fbpx

କରୋନା ଉଜାଡିଲା ସଂସାର: ସ୍ୱାମୀଙ୍କ ମୃତ୍ୟୁ ଦୁଃଖରେ ଆତ୍ମହତ୍ୟା କଲେ ସ୍ତ୍ରୀ

ବ୍ରହ୍ମପୁର, ୦୩/୦୫: ପ୍ରଥମେ ସାନପୁଅର ଦୁର୍ଘଟଣାରେ ଅକାଳ ମୃତ୍ୟୁ ଆଉ ଏବେ କରୋନାରେ ସ୍ୱାମୀଙ୍କ ମୃତ୍ୟୁ ଏଭଳି କଷ୍ଟକୁ ସହି ନପାରି ଶେଷରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ୪୫ ବର୍ଷୀୟ କବିତା ନାହକ ।

ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି  । ଘଟଣା ଅନୁଯାୟୀ ବ୍ରହ୍ମପୁର ସୌନ୍ଦର୍ଯ୍ୟ ବିହରରେ ସ୍ୱାମୀ ହାଡିବନ୍ଧୁ ନାହକଙ୍କ ସହ ରହୁଥିଲେ କବିତା  । ପରିବାରରେ ତାଙ୍କର ୨ ପୁଅ ଏବଂ ଗୋଟିଏ ଝିଅ । ସ୍ୱାମୀ ହାଡିବନ୍ଧୁ ନାହକ ଘରୋଇ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିରରେ ଇଂରାଜୀ ଶିକ୍ଷକ ଭାବେ ଚାକିରି କରୁଥିଲେ ।

ଗତବର୍ଷ ଜାନୁଆରୀରେ ଯୁକ୍ତ ୩ ରେ ପଢୁଥିବା ସାନ ପୁଅ ମୁକ୍ତିକାନ୍ତ ନାହକଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଥିଲା । ସେପଟେ ଝିଅର ବିବାହ ହୋଇସାରିଥିଲେ ମଧ୍ୟ ପାରିବାରିକ କଳହରୁ ଝିଅ ଶାଶୁଘର ଛାଡି ବାପଘରେ ରହୁଥିଲେ । ଯାହାକୁ ନେଇ ମାନସିକ ଚିନ୍ତାରେ ଥିଲେ ଦମ୍ପତ୍ତି  । ତେବେ ଗତ ୬ ଦିନ ତଳେ ସ୍ୱାମୀ ହାଡିବନ୍ଧୁ ଅସୁସ୍ଥ ହୋଇପଡିଥିଲେ ଏବଂ ପରୀକ୍ଷାରୁ କୋଭିଡ ପଜିଟିଭ ହୋଇଥିଲେ । ଏହା ପରେ ସେ ବହ୍ମପୁରର ବଡ଼ ମେଡିକାଲର ସ୍ୱତନ୍ତ୍ର କୋଭିଡ ବିଭାଗରେ ଚିକିତ୍ସିତ ହେଉଥିଲେ , ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ପୁଅକୁ ହରାଇ ଆଉ ଏବେ ସ୍ୱାମୀଙ୍କୁ ହରାଇ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ କବିତା ଏବଂ ସ୍ୱାମୀଙ୍କ ମୃତ୍ୟୁର ୪୦ ଘଣ୍ଟା ପରେ ଶନିବାର ରାତି ପ୍ରାୟ ୨ଟା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । କିଛି ସମୟ ପରେ ବଡ ପୁଅ ସ୍ମୃତିରଞ୍ଜନ ଏହା ଜାଣିପାରି ମା’ଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ମୃତ କବିତାଙ୍କ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.