱତନ୍ତ୍ର ଭାବେ ପ୍ରସାଦ ତିଆରି କରାଯାଏ । ପରେ ସେଗୁଡ଼ିକୁ କୁମ୍ଭାର ସେବକମାନଙ୍କ ଠାରୁ ସଂଗ୍ରହ କରାଯାଇଥିବା ମାଟି କୁଡ଼ୁଆରେ ଭର୍ତ୍ତି କରି ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ବିକ୍ରି କରାଯାଏ । ତେବେ ଭକ୍ତ ପାଇଁ ଚୋର ସାଜି କ୍ଷୀରଚୋରା ବୋଲି ଆଖ୍ୟା ପାଇଥିବା ଗୋପୀନାଥଙ୍କୁ ଦର୍ଶନ କଲେ ଭକ୍ତର ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.