୩ ମାସରେ ୨ ଥର ଗର୍ଭବତୀ ହେଲେ ମହିଳା, ଜନ୍ମଦେଲେ ଦୁଇ ପୁତ୍ର ସନ୍ତାନ: ଜାଣନ୍ତୁ ଏହି କାରନାମା ପଛର କାହାଣୀ

ନୂଆଦିଲ୍ଲୀ: କୁହାଯାଏ ଗୋଟିଏ ସନ୍ତାନକୁ ଜନ୍ମ ଦେବା ପାଇଁ ମାଆଟିଏ ନିଜ ଶିଶୁକୁ ୯ ମାସ ଗର୍ଭଧାରଣ କରିଥାଏ । ମାତ୍ର ଆଜିକାଲିର ବିଜ୍ଞାନ ଯୁଗରେ କେତେବେଳେ କ’ଣ ଘଟୁଛି ତା’ର ଅନ୍ଦାଜ ଲଗାଇବା ମୁସ୍କିଲ୍ । ଅନେକ ସ୍ଥାନରେ ସମୟ ପୂର୍ବରୁ ମଧ୍ୟ ଛୁଆ ଜନ୍ମ ନେଉଥିବାର ଦେଖାଯାଉଛି । ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମାଆ ୩ ମାସ ୧୨ ଦିନ ଅର୍ଥାତ ୧୦୨ ଦିନରେ ଦୁଇଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜଣେ ମହିଳାଙ୍କ ଏହି କାରନାମା ବିଷୟରେ ସ୍ୱାସ୍ଥ୍ୟ ବିଭାଗ ଟେର୍ ସୁଦ୍ଧା ପାଇପାରି ନଥିଲା ।

ବିହାରର ସମସ୍ତୀପୁରର ଉଜିୟାରପୁର ଅନ୍ତର୍ଗତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)ରେ ଏହି ମାମଲାଟି ଦେଖିବାକୁ ମିଳିଛି । ସେଠାକାର ହରପୁର ରେବାଡ଼ି ଗ୍ରାମର ଜଣେ ମହିଳା ଜଣେ ଆଶାକର୍ମୀଙ୍କ ସହଯୋଗରେ ଏପରି କାରନାମା କରିବାକୁ ସକ୍ଷମ ହୋଇଛନ୍ତି । ମହିଳା ଜଣଙ୍କ ଦୁଇଥର ଗର୍ଭଧାରଣ କରି ଦୁଇ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ତେବେ ଜନନୀ ବାଲ ସୁରକ୍ଷା ଯୋଜନାର ଲାଭ ଉଠାଇବା ପ୍ରୟାସରେ ୨୮ ବର୍ଷୀୟା ମହିଳା ଜଣଙ୍କ ଏହି ଜାଲିଆତି କରିଥିଲେ । ଗତ ଜୁଲାଇ ମାସ ୨୪ ତାରିଖରେ ମହିଳା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ସହ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ପରବର୍ତ୍ତୀ ସମୟରେ ନଭେମ୍ବର ମାସ ୩ରେ ହସ୍ପିଟାଲରେ ଭର୍ତ୍ତି ହେବା ସହ ୪ ତାରିଖରେ ପୁଣି ଏକ ପୁତ୍ରକୁ ଜନ୍ମଦେଇଥିଲେ । ଏହାପରେ ଉକ୍ତ ମହିଳାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଥିଲା । ଉଜିୟାରପୁର ପିଏଚସିରେ ଜନନୀ ସୁରକ୍ଷା ଯୋଜନା ପାଇଁ ଡେଲିଭରି ରେକର୍ଡ ପ୍ରସ୍ତୁତ କରାଯାଉଥିବା ସମୟରେ ଏହି କାରନାମାର ପର୍ଦ୍ଦାଫାସ୍ ହୋଇଥିଲା ।