fbpx

କଳିଯୁଗର ପତ୍ନୀ! ସ୍ୱାମୀଙ୍କୁ ମୃତ କହି ବୀମା କମ୍ପାନୀକୁ ଲଗାଇଲେ ୧୮ ଲକ୍ଷର ଚୂନ

ଅହମ୍ମଦାବାଦ: କଳିଯୁଗରେ ଟଙ୍କା ପାଇଁ ଲୋକମାନେ କିଛି ବି କରିବାକୁ ପଛାଉନାହାନ୍ତି । କିଏ ନିଜ ସ୍ୱାମୀଙ୍କୁ ଭାଇ କରିଦେଉଛି ତ ଆଉ କିଏ ମୃତ କହି ଟଙ୍କା ଲୁଟୁଛି । ସେହିପରି ଏକ ମାମଲା ଗୁଜରାଟର ଅହମ୍ମଦାବାଦରୁ ଆସିଛି, ଯେଉଁଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କର ନକଲି ମୃତ୍ୟୁ ପ୍ରମାଣ ପତ୍ର ପ୍ରସ୍ତୁତ କରିଛନ୍ତି ଓ ଏହା ଜରିଆରେ ସ୍ୱାମୀଙ୍କ ୨ଟି ଜୀବନ ବୀମା ପଲିସି କମ୍ପାନୀକୁ ୧୮ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି । କିନ୍ତୁ ମହିଳାଙ୍କ ଦ୍ୱାରା ମୃତ କୁହାଯାଇଥିବା ସ୍ୱାମୀଙ୍କ ବିଷୟରେ ଯେତେବେଳେ ପୋଲିସକୁ ଖବର ମିଳିଲା, ସେବେ ଖୋଲିଲା ପୋଲ୍ । ଘଟଣାକୁ ନେଇ ପୋଲିସ ମହିଳାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଦେଲେ ।

ସୂଚନା ମୁତାବକ, ନନ୍ଦା ମରାଠୀ ନାମକ ଜଣେ ମହିଳା ୩ ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ନିମେଶ ମରାଠୀଙ୍କଠାରୁ ଅଲଗା ହୋଇଥିଲେ । ନିମେଶ ୨ଟି ଅଲଗା ଅଲଗା ବୀମା କମ୍ପାନୀରୁ ୨ଟି ଜୀବନ ବୀମା କରିଥିଲେ, ଯେଉଁଥିରେ ନୋମିନ୍ ତାଙ୍କ ପତ୍ନୀ ଥିଲେ । ଏଥିରୁ ଟଙ୍କା ନେବା ପାଇଁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ନକଲି ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରି ବୀମା କମ୍ପାନୀମାନଙ୍କଠାରୁ ୧୮ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ହୋଇଛି ଯେ ହରିକୃଷ୍ଣ ସୋନି ନାମକ ଜଣେ ଡାକ୍ତର ମହିଳାଙ୍କୁ ନକଲି ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ । ମୃତ୍ୟୁ ରିପୋର୍ଟ ଆଧାରରେ ମହିଳା ଜଣକ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ ଏବଂ ସେହି ପ୍ରମାଣପତ୍ର ଆଧାରରେ ବୀମା କମ୍ପାନୀରୁ ବୀମା ରାଶି ଦାବି କରିଥିଲେ ।

ବୀମା କମ୍ପାନୀକୁ ଠକିବା ଅଭିଯୋଗରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି । ଯଦି ମହିଳାଙ୍କ ସ୍ୱାମୀ ପୋଲିସ ଆଗରେ ନିଜ ବିଷୟରେ ସୂଚନା ନଦେଇଥାନ୍ତେ, ତେବେ ପତ୍ନୀର ଏପରି ଷଡ଼ଯନ୍ତ୍ର ଲୋକଲୋଚନକୁ ଆସିପାରିନଥାନ୍ତା ।

Get real time updates directly on you device, subscribe now.